ETV Bharat / state

ଗଠନ ହେଲା ‘ମୋ ଦଳ'; ଗଣିକା ତନ୍ତ୍ର ବଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟ

author img

By ETV Bharat Odisha Team

Published : Aug 25, 2023, 6:26 PM IST

Updated : Aug 25, 2023, 7:48 PM IST

ଗଠନ ହେଲା ‘ମୋ ଦଳ'; ଗଣିକା ତନ୍ତ୍ର ବଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟ
ଗଠନ ହେଲା ‘ମୋ ଦଳ'; ଗଣିକା ତନ୍ତ୍ର ବଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟ

ନବ ନିର୍ମାଣ କୃଷକ ସଂଗଠନ, ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ‘ମୋ ଦଳ' ବ୍ୟାନର ତଳେ ଏକଜୁଟ ହୋଇଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଏହି ଦଳରେ ନିଜକୁ ସାମିଲ କରାଇଛନ୍ତି । ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ‘ମୋ ଦଳ' ଗଠନ ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଗଣିକା ତନ୍ତ୍ର ବଦଳରେ ଗଣତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟ

ଭୁବନେଶ୍ବର: ଓଡିଶାର 80 ଭାଗ ଲୋକ ଚାଷ ଓ ଆନୁସାଙ୍ଗିକ ଚାଷ କ୍ଷେତ୍ର ଉପରେ ନିର୍ଭରଶୀଳ । ଶତପ୍ରତିଶତ ଲୋକ ଚାଷୀଙ୍କ ଉପରେ ନିର୍ଭର । କିନ୍ତୁ ରାଜ୍ୟର ଚାଷୀ ପଛୁଆ ଓ ଅଛୁଆଁ । ଏହି ଚାଷୀଙ୍କୁ ଭାଗ ଭାଗ କରି ନିଜର ରାଜନୈତିକ ଭାଗ୍ୟ ଚମକାଉଛନ୍ତି ବିଭିନ୍ନ ରାଜନୈତିକ ଦଳ । କିନ୍ତୁ ଚାଷୀଙ୍କୁ ପ୍ରାଇସ, ପେନସନ ଓ ପ୍ରେସଟିଜ କେହି ଦେଉନାହାଁନ୍ତି । ଚାଷୀ, ମହିଳା ଓ ଗରିବଙ୍କୁ ନ୍ୟାୟ ଦେବା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଏକ ନୂଆ ରାଜନୈତିକ ଦଳ । ଯାହାର ନାଁ ରହିଛି ‘ମୋ ଦଳ' ।

ନବ ନିର୍ମାଣ କୃଷକ ସଂଗଠନ, ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ‘ମୋ ଦଳ' ବ୍ୟାନର ତଳେ ଏକଜୁଟ ହୋଇଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଏହି ଦଳରେ ନିଜକୁ ସାମିଲ କରାଇଛନ୍ତି । ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ‘ମୋ ଦଳ' ଗଠନ ନେଇ ଘୋଷଣା କରିଛନ୍ତି । ‘ମୋ ଦଳ' ଆସନ୍ତା ନିର୍ବାଚନରେ ଭାଗ ନେବ । ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାର ସରକାରକୁ ‘ମୋ ଦଳ' ଗାଦିଚ୍ୟୁତ କରିବ ବୋଲି ଦଳରେ ସାମିଲ ବ୍ୟକ୍ତି କହିଛନ୍ତି । କାହାକୁ କେଉଁ ଦାୟିତ୍ବ , କିଏ କେଉଁଠି ପ୍ରାର୍ଥୀ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । 'ମୋ ଦଳ' ରାଜ୍ୟବାସୀଙ୍କୁ ଏକ ବିକଳ୍ପ ବ୍ୟବସ୍ଥା ଦେବ ବୋଲି କୁହାଯାଇଛି ।

ଏହାବି ପଢନ୍ତୁ- ନବ ନିର୍ମାଣ କୃଷକ ସଂଗଠନର ପ୍ରାୟଶ୍ଚିତ ସପ୍ତାହ, ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଦାବି

