ETV Bharat / state

ରାଜ୍ୟରେ ୪ ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ, ଖର୍ଚ୍ଚ ହେବ ୩୧୬୦ କୋଟି

author img

By ETV Bharat Odisha Team

Published : Dec 21, 2023, 10:00 PM IST

ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ
ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ

CM Launches 4 Irrigation Projects: ୩ ହଜାର ୧୬୦ କୋଟି ଟଙ୍କାର ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ ହୋଇଛି । ଅଧିକ ପଢନ୍ତୁ

ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟରେ ୩ ହଜାର ୧୬୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୩ ହଜାର ୧୬୦ କୋଟି ଟଙ୍କାର ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ ହୋଇଛି । ୮୨୨ କୋଟି ଟଙ୍କାର ଏହି ୨ଟି ପ୍ରକଳ୍ପ ଦ୍ୱାରା ୧ଲକ୍ଷ ୧୨ହଜାର ହେକ୍ଟର ଜମି ଜଳସେଚିତ ହେବ । ସେହିପରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ୨ ହଜାର ୩୩୮ କୋଟି ବିନିମୟରେ ଏହି ୨ଟି ପ୍ରକଳ୍ପ ଦ୍ୱାରା ୪୭ହଜାର ହେକ୍ଟର ଜମି ଜଳସେଚିତ ହେବ । ଫଳେରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଚାଷୀ ଉପକୃତ ହେବେ ।

ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କିମି ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡାଯାଇଛି । ଏହାଦ୍ୱାରା କେନ୍ଦୁଝରର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨ ହଜାର ୨୨୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ଏହା ସହିତ ବାଲେଶ୍ୱର ଜିଲ୍ଲାର ୭ଟି ବ୍ଲକରେ ୫୬ ହଜାର ୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ । ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦ହଜାର ହେକ୍ଟର ଜମିକୁ ମଧ୍ୟ ଜଳସେଚନର ସୁବିଧା ଦିଆଯିବ । ସମୁଦାୟ ୧ ଲକ୍ଷ ୦୮ ହଜାର ୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ ।



ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଏକ ଅଂଶ । ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଜରିଆରେ ୬୨ ହଜାର ୪୮୦ ହେକ୍ଟର ଜଳସେଚନର ସୁବିଧା ଦିଆଯାଇଛି । ହଳଦିଆ ଡ୍ୟାମ ଦ୍ୱାରା ଆଉ ୫ହଜାର ୫୨୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୩୯ ହଜାର ୬୯୪ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ । ସେହିପରି ମୟୂରଭଞ୍ଜ ଜିଲ୍ଲାର ଅଂଳାବଣୀ ଗ୍ରାମ ନିକଟରେ ଖଇରି ଭଣ୍ଡନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରାଯିବ । ଏହାଦ୍ୱାରା ୩ଟି ବ୍ଲକର ୬ହଜାର ୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ୩୫ହଜାର ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିପାରିବ ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ


ଆୟୋଜିତ କାର୍ଯ୍ୟକ୍ରମରେ ମୟୁରଭଞ୍ଜରେ ଉପସ୍ଥିତ ଥିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସଂଯୋଜନା କରି କହିଛନ୍ତି । ଆନନ୍ଦପୁରରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଉପସ୍ଥିତ ଥିଲେ । 5T ଅଧ୍ୟକ୍ଷ ଗତ ଅଗଷ୍ଟ 11 ତାରିଖରେ ଯଶିପୁର ଗସ୍ତରେ ଯାଇଥିଲେ । ସ୍ଥାନୀୟ ଚାଷୀ ମାନେ ଖଇରୀ ଭଣ୍ଡନ ବ୍ୟାରେଜ ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ୪ ମାସ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ । ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.