ETV Bharat / politics

ଗୋଟି ଚାଳନାରେ ସିଦ୍ଧହସ୍ତ ପରିବାରରୁ ଲୋକସଭା ପ୍ରାର୍ଥୀ, କାହା ମୁଣ୍ଡରେ ‘ଆସିକା ଆଶୀର୍ବାଦ’ - ASKA LOK SABHA CONSTITUENCY

author img

By ETV Bharat Odisha Team

Published : May 18, 2024, 5:23 PM IST

Updated : May 18, 2024, 5:39 PM IST

Aska Lok Sabha Constituency: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଥମ ଚଏସ୍ ଆସିକାରେ ଦ୍ବିତୀୟ ପର୍ଯ୍ୟାୟରେ ହେବ ମତଦାନ । କିଏ ଦଖଲ କରିବ ଆସିକା ଲୋକସଭା ଆସନ । ବିଜୟୀ ଧାରାକୁ ବିଜେଡି ବଜାୟୀ ରଖିବ ନା ବାଜି ମାରିବ ବିଜେପି ? କଣ କହୁଛି ଆସିକା ରାଜନୀତି ସମୀକରଣ । ପଢନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।

Aska Lok Sabha Election 2024
Aska Lok Sabha Election 2024 (ETV Bharat Odisha)

Aska Lok Sabha Election 2024 (ETV Bharat Odisha)

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ଚର୍ଚ୍ଚିତ ଲୋକସଭା ଆସନ ଆସିକା । ପ୍ରଥମେ ଉଭୟ ବିଜୁ ଏବଂ ନବୀନ ପଟ୍ଟନାୟକ ଏଠାରୁ ଜିତି ପାର୍ଲାମେଣ୍ଟ ଯାଇଥିବା ବେଳେ ଏବେ ମଧ୍ୟ ବଜେଡି ଧାରା ଜାରି ରହିଛି । ଚଳିତ ବର୍ଷ ମଧ୍ୟ ଗୋଟି ଚାଳନା ପାଇଁ ସିଦ୍ଧହସ୍ତ ପରିବାରରୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ଜିଲ୍ଲାର ସାତୋଟି ବିଧାନସଭା ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡା, ସାନଖେମୁଣ୍ଡି ଓ ହିଞ୍ଜିଳିକାଟୁ ବିଧାନସଭା ନେଇ ଗଠିତ ହୋଇଥିବା ଏହି ସଂସଦୀୟ କ୍ଷେତ୍ରରେ ଚଳିତ ନିର୍ବାଚନକୁ ନେଇ ଲାଗି ରହିଛି ନାନା କଳ୍ପନା ଜଳ୍ପନା । ଏହି ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ରହିଥିବା ବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସିଥାଏ ଏହି ସଂସଦୀୟ କ୍ଷେତ୍ର । ହେଲେ ଚଳିତବର୍ଷ ଏଠାରୁ ବିଜେଡି ଦଳରୁ ପ୍ରାର୍ଥୀ କରାଯାଇଛି କୋଦଳା ଅଞ୍ଚଳର ବରିଷ୍ଠ ବିଜେଡି ନେତା ହର ସାହୁଙ୍କ କନ୍ୟା ରଞ୍ଜିତା ସାହୁ । ସେପଟେ ବିଜେପି ଦଳରୁ ପୁଣି ଥରେ ଗଞ୍ଜାମର ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ଏକଦା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସୁଥିବା ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ଅନୀତା ଶୁଭଦର୍ଶନୀ । ଅନ୍ୟପଟେ କଂଗ୍ରେସ ଦଳରୁ ଏଥର ଜଣେ ଯୁବ ପ୍ରତିଭା ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି । ରାଜ୍ୟର ପ୍ରମୁଖ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଚଳିତଥର ମୋଟ ୭ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମଇଦାନରେ ରହିଛନ୍ତି ।

Aska Lok Sabha candidate
Aska Lok Sabha candidate (ETV Bharat Odisha)

ଘନ ଘନ ଗସ୍ତ କରି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ: ଚଳିତଥର ଏଠାରେ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟର ମତଦାନ ସମୟରେ ନିର୍ବାଚନ ହେଉଥିବାରୁ ତିନି ପ୍ରମୁଖ ଦଳର ପ୍ରଚାର ଯୋରଦାର ରହିଛି । ବିଜେପି ଦଳ ପକ୍ଷରୁ ମୋଦିଙ୍କ ଅବକି ବାର ଚାରି ଶହ ପାର ନାରା ଦେଇ ଏହି ଆସନକୁ ଅକ୍ତିଆର କରିବାକୁ କ୍ରମାଗତ ଭାବରେ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଗସ୍ତ କରିଥିଲେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସମେତ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଆସି ମାରାଥନ ପ୍ରଚାର କରିଥିଲେ ।

