ETV Bharat / state

ସିଡିପିଓଙ୍କ କାର୍ଯ୍ୟାଳୟରେ ରାତି ତମାମ ଧାରଣା

author img

By

Published : Jul 13, 2023, 1:38 PM IST

ସିଡିପିଓଙ୍କ କାର୍ଯ୍ୟାଳୟରେ ରାତି ତମାମ ଧାରଣା
ସିଡିପିଓଙ୍କ କାର୍ଯ୍ୟାଳୟରେ ରାତି ତମାମ ଧାରଣା

ଅଙ୍ଗନବାଡି କର୍ମଚାରୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ସିଡିପିଓଙ୍କ କାର୍ଯ୍ୟାଳୟରେ ରାତି ତମାମ ଧାରଣା । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଅଙ୍ଗନବାଡି କର୍ମଚାରୀ ନିଯୁକ୍ତିରେ ଅନିୟମିତତା ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନଶନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ମହିଳା ଓ ଶିଶୁକଲ୍ୟାଣ ଅଧିକାରୀଙ୍କ(ସିଡିପିଓ ) କାର୍ଯ୍ୟାଳୟ ଆଗରେ ସାଲତରା ଗ୍ରାମର ଜୟନ୍ତ ତ୍ରିପାଠୀ ନାମକ ବ୍ୟକ୍ତି ଆମରଣ ଅନଶନ କରିଛନ୍ତି । ଗତକାଲି(ବୁଧବାର) ଦିନ ୧୧ଟାରୁ ସେ ନିଜର ଅନଶନ ଜାରି ରଖିଛନ୍ତି । ତାଙ୍କ ଗ୍ରାମରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, ବୋଲଗଡ଼ ବ୍ଳକ ଗେଡିଆପଲ୍ଲୀ ଅନ୍ତର୍ଗତ ସାଲତରା ଗ୍ରାମରେ ଖାଲି ପଡିଥିବା ଅଙ୍ଗନବାଡି କର୍ମଚାରୀ ପଦବୀ ପାଇଁ ଅନଲାଇନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦରଖାସ୍ତ ଆବେଦନ ଶେଷ ତାରିଖ ଜୁଲାଇ ୧ ତାରିଖ ରଖାଯାଇଥିଲା । ୨ ତାରିଖରେ ଆବେଦନକାରୀମାନଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ଘୋଷଣା କରାଯାଇଥିଲା । ୨ ତାରିଖ ଦିନ ଦରଖାସ୍ତକାରୀମାନେ ନିଜ ନିଜର ପ୍ରମାଣପତ୍ର ଯାଞ୍ଚ କରାଇବା ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ହେଲେ ଯାଞ୍ଚ କରାନଯିବାରୁ ନିରାଶରେ ନିଜ ନିଜର ଘରକୁ ଫେରିଥିଲେ । ଏହାର ପରଦିନ ପୁଣିଥରେ ଆବେଦନ କରିବା ପାଇଁ ନୋଟିସ୍ ଆସିଥିଲା । ତେବେ କାହିଁକି ପ୍ରମାଣପତ୍ର ଯାଞ୍ଚ କରାନଗଲା ବୋଲି ଆବେଦନକାରୀ ମହିଳା ଓ ଶିଶୁକଲ୍ୟାଣ ଅଧିକାରୀଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।

ଏହାମଧ୍ୟ ପଢନ୍ତୁ: ବୋଲଗଡ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଏହା ବିରୋଧରେ ସାଲତରା ଗ୍ରାମର ଜୟନ୍ତ ତ୍ରିପାଠୀ ବୁଧବାର ଦିନ ବୋଲଗଡ଼ସ୍ଥିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି । ସେ ନିଜର ଅନଶନ ସମ୍ପର୍କରେ ଗତ ୪ ତାରିଖ ଦିନ ବିଡିଓ, ଥାନା ଅଧିକାରୀ, ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ବୋଲି କହିଛନ୍ତି । ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କର ପ୍ରମାଣପତ୍ର ଯାଞ୍ଚ କରାଯାଇ ତୁରନ୍ତ ତାଙ୍କ ଗ୍ରାମରେ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ।

ଅନଶନକାରୀ ଜୟନ୍ତଙ୍କୁ ସମର୍ଥନ ଜଣାଇ ବ୍ଳକ ନବନିର୍ମାଣ କୃଷକ ସଂଗଠନର ସୁରେଶ ଚନ୍ଦ୍ର ମାନସିଂହ, କାହ୍ନୁଚରଣ ବେହେରା ଓ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ତଳେ ଆମରଣ ଅନଶନ କରିଥିବା ଦେଖିବାକୁ ମିଳିଛି । ଜୟନ୍ତ ତ୍ରିପାଠୀ ସିଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ରାତି ତମାମ ଧାରଣା ଦେଇଛନ୍ତି । ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେ କହିଥିବା ବେଳେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.