ମୋ ଦଳର ନେତା ଅକ୍ଷୟ କୁମାର କହିଛନ୍ତି ଯେ, ଚାଷୀ, ସାଧାରଣ ଗରିବ ଓ ଖଟି ଖିଆଙ୍କ ସ୍ବାର୍ଥ ଉଦ୍ଦେଶ୍ୟରେ ମୋ ଦଳ ଗଠନ ହୋଇଛି । ଚାଷୀଙ୍କ ପାଇଁ ପ୍ରାଇସ, ପ୍ରେସଟିଜ ଓ ପେନସନ କଥାକୁ ଗୁରୁତ୍ୱ ଦେବୁ । ରାଜ୍ୟକୁ ମଦ ବନ୍ୟାରୁ ମୁକ୍ତ କରିବୁ । ମଦ ଉତ୍ପାଦନ ଓ ବିକ୍ରୀ ବନ୍ଦ ହେବ । ନିଶା କାରବାର ସମାଜର ନୈତିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ନାରୀ ସମ୍ମାନ କଥା ରାଜ୍ୟ ସରକାର କହୁଛନ୍ତି । କିନ୍ତୁ କଥା ଓ କାମରେ ଯେ ବ୍ୟତିକ୍ରମ ରହିଛି, ତାହା ଇତିଶ୍ରୀ, ବେବିନା, ପରି, ମମିତା ଘଟଣାରୁ ପ୍ରମାଣ ହୋଇଛି । ରାଜ୍ୟରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚିଛି । ରାଜ୍ୟରେ ପ୍ରାୟ 60 ହଜାର କୋଟି ଟଙ୍କାର କୋଇଲା ଦୁର୍ନୀତି ହୋଇଥିବା ସାହା କମିଶନ ରିପୋର୍ଟ ଦେଲା । କୋଇଲା କ୍ବିଣ୍ଟାଲ ଦର କମାଇ ଏହି ଦୁର୍ନୀତି ପରିମାଣକୁ 20 ହଜାର କରିଦିଆଗଲା । ଟଙ୍କା ମିଳିମିଶି ସମସ୍ତେ ଖାଇଗଲେ । ଆସନ୍ତା ନିର୍ବାଚନରେ ଦଳ 147 ବିଧାନସଭା ଓ 21 ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଦେବ । କିଏ କେଉଁଠି ଓ କାହାର ଦାୟିତ୍ବ କଣ ରହିବ ତାହା ଆଗାମୀ ଦିନରେ ସ୍ପଷ୍ଟ କରିବୁ । କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହା ସ୍ଥିର କରାଯିବ ।

ମୋ ଦଳ ନେତା ଶେଷଦେବ ନନ୍ଦ କହିଛନ୍ତି ଯେ, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବେ କଂଗ୍ରେସ ଓ ବିଜେପି ଅଛନ୍ତି । କ୍ଷମତାରୁ ବିଜେଡିକୁ ଉପଡ଼ିବା ଲାଗି ଏମାନେ ରାଜନୈତିକ କାର୍ଯ୍ୟକ୍ରମ କରନ୍ତି ନାହିଁ । ବିଜେଡିକୁ ଉପାଡ଼ିବା ଲାଗି ଏବେଠାରୁ ପ୍ରଭାବୀ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହେବ । ମିଶନ ଶକ୍ତି ଓ ଅନ୍ୟନ୍ୟା ଯୋଜନା ରାଜ୍ୟ ସରକାରଙ୍କ ଫଲସ ଏଜେଣ୍ଡା । ଏହାକୁ ମୋ ଦଳ ଲୋକଲୋଚନକୁ ଆଣିବ । ମହିଳାଙ୍କୁ ସଶକ୍ତ କରିବା ନାଁରେ ଘରୁ ଆଣି ନାଚ ଗୀତରେ ମତେଇଛନ୍ତି । ଏହା ମହିଳାଙ୍କୁ ଅସମ୍ମାନ । ବିଜେଡ଼ି ଡକାୟତି ବିରୋଧୀରେ ଆମେ ଗ୍ରାଉଣ୍ଡକୁ ଯିବୁ । ଲୋକଙ୍କୁ ବୁଝେଇବୁ । ଯଦି ବିଜେଡି ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତ କରିଛି, ତେବେ ମାଇକ୍ରୋ ଫାଇନାନ୍ସ କାହିଁକି ପ୍ରତି ଗାଁ'ରେ ଋଣ ଜାଲ ବିଛେଇଛି । ଯଦି ରାଜ୍ୟରେ ଏତେ ନିଯୁକ୍ତି ମିଳିଛି, ତେବେ ଆମ ଲୋକ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି । ଯଦି ଶିକ୍ଷା ବ୍ୟବସ୍ଥା ସଫଳ ତେବେ ଏତେ ଘରୋଇ ସ୍କୁଲ କାହିଁକି ଖୋଲିଛି । ଆମ ପ୍ରଶ୍ନ ବାଣକୁ ବିଜେଡି ସାମ୍ନା କରିପାରିବ ନାହିଁ । ମିଛ କଥା କହିପାରିବେ ନାହିଁ । ଓଡିଶା ରାଜନୀତିରେ ଆଜିଠାରୁ ନୂଆ ଯୁଗ ଆରମ୍ଭ ହେଲା । ସୁଶାସନ, ନିଯୁକ୍ତି, ଶିକ୍ଷାକୁ ନେଇ ମୋ ଦଳର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବ । ନବୀନ ସରକାର ଫିକା ପଡିବେ । 24 ବର୍ଷ ଲୁଟ ତରାଜର କାହାଣୀ, ବେଆଇନ ଓ ବେଇମାନର କାହାଣୀ ଆମେ ଲୋକଙ୍କ ଆଗରେ ଉପସ୍ଥାପନ କରିବୁ । ଆଗାମୀ ଦିନରେ ବିଜେଡି ଦୟନୀୟ ଅବସ୍ଥା ଭୋଗିବ ।