Aska Lok Sabha Election result
Aska Lok Sabha Election result (ETV Bharat Odisha)

ନବୀନ ସହ ମିଶି ପ୍ରଚାର କରିଥିଲେ ପାଣ୍ଡିଆନ: ଭାଜପାର କେନ୍ଦ୍ର ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ମଧ୍ୟରେ ଶାସକ ବିଜେଡି ଦଳ ମଧ୍ୟ ପଛରେ ପଡିନାହିଁ । ଏଠାରେ ପୂର୍ବରୁ ଅକ୍ତିଆର କରିଥିବା ଆସନକୁ ଯେଣେତେଣେ ପ୍ରକାରେ ପୁଣି ହାସଲ କରିବେ ତାହାକୁ ନେଇ ମାରାଥନ୍ ଶୋଭାଯାତ୍ରା ଠାରୁ ଆରମ୍ଭ କରି ଦଳର ଷ୍ଟାର କ୍ୟାମ୍ପେନର ଭାବରେ ମୁଖ୍ୟମନ୍ତ୍ରୀ ଏବଂ ୨ୟ ଷ୍ଟାର କ୍ୟାମ୍ପେନର୍ ଭିକେ ପାଣ୍ଡିଆନ ମାରାଥନ ପ୍ରଚାର କରିଥିଲେ । ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ଜନମଙ୍ଗଳକାରୀ ଯୋଜନାକୁ ମୁଦ୍ଦା କରିଥିଲା ବିଜେଡି । ସବୁ ସ୍ଥାନରେ ଆପଣ ମାନେ ଖୁସି ତ ? ବୋଲି ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରାତନ ଗଡକୁ ହାତେଇବା ପାଇଁ କଂଗ୍ରେସର କସରତ: ଶାସକ ଦଳ ବିଜେଡି ଏବଂ ବିଜେପିର ଘନ ଧନ ପ୍ରଚାର ମଧ୍ୟରେ ମଧ୍ୟ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଥିଲା କଂଗ୍ରେସ । କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ନିଜର ପୁରାତନ ଗଡରେ ଜାରି ରଖିଥିଲେ କସରତ । ସେପଟେ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ଦଳୀୟ ପ୍ରାର୍ଥୀ ମାନେ ମଧ୍ୟ ନିଜ ସପକ୍ଷରେ ଶକ୍ତି ଯୋଗାଡ କରିବାରେ ନିର୍ବାଚନ ରଣାଙ୍ଗନାରେ ଜାରି ରଖିଥିଲେ ଉଦ୍ୟମ ।

ରାଜନୀତି ସମୀକ୍ଷକଙ୍କ ମତ: ଏନେଇ ରାଜନୀତି ସମୀକ୍ଷକ ସନ୍ତୋଷ ପାଣିଗ୍ରାହୀ କହିଛନ୍ତି, ରାଜ୍ୟର ଅନ୍ୟ ଲୋକସଭା ଆସନର ଜିଲ୍ଲାର କେନ୍ଦ୍ର ବିନ୍ଦୁ କିମ୍ୱା ସଦର ମହକୁମ୍ମାରେ ରହିଥାଏ ହେଲେ ଆସିକା ଲୋକସଭା କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ପୂର୍ବରୁ ଯେଉଁମାନେ ସଂସଦକୁ ଯାଉଥିଲେ ସେହି ସମୟରେ ବିତର୍କରେ ଭାଗ ନେଉଥିଲେ । ହେଲେ ତାହା ବର୍ତ୍ତମାନ ତାହା ବ୍ୟତିକ୍ରମ ଦେଖିବାକୁ ମିଳୁଛି । ହେଲେ ଚଳିତଥର ଏଠାରେ ବିଜେଡିର ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ସହିତ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶନୀଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ରହିଥିବା ବେଳେ ସେପଟେ କଂଗ୍ରେସ ନିଜର ପୁରାତନ ଗଡରୁ କେତେ ଭୋଟ ନେଇପାରୁଛି ତାହା ଉପରେ ରହିଛି ସମସ୍ତଙ୍କର ନଜର ।

Aska Lok Sabha Election result
Aska Lok Sabha Election result (ETV Bharat Odisha)

