ETV Bharat / state

ବୋଲଗଡ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ

author img

By

Published : Jul 13, 2023, 10:09 AM IST

ବୋଲଗଡ ତହସିଲ ଓ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Bolgarh Sub Registrar office
Bolgarh Sub Registrar office

ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଖୋର୍ଦ୍ଧା: ବୋଲଗଡ ତହସିଲ ଓ ସବ ରେଜିଷ୍ଟାର କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ହୋଇଛି । କିଛି ମାସ ପୂର୍ବେ ବୋଲଗଡ଼ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜମିବାଡ଼ି ରେଜିଷ୍ଟ୍ରିର କେଳାଙ୍କାରୀ ମନରୁ ଲିଭିନଥିବା ବେଳେ ଏବେ ପୁଣି ଆଉ ଏକ ଜାଲିଆତି ଘଟଣା ସାମ୍ନାକୁ ଆସିଛି । ବାପା ମାଆଙ୍କ ଉତ୍ତରାଧିକାରୀ ପ୍ରମାଣ ପତ୍ରରୁ ଦୁଇ ଭଉଣୀଙ୍କ ନାମ କାଟି ଚାରି ପୁଅ କୋଟିଏ ଟଙ୍କାର ଜମି ବିକ୍ରି କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ତାଇଲୋ ଗ୍ରାମର ବାସିନ୍ଦା ଥିଲେ ପୂର୍ଣ୍ଣ ଚନ୍ଦ୍ର ଶତପଥୀ । ତାଙ୍କର 4 ପୁତ୍ର ଓ ଦୁଇ ଝିଅ ଅଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ଚାରି ପୁଅ ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରରେ ରହୁଛନ୍ତି । ଏହାରି ଭିତରେ ପୁର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ରାଉରକେଲା ସ୍ଥିତ ବାସନ୍ତୀ କଲୋନୀରେ ହୋଇଥିଲା । ମୁତ୍ୟୁ ପରେ ତାଙ୍କର ୪ପୁତ୍ର ଦୁଇ ଝିଅଙ୍କ ନାମକୁ ବାଦ ଦେଇ ଚଞ୍ଚକତା କରି ରାଉରକେଲା ତହସିଲ କାର୍ଯ୍ୟାଳୟରୁ ଉତ୍ତରାଧିକାରୀ ପ୍ରମାଣ ପତ୍ର ହାସଲ କରିଥିଲେ । ସେହି ପ୍ରମାଣପତ୍ର ମାଧ୍ୟମରେ ବୋଲଗଡ଼ ତହସିଲ ଅଧିନ କନ୍ତାଇଲୋ ଗ୍ରାମରେ ଥିବା ପୈତୃକ ସମ୍ପତ୍ତିକୁ ଅନ୍ୟକୁ ବିକ୍ରି କରି ଦେଇଥିବା ସଙ୍ଗିନ ଅଭିଯୋଗ କରି ବୋଲଗଡ଼ ତହସିଲଦାରଙ୍କ ଦ୍ୱାରସ୍ତ ହୋଇଛନ୍ତି ମୃତ ପୁର୍ଣ୍ଣଚନ୍ଦ୍ରଙ୍କ ବଡ ଜ୍ବାଇଁ ଅମୁଲ୍ୟ ତ୍ରିପାଠୀ ।

ଏହା ମଧ୍ୟ ପଢନ୍ତୁ- ସିଏମ୍‌ସିରେ ଚାଲିଛି ବଡ଼ ଦୁର୍ନୀତି ! ମେୟରଙ୍କୁ ଟାର୍ଗେଟ୍‌ କରି ବର୍ଷିଲେ ମୋକିମ

ଅମୁଲ୍ୟ ଉତ୍ତରାଧିକାରୀ ପ୍ରମାଣପତ୍ରରେ ହୋଇଥିବା ଚଞ୍ଚକତା ସମ୍ପର୍କରେ ସବ୍‌ରେଜିଷ୍ଟ୍ରାର ଦାୟିତ୍ଵରେ ଥିବା ତହସିଲଦାର ସନ୍ତୋଷିନୀ ଦାଶଙ୍କୁ ଅବଗତ କରିଥିଲେ । ଏନେଇ ଘଟଣାର ତଦନ୍ତ କରି ଏହା ଚଞ୍ଚକତା କରାଯାଇଛି ଏବଂ ଜମି କିଣାବିକା ହୋଇପାରିବ ନାହିଁ ବୋଲି କହିଥିଲେ ତହସିଲଦାର ସନ୍ତୋଷିନୀ ଦାଶ । କିନ୍ତୁ ଗତ 5 ତାରିଖରେ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ରରେ ପ୍ରାୟ ଏକ କୋଟି ଟଙ୍କାର ଜମି କିଣାବିକା ହୋଇଥିଲା । ଏହା କିପରି ହେଲା ଏବଂ ଏଥିରେ ଲକ୍ଷାଧିକ ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ତେଣୁ ଏ ସମ୍ପର୍କରେ ବୋଲଗଡ଼ ତହସିଲଦାର ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଅଭିଯୋଗ କରିଛନ୍ତି । ଏଥିସହ ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ରରେ ହୋଇଥିବା ଜମି ବିକ୍ରି ଦଲିଲକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ଅମୁଲ୍ୟ ଏବଂ ତାଙ୍କ ଓକିଲ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.