ETV Bharat / state

ଦୀପାବଳି ଗାଇଡଲାଇନ: ଉଚ୍ଚ ଶବ୍ଦ ବାଣକୁ ନା, ରାତି 10ଟା ଭିତରେ ସରିବ ବାଣ ଫୁଟା !

author img

By ETV Bharat Odisha Team

Published : Nov 10, 2023, 7:53 PM IST

Etv Bharat
Etv Bharat

ଦୀପାବଳି ପାଇଁ ପୋଲିସ କମିଶନର ଓ ଅଗ୍ନିଶମ ବିଭାଗର ଗାଇଡଲାଇନ । ଅଧିକ ପଢନ୍ତୁ

ଦୀପାବଳି ଗାଇଡଲାଇନ

ଭୁବନେଶ୍ବର: ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ବାଣ ଫୁଟାକୁ ନେଇ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଶବ୍ଦ ବାଣ ପରିବର୍ତ୍ତେ ସବୁଜ ବାଣ ଫୁଟାଇବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାକୁ ପାଳନ କରିବା ପାଇଁ ଟ୍ବିନ ସିଟି ପୋଲିସ କମିଶନର ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଦୀପାବଳିରେ ଅଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, ଏନେଇ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ଜାରି କରିବ ପରିବେଶ ବିଭାଗ । ହେଲେ ଏହା ପୂର୍ବରୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଜନସାଧାରଣକୁ ଅପିଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିୟମକୁ ପାଳନ କରିବା ପାଇଁ କହିଛନ୍ତି ପୋଲିସ କମିଶନର ।

ଏହାମଧ୍ୟ ପଢନ୍ତୁ..ରାଜଧାନୀରେ ଦୀପାବଳି ପାଇଁ BMCର ପ୍ରସ୍ତୁତି, ମିିଠାର ଗୁଣବତ୍ତା ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ

ସେ କହିଛନ୍ତି,"ଉଚ୍ଚ ଶବ୍ଦକାରୀ ବାଣ ଫୁଟାନ୍ତୁ ନାହିଁ । ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣ ଦୃଷ୍ଟିରୁ ଏଭଳି ନିୟମ ମାନନ୍ତୁ । ପର୍ବପର୍ବାଣୀ ଦିନରେ‌ କିପରି ସଚେତନ ରହିବେ ସେ ଦିଗରେ ଧ୍ୟାନ ଦିଅନ୍ତୁ । ସୁପ୍ରିମକୋର୍ଟ ଜାରି କରିଥିବା ନିୟମ କିପରି କାର୍ଯ୍ୟକାରୀ କିପରି ସେ ଦିଗରେ ଧ୍ୟାନ ଦିଆଯାଉଛି । ଏନେଇ ଜନସାଧାରଣ ସହାୟତା କରିବା ସହ ନିଜେ ଗାଇଡଲାଇନ ମାନିବା ଦରକାର ।"

ସେ ଆଉ ମଧ୍ୟ କହିଛନ୍ତି,"ନିୟମ ପାଳନ ନେଇ ସମସ୍ତ ଥାନା ଅଞ୍ଚଳର ବାଣ ଦୋକାନ ଉପରେ ନଜର ରହିଛି । ଏଥିପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି । ସ୍କ୍ବାଡ ଗଠନ କରାଯାଇ ଚେକିଂ ଜୋରଦାର କରାଯାଉଛି । ୧୦୦ ଡିସିମିଲରୁ ଅଧିକ ଉଚ୍ଚର ବାଣ ଉପରେ ନଜର ରହିଛି । ବିଭିନ୍ନ ଗାଇଡଲାଇନ ଅଛି ସେସବୁ ପରିବେଶ ଅଧିକାରୀ ଗାଇଡ କରିବେ ।" ଏଥିସହ ରାତି ୧୦ ଭିତରେ ବାଣ ଫୁଟାଇବା ଶେଷ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର ।

ଏହାମଧ୍ୟ ପଢନ୍ତୁ..Diwali 2023: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, ରାଜଧାନୀରେ ଜମୁଛି ଦୀପ ବଜାର