ଆସିକାରେ 2009 ନିର୍ବାଚନ ଫଳାଫଳ: ଯଦି ପୂର୍ବ ନିର୍ବାଚନ କଥା ଦେଖିବା ତେବେ 2009 ମସିହାରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ପ୍ରଧାନ 4,19,862 ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥଙ୍କୁ ହରାଇଥିଲେ । ସେ 1,87,028 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥୀ ଶାନ୍ତି ଦେବୀ ମାତ୍ର 42,165 ଭୋଟ ପାଇଥିଲେ ।

Aska Lok Sabha Election result
Aska Lok Sabha Election result (ETV Bharat Odisha)



2014 ନିର୍ବାଚନ ଫଳାଫଳ: ଏହି ନିର୍ବାଚନ ମଧ୍ୟ ବିଜୟୀ ଧାରାକୁ ବଜାୟୀ ରଖିଥିଲା ବିଜେଡି । ଶାସକ ଦଳର ପ୍ରାର୍ଥୀ ଲଡୁ କିଶୋର ସ୍ୱାଇଁ 5,41,473 ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥ 2,29,476 ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପିର ମହେଶ ଚନ୍ଦ୍ର ମହାନ୍ତି 67361 ଭୋଟ ପାଇଥିଲେ ।

Aska Lok Sabha Election result
Aska Lok Sabha Election result (ETV Bharat Odisha)

ଗତ 2019 ନିର୍ବାଚନ ଫଳାଫଳ: ତେବେ 2019 ମସିହାରେ ପ୍ରାର୍ଥୀ ଚୟନରେ ହଟକେ କରିଥିଲା ବିଜେଡି । ଚର୍ଚ୍ଚାରେ ରହି ଆସୁଥିବା ପ୍ରମିଳା ବିଷୋୟୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ସେ 552749 ଭୋଟ ପାଇ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ହରାଇ ବିଜୟୀ ହୋଇଥିଲେ । ଅନିତା 3,48,042 ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ 1,42,632 ଖଣ୍ଡ ଭୋଟ ପାଇଥିଲେ ।

Aska Lok Sabha Election result
Aska Lok Sabha Election result (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: କିଏ ଦଖଲ କରିବ ବ୍ରହ୍ମପୁର, ମୋଦିଙ୍କ ଅବକି ବାର ୪୦୦ ପାର୍ ନା 5ଟି ନବୀନ ଗ୍ୟାରେଣ୍ଟି - BERHAMPUR LOK SABHA CONSTITUENCY

ଆସିକା ଆସନର ଇତିହାସ: ଦେଶର ତୃତୀୟ ଲୋକସଭା ନିର୍ବାଚନ ସମୟରେ ପ୍ରଥମେ ଭଞ୍ଜନଗର ଲୋକସଭା ଆସନ ରହିଥିବା ବେଳେ ୧୯୬୨ ମସିହାରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସ ମୋହନ ନାୟକ ନିର୍ବାଚିତ ହୋଇଥିଲେ । ପରେ ୧୯୬୭ ଭାରତୀୟ ଜାତୀୟ କଂଗ୍ରେସର ଏ.ଟି.ଶର୍ମା ୧୯୭୧ ମସିହାର ସିପିଆଇରୁ ଦୃତିକୃଷ୍ଣ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୧୯୭୭ ମସିହାରେ ଦେଶର ଷଷ୍ଠ ଲୋକସଭା ନିର୍ବାଚନରେ ଆସିକା ଲୋକସଭା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥ ନିର୍ବାଚିତ ହୋଇଥିଲେ । ୧୯୭୭ ଏବଂ ୧୯୮୦ ମସିହାରକ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସରୁ ରାମଚନ୍ଦ୍ର ରଥ, ୧୯୮୪ ମସିହାର ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସରୁ ସୋମନାଥ ରଥ ବିଜୟୀ ହୋଇଥିଲେ ।