ମୋ ଦଳ ନେତା ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ସାମାଜିକ କର୍ମକର୍ତ୍ତା ଭାବେ ଆମେ ଯେଉଁ ପ୍ରସଙ୍ଗ ନେଇ ଆନ୍ଦୋଳନ କରି ଆସୁଥିଲୁ, ସେହି ପ୍ରସଙ୍ଗ ନେଇ କାର୍ଯ୍ୟ କରିବୁ । କିନ୍ତୁ ରାଜନୈତିକ ଦଳର ବ୍ୟାନର ତଳେ ଏହା କରିବୁ । ଆମେ ଯେଉଁ ଯେଉଁ ପ୍ରସଙ୍ଗ ଉଠାଇଲୁ, ତାହାକୁ ବିରୋଧୀ ଦଳ ସମର୍ଥନ କଲେ ନାହିଁ । ବିରୋଧୀ ଦଳ ସରକାରଙ୍କ ସହ ମିଶି ରାଜ୍ୟ ଓ ରାଜ୍ୟବାସୀଙ୍କ କ୍ଷତି ପହଁଚାଇଲେ । ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି ଅତୀତରେ ଆମେ ଯେଉଁ ଲଢେଇ କରିଛୁ ତାହା ଏବେ ରାଜନୈତିକ ଦଳ ଭାବେ କରିବୁ । ଗଠନ ମୂଳକ ରାଜନୈତିକ ଦଳ ଭାବେ କାର୍ଯ୍ୟ କରିବୁ । ନବୀନ ସରକାର ଭ୍ରଷ୍ଟ କୁଶାସନ ବିରୋଧରେ ଲଢ଼ିବୁ । କ୍ଷମତାରୁ ତଡିବୁ ।

ମୋ ଦଳରେ ସାମିଲ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଚଳିତ ବର୍ଷ ବଜେଟ ହେଉଛି ପ୍ରାୟ 2 ଲକ୍ଷ 60 ହଜାର କୋଟି । ଏପିଏଲ ଓ ବିପିଏଲରେ ଥିବା ଲୋକଙ୍କୁ ସରକାର ସିଧାସଳଖ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ ସରକାର ତାହା କରୁନାହାନ୍ତି । ରାଜନୈତିକ ଦଳ ମାନେ ଗରିବୀ କମେଇବାକୁ ଚାହୁଁନାହାନ୍ତି । ଗରିବୀ କମିଗଲେ ସେମାନେ କାହାକୁ ନେଇ ରାଜନୀତି କରିବେ । ତେଣୁ ଗରିବୀ ବଞ୍ଚି ରହୁ ବୋଲି ସରକାର ଚାହୁଁଛନ୍ତି । ଗରିବୀ ହଟେଇବା ଲାଗି ସମୟ ଆସିଗଲାଣି । ସରକାରଙ୍କ ବଜେଟର 93 ହାଜର କୋଟି ଦରମା ଓ ଯୋଜନା ବାବଦରେ ଅର୍ଥକୁ ଛାଡି ଦିଆଯାଉ । ପ୍ରାୟ 1 ଲକ୍ଷ 60 ହାଜର କୋଟି ବଳିବ । ସେଥରୁ 90 ହାଜର କୋଟି ଗରିବ ଓ ଅର୍ଥନୈତିକ ଭାବେ ତଳେ ଥିବା ଲୋକଙ୍କୁ ବାଣ୍ଟି ଦିଅ । ବଳକା 50 ହଜାର କୋଟିରେ ରାସ୍ତାଘାଟ, ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 25, 2023, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.