ଅନ୍ୟପଟେ ଦୀପାବଳିରେ ବାଣ ଫୁଟାଇବା ନେଇ ଅଗ୍ନିଶମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଅଗ୍ନିଶମ ବିଭାଗ ଗାଇଡଲାଇନ ଅନୁଯାୟୀ," ସରକାରୀ ସ୍ଵୀକୃତି ପ୍ରାପ୍ତ ବାଣ ଦୋକାନରୁ ବାଣ କିଣନ୍ତୁ । ବାଣ ଫୁଟାଇବା ବେଳେ କେହି ବଡ଼ ଲୋକଙ୍କ ଉପସ୍ଥିତିରେ ଫୁଟାନ୍ତୁ । ସିଧାସଳଖ ହାତରେ ନ ଫୁଟାଇ ସୁରକ୍ଷା ଅବଲମ୍ବନ କରନ୍ତୁ । ବାଣ ଫୁଟାଇବା ବେଳେ ପାଖରେ ଅଘଟଣ ଏଡାଇବାକୁ ବାଲି,ପାଣି ବା କମ୍ବଳ ରଖନ୍ତୁ । ଗୃହପାଳିତ ପଶୁ ବା କୌଣସି ପ୍ରାଣୀଙ୍କଠାରୁ ଦୁରେଇ ରହି ବାଣ ଫୁଟାନ୍ତୁ । ଖୋଲା ଜାଗାରେ ଓ ସୁତା କପଡା ପିନ୍ଧି ବାଣ ଫୁଟାନ୍ତୁ । କୌଣସି ଡବା ବା କାଚ ବା କୌଣସି ଜିନିଷ ଭିତରେ‌ ରଖି ବାଣ ଫୁଟାନ୍ତୁ ନାହିଁ । ତଳେ ରଖି ବାଣ ଫୁଟାନ୍ତୁ । ଦୂରତା ବଜାୟ ରଖନ୍ତୁ । ହାତରେ ନଫୁଟାଇ ଝୁରୁଝୁରି ଜରିଆରେ ଫୁଟାନ୍ତୁ । ଅଫୁଟା ବାଣ ଆଉ ଥରେ ଫୁଟାଇବାକୁ ଚେଷ୍ଟା କରନ୍ତୁ ନାହିଁ କି ତାକୁ ସଜାଡିବାକୁ ଚେଷ୍ଟା କରନ୍ତୁ ନାହିଁ । ଅଫୁଟା ବାଣକୁ ପାଣିରେ ପକାଇ ଦିଅନ୍ତୁ । ଜନ ଗହଳି ସ୍ଥାନରେ ବା ଗାଡି ପାଖରେ ବା ଅବରୋଧ ଥିବା ସ୍ଥାନରେ‌ ବାଣ ଫୁଟାନ୍ତୁ ନାହିଁ । କୌଣସି ଘର‌ ବା ଝରକା ବା କବାଟକୁ ଲକ୍ଷ କରି ବାଣ ଫିଙ୍ଗନ୍ତୁ ନାହିଁ।"


ଏହାମଧ୍ୟ ପଢନ୍ତୁ..ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ

ସେହିପରି‌ ବାଣ ବିକ୍ରେତାଙ୍କ ପାଇଁ ଅସ୍ଥାୟୀ ବାଣ ବିକ୍ରେତାମାନେ ସରକାରୀ ନିୟମ ଅନୁସାରେ ବାଣ ବିକ୍ରି କରନ୍ତୁ । ବିକ୍ରି ସମୟରେ ଧୂମପାନ ଉପରେ ନଜର ରଖନ୍ତୁ । ଅଗ୍ନି ନିର୍ବାପକ ଯନ୍ତ୍ର ବା ଓଦା ବସ୍ତା,ପାଣି ଡ୍ରମ,ଶୁଖିଲା ବାଲି ରଖନ୍ତୁ । ଗାଡି ପାର୍କିଂ ଦୂରରେ କରନ୍ତୁ । ଅସ୍ଥାୟୀ ବାଣ ବିକ୍ରେତା ବିସ୍ଫୋରକ ବାଣ ବିକନ୍ତୁ ନାହିଁ । ସରକାରୀ ଅନୁମତିପ୍ରାପ୍ତ ହୋଲସେଲର ବାଣ ବିକ୍ରି କରନ୍ତୁ । ବାଣ ଦୋକାନ ପାଖରେ‌ ଦୀପ ବା ତେଲ ବିକ୍ରି କରନ୍ତୁ ନାହି । ବିଦ୍ୟୁତ ସଂଯୋଗ ବା ସ୍ଥାୟୀ ଲାଇଟ୍ ବ୍ୟବସ୍ଥା କରନ୍ତୁ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ୧୦ଫୁଟ ବା ୧୫୦ ଦୁରରେ ରଖି ବାଣ ବିକ୍ରି କରନ୍ତୁ । କୌଣସି ଦୋକାନ ୫୦ମିଟର ବ୍ୟବଧାନରେ ବାଣ ପ୍ରଦର୍ଶନ ନିଷେଧ। ଗୋଟିଏ ସ୍ଥାନରେ ବା ପରିସରରେ ୫୦ରୁ ଅଧିକ ଦୋକାନ ରହିବ ନାହିଁ । ସ୍ଥାୟୀ ଦୋକାନୀମାନେ ସରକାରୀ ନିୟମ ମାନି ବାଣ ବିକ୍ରି କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.