ETV Bharat / state

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ବ, ଅଣ୍ଡାଦାନ ପାଇଁ ବନ୍ଦ ହେବ କ୍ଷେପଣାସ୍ତ୍ର ପରୀକ୍ଷା

author img

By ETV Bharat Odisha Team

Published : Dec 9, 2023, 12:45 PM IST

Updated : Dec 9, 2023, 1:06 PM IST

ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ
ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ

Missile Testing Paused: ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷା । ଅଧିକ ପଢନ୍ତୁ

ଭୁବନେଶ୍ବର: ଗଣ ଅଣ୍ଡାଦାନ ପାଇଁ ରାଜ୍ୟର ପ୍ରମୁଖ ବେଳାଭୂମି ଗୁଡିକରେ ଅଲିଭ ରିଡଲେ କଇଁଛଙ୍କ ଆଗମନ ହେଲାଣି । ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କ ଅଣ୍ଡାଦାନ ସମୟ । ତେଣୁ ଏହି ବିରଳ ଅଲିଭ ରିଡଲେଙ୍କ ପ୍ରଜନନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ କରାଯିବ । ଓଡ଼ିଶା ଉପକୂଳବର୍ତ୍ତୀ ହ୍ବିଲର ଦ୍ବୀପରେ DRDO ଆସନ୍ତା ଜାନୁଆରୀରୁ ଡିସେମ୍ବର ଯାଏଁ ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଶୁକ୍ରବାର ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଛି ।

ଓଡ଼ିଶାରେ ଅଲିଭ ରିଡଲେଙ୍କ ପ୍ରମୁଖ ଅଣ୍ଡାଦାନ ସ୍ଥାନ ଗୁଡିକ ହ୍ବିଲର ଦୀପ ନିକଟରେ ରହିଛି । କ୍ଷେପଣାସ୍ତ୍ର ପରୀକ୍ଷା ସମୟରେ ଏହାର ପ୍ରଚଣ୍ଡ ଶବ୍ଦ ଏବଂ ଲାଇଟ୍ ଦ୍ବାରା ସେମାନଙ୍କର ଅଣ୍ଡାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି । ଯେପରି ଭାବରେ ଏହ ବିରଳ କଇଁଛ ଓ ସେମାନଙ୍କ ଅଣ୍ଡା ପ୍ରତି କୌଣସି ଅସୁବିଧା ନରୁହେ ସେହି ଦୃଷ୍ଟିରୁ ଅଣ୍ଡାଦାନ ସମୟ ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ବଢ଼ିବ ଇଞ୍ଜିନିୟରଙ୍କ ଦକ୍ଷତା; ଜଳ ସମ୍ପଦ ବିଭାଗ ଓ ରୁର୍କି ଆଇଆଇଟି ମଧ୍ୟରେ ଏମ୍‌ଓୟୁ

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଣ୍ଡାଦାନ ସମୟ ପୂର୍ବରୁ ଅଲିଭ ରିଡ଼ଲେ ସମୁଦ୍ରକୂଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲାର ଡଗରା ଚଉମୁଖ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେ ପ୍ରଥମ ବସା ବାନ୍ଧିବା ଆରମ୍ଭ କଲେଣି । ଅକ୍ଟୋବର ଶେଷ ତାରିଖ ଦିନ ଗୋଟିଏ ଅଲିଭରିଡ଼ଲେ ଆସି ୧୦୬ଟି ଅଣ୍ଡାଦାନ କରିଥିବା ଜଣାପଡିଛି । କଇଁଛ ଓ ସେମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ବନଖଣ୍ଡ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି । କର୍ମଚାରୀମାନେ ସେଠାରେ ରହି ଜଗିଛନ୍ତି । ଆସନ୍ତା ମେ' ମାସ ପର୍ଯ୍ୟନ୍ତ ଏହି କଇଁଛଙ୍କ ମନିଟରିଂ କରାଯିବ ।

ଶିକାରୀମାନେ ଛୋଟ କଇଁଛମାନଙ୍କୁ ଖାଦ୍ୟ ଏବଂ ତେଲ ପାଇଁ ଶିକାର କରିଥାନ୍ତି । ସେମାନଙ୍କ ଅଣ୍ଡା ଏବଂ କାତି ସାର ଭାବରେ ବ୍ୟବହୃତ ହୋଇଥାଏ । କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ନିକଟରେ କଇଁଛ ବସା ବାନ୍ଧିବା ସ୍ଥାନ ରହିଛି । ପାଖାପାଖି 6.6 ଲକ୍ଷ ସମୁଦ୍ର କଇଁଛ ନିଜ ବସା ବାନ୍ଧିଥାନ୍ତି । ଅଣ୍ଡାଦାନ ପାଇଁ ଅଲିଭ ରିଡଲେଙ୍କ ଆଗମନ ହେଉଥିବା ବେଳେ ଏହାକୁ ନଜରରେ ରଖି ପୂର୍ବରୁ ରାଜ୍ୟ ସରକାର ନଭେମ୍ବର ପହିଲାରୁ ମେ' ଶେଷ ପର୍ଯ୍ୟନ୍ତ ଉପକୂଳର ସେହି ଭାଗରେ ମାଛ ଧରିବା ନିଷିଦ୍ଧ ଘୋଷଣା କରିଛନ୍ତି । ଏଥିପାଇଁ ସାମୁଦ୍ରିକ ପୋଲିସ ଜଙ୍ଗଲ ବିଭାଗ ସହିତ ମିଳିତ ଭାବରେ ପାଟ୍ରୋଲିଂ କାର୍ଯ୍ୟ କରୁଛନ୍ତି ।

ପ୍ରତିବର୍ଷ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅଲିଭ ରିଡ଼ଲେଙ୍କ ଆଗମନ ହୋଇଥାଏ । ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ରେଞ୍ଜର ଚଉମୁଖ, ହସକରା, ପରିଖି ବେଳାଭୂମି ଏବଂ ଜଳେଶ୍ବର ରେଞ୍ଜର ଏନଏମ ପଡିଆ, ତାଳସାରି ଓ କୀର୍ତ୍ତନିଆ ବେଳାଭୂମିକୁ ପ୍ରତିବର୍ଷ ଅଲିଭ ରିଡ଼ଲେ ଅଣ୍ଡା ଦେବାକୁ ଆସନ୍ତି । ବିଶେଷକରି ଚଉମୁଖ, ଡଗରା, ତାଳସାରି ଓ ମୂରଲୀଛଡା ବେଳାଭୂମିକୁ ଅଧିକ ସଂଖ୍ୟାରେ ଅଲିଭରିଡ଼ଲେ କଇଁଛଙ୍କ ଆଗମନ ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 9, 2023, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.