ETV Bharat / state

Mo Mati Mo Desha Campaign: ଆଜିଠୁ ଦିଲ୍ଲୀ ଅଭିମୁଖେ କଳସ ଯାତ୍ରା ଆରମ୍ଭ

author img

By ETV Bharat Odisha Team

Published : Oct 28, 2023, 8:16 AM IST

'ମୋ ମାଟି ମା ଦେଶ' ଅଭିଯାନକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ
'ମୋ ମାଟି ମା ଦେଶ' ଅଭିଯାନକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

କେନ୍ଦ୍ର ସରକାରଙ୍କ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ 'ମୋ ମାଟି ମୋ ଦେଶ' ଅଭିଯାନକୁ ସମର୍ଥନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ସମାପନ ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହାକୁ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ଆଜି (ଶନିବାର) ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ ।

'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଦିନ ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ସମାପନ ଦିବସ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ଏହାକୁ ସମର୍ଥନ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ମାଲକାନଗିରିରେ "ମୋ ମାଟି ମୋ ଦେଶ" ଅଭିଯାନ, କଳସ ଶୋଭାଯାତ୍ରାରେ ଯୋଗ ଦେଲେ ଶତାଧିକ

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି," ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ । ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଓଡିଶା ହେଉଛି ପୁଣ୍ୟ ଭୂମି। ଏ ମାଟିରେ ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବ ପାଇଁ ଅନେକ ବୀର ଶହୀଦ ହୋଇଛନ୍ତି । ସେହି ବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକ ମହତର କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଧନ୍ୟବାଦ । ଏହି ସମସ୍ତ ପୁଣ୍ୟ ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତ ଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ ହେବ । ଏହି ଅମୃତ ବାଟିକା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିବା ସହ ଆଗାମୀ ପୀଢିକୁ ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳୀଦାନର ମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇବ ।

ଏହାମଧ୍ୟ ପଢନ୍ତୁ..ସଂଗ୍ରହ ହେଲା ‘ମୋ ଦେଶ ମୋ ମାଟି’ କଳସ, ଅମୃତ ବାଟିକା ପାଇଁ ମାଟି ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପଞ୍ଚାୟତିରାଜ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, " ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ବୀର ସଂଗ୍ରାମୀମାନଙ୍କ ପ୍ରତି ସମ୍ମାନ ଜଣାଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସବୁ ପଞ୍ଚାୟତରେ ଜନସାଧାରଣ ସାମିଲ ହୋଇ ବୀର ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରି ସମ୍ମାନ ଜଣାଇଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.