ETV Bharat / state

ବାଇକ ଡିକି ଭାଙ୍ଗି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍

author img

By ETV Bharat Odisha Team

Published : Sep 28, 2023, 8:34 AM IST

ସୁନା ଦୋକାନୀଙ୍କ ଠାରୁ ଲୁଟ
ସୁନା ଦୋକାନୀଙ୍କ ଠାରୁ ଲୁଟ

ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନୀଙ୍କ ଠାରୁ ଲୁଟ୍‌ । ବାଇକ ଡିକି ଭାଙ୍ଗି 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍

ରାଇରଙ୍ଗପୁର: ଦିନ ଦ୍ବିପ୍ରହରରେ ସୁନା ଦୋକାନୀଙ୍କଠାରୁ ଲୁଟ୍ । ଦୋକାନ ସାମ୍ନାରେ ଦୋକନୀଙ୍କ ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ସହିତ ନଗଦ ୧୫ରୁ ୨୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ । ଏହି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ମୁଖ୍ୟ ବଜାରରୁ । ଲୁଟ୍‌ ହୋଇଥିବା ଅଳଙ୍କାରର ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କୁହାଯାଇଛି । ବୁଧବାର ଦିନ ସାଢେ ୧୧ଟା ବେଳେ ବଜାରରେ ଥିବା ପଦ୍ମାବତୀ ଜୁଏଲାରୀ ସାମ୍ନାରୁ କିଛି ଲୁଟେରା ଏପରି ଲୁଟପାଟ୍‌ ଭିଆଇଛନ୍ତି ।

ଠାକୁରମୁଣ୍ଡା ବଜାରର ପ୍ରତିଷ୍ଠିତ ସୁନା ଦୋକାନୀ ବିଶ୍ବଜିତ ମହାପାତ୍ର ବୁଧବାର ଦିନ ସାଢେ ୧୧ଟା ସମୟରେ ନିଜ ଦୋକାନ ଖୋଲିବାକୁ ଆସିଥିଲେ । ସେ ଆସିଥିବା ବାଇକର ଡିକିରେ ସୁନା ଓ ରୂପା ଗହଣା ସହିତ ନଗଦ ପାଖାପାଖି ୧୫ରୁ ୨୦ ହଜାର ଟଙ୍କା ରଖିଥିଲେ । ପୂର୍ବରୁ ଦୁର୍ବୃତ୍ତମାନେ ଦୋକାନ ତାଲାରେ କିଛି ଅଠା ବୋଳି ଦେଇଥିଲେ । ଯେଉଁଥିପାଇଁ ଦୋକାନୀଙ୍କୁ ତାଲା ଖୋଲିବାରେ ଅସୁବିଧା ହୋଇଥିଲା ଏବଂ ବାଇକ୍‌ ଉପରୁ ତାଙ୍କର ଧ୍ୟାନ ହଟି ଯାଇଥିଲା । ଏହାର ସୁଯୋଗ ନେଇ ପୂର୍ବରୁ ପ୍ରସ୍ତୁତ ଥିବା ଦୁର୍ବୃତ୍ତମାନେ ବାଇକର ଡିକି ଭାଙ୍ଗି ସମସ୍ତ ସୁନା, ରୂପା ଗହଣା ଓ ନଗଦ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ମାତିଲେ ଲୁଟେରା, ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ

ସୁନାଦୋକାନୀ ବାଇକ୍‌ ଦେଖିଲା ବେଳକୁ ଦୁର୍ବୃତ୍ତମାନେ ଦ୍ରୁତ ବେଗରେ ଛୁ' ହୋଇ ସାରିଥିଲେ । ଏ ସମ୍ପର୍କରେ ସେ ଠାକୁରମୁଣ୍ଡା ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋକାନରେ ଲାଗିଥିବା CCTV ଫୁଟେଜ୍‌କୁ ଯାଞ୍ଚ କରି ଲୁଟେରାମାନଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚଳାଇଛି ପୋଲିସ । ତେବେ ଦୋକାନୀଙ୍କ କହିବା ଅନୁଯାୟୀ ବ୍ୟାଗରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା ସହ ନଗଦ ୧୫ରୁ ୨୦ ହଜାର ଟଙ୍କା ଥିଲା । ବିଚ୍ ବଜାରରୁ ଏବଂ ସ୍ପଷ୍ଟ ଦିବାଲୋକରେ ଲୁଟେରାମାନେ ଆଖିରେ ଧୂଳି ଦେଇ ଲୁଟ କରି ଫେରାର ହୋଇଯିବା ଘଟଣା ଏବେ ଠାକୁରମୁଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଥାଉକି, ସପ୍ତାହେ ପୂର୍ବରୁ ମୟୂରଭଞ୍ଜର ଜିଲ୍ଲାର ପ୍ରସିଦ୍ଧ ଦୈବୀ ପୀଠ ମା' କୀଚକେଶ୍ୱରୀ ମନ୍ଦିରର ହୁଣ୍ଡି କାଟି ଲୁଟ କରାଯାଇଥିଲା । ଯଶିପୁର ଓ କରଞ୍ଜିଆ ଅଞ୍ଚଳରେ ୪ରୁ ଅଧିକ ଜାଗାରେ ପୋଲିସକୁ ଖୋଲାଖୋଲି ଭାବେ ଚାଲେଞ୍ଜ୍‌ କରି ଦୁର୍ବୃତ୍ତମାନେ ଯେପରି ଲୁଟପାଟ୍‌ ଭିଆଉଛନ୍ତି, ତାହା ଏବେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହି ଚୋରି ଘଟଣାର ତଦନ୍ତ ଜାରି ରହିଥିଲେ ବି ଏଯାଏଁ କୌଣସି ଟେର୍‌ ମିଳିନି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.