ସେହିପରି ୧୯୮୯ ମସିହାର ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଅନନ୍ତ ନାରାୟଣ ସିଂ ଦେଓ ବିଜୟୀ ହୋଇଥିବା ବେଳେ ୧୯୯୧ ମସିହାରେ ପୁଣି ଥରେ ଭାରତୀୟ ଜାତୀୟ କଂଗ୍ରେସ ସୋମନାଥ ରଥ ନିର୍ବାଚିତ ହୋଇଥିଲେ । ଅନ୍ୟପଟେ ୧୯୯୬ ମସିହାରେ ଜନତା ଦଳରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ୧୯୯୮ ରୁ ୧୯୯୯ ମସିହାରେ ବିଜୁ ଜନତା ଦଳରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାର ଉପନିର୍ବାଚନରେ କୁମୁଦୁନି ପଟ୍ଟନାୟକ । କ୍ରମାଗତ ଭାବରେ ୨୦୦୪ ମସିହାରେ କ୍ରମାଗତ ଭାବରେ ବିଜୁ ଜନତା ଦଳ ଏହି ଆସନରୁ ହରି ହର ସ୍ୱାଇଁ, ୨୦୦୯ ମସିହାରେ ନିତ୍ୟାନନ୍ଦ ପ୍ରଧାନ, ୨୦୧୪ରେ ଲଡୁ କିଶୋର ସ୍ୱାଇଁ ଏବଂ ଗତ ୨୦୧୯ ନିର୍ବାଚନରେ ଏଠାରୁ ପ୍ରମିଳା ବିଷୋୟୀ ନିର୍ବାଚିତ ହୋଇଥିଲେ । ହେଲେ ଚଳିତଥର ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ସ୍ୱାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ରହିଥିବା ବେଳେ ଏହାକୁ ନେଇ ରାଜନୀତି ଏକପ୍ରକାର ସରଗରମ ରହିଥିବା ଦେଖିବାକୁ ମିଳିଥିଲା ।

ଅନିତା ବନାମ ରଞ୍ଜିତା ଫାଇଟ୍
ଅନିତା ବନାମ ରଞ୍ଜିତା ଫାଇଟ୍ (ETV Bharat Odisha)

2024ରେ କିଏ କେଉଁ ଦଳରୁ ପ୍ରାର୍ଥୀ ?

ରଞ୍ଜିତା ସାହୁ: ଆସିକା ଲୋକସଭା ଆସନ ପାଇଁ ଚଳିତଥର ନିର୍ବାଚନରେ ବିଜେଡି ଦଳରୁ ପ୍ରାର୍ଥିନୀ ହୋଇଛନ୍ତି ରଞ୍ଜିତା ସାହୁ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ତଥା ଜିଲ୍ଲା ରାଜନୀତିରେ ଦୀର୍ଘ ବର୍ଷ ଧରି ବିଜେଡି ଦଳରେ ରହି ଆସିଥିବା ହର ସାହୁଙ୍କ କନ୍ୟା ରଞ୍ଜିତା ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ଦଳ । ବାପାଙ୍କ ସହିତ ସାଧାରଣ ଜନତାଙ୍କ ସେବା କରିବା ସମୟରେ ପ୍ରତ୍ୟକ୍ଷ ରାଜନୀତି ପ୍ରତି ମନ ବଳାଇଥିଲେ । ଏହାରି ମଧ୍ୟରେ କବିସୂର୍ଯ୍ୟନଗର ଯୁବ ସଙ୍ଗଠନ କରି ୬ ରୁ ୭ ହଜାର ଯୁବ ବର୍ଗଙ୍କୁ ନେଇ ନିଜ ନିର୍ବାଚନମଣ୍ଡଳୀରେ ସେବା କରି ଆସୁଥିବା ବେଳେ ଏଥର ଆସିକା ଲୋକସଭା ଆସନ ପାଇଁ ରଞ୍ଜିତାଙ୍କୁ ପ୍ରାର୍ଥୀ କରାଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।


ଅନିତା ଶୁଭଦର୍ଶିନୀ: ଆସିକା ଲୋକସଭା ଆସନ ପାଇଁ ଚଳିତଥର ନିର୍ବାଚନରେ ବିଜେପି ଦଳରୁ ପୁର୍ନବାର ପ୍ରାର୍ଥିନୀ ହୋଇଛନ୍ତି ଅନିତା ଶୁଭଦର୍ଶିନୀ । ଭାରତୀୟ ଜନତା ପାର୍ଟିରେ ଗତ 2019 ସାଧାରଣ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥିନୀ ହୋଇ ପ୍ରତିଦ୍ୱନ୍ଦ୍ବିତା କରିଥିବା ଅନିତା ଚଳିତ ସାଧାରଣ ନିର୍ବାଚନରେ ପୁନଃର୍ବାର ବିଜେପି ଦଳରୁ ଟିକଟ ପାଇଛନ୍ତି । ତେବେ ଅନିତାଙ୍କୁ ବିଜୟୀ କରାଇବା ପାଇଁ ଏଥର କେନ୍ଦ୍ର ଓ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦମାନେ ଅନିତାଙ୍କ ପାଇଁ ପ୍ରଚାର କରିଥିଲେ । କ୍ରମାଗତ ଭାବରେ ଆସିକା ଲୋକସଭା କ୍ଷେତ୍ରରେ ବିଜେପି ଦଳର ସଙ୍ଗଠନିକ ବୃଦ୍ଧି ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କର ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟ କରି ଆସୁଥିଲେ ଅନୀତା ।


ଦେବକାନ୍ତ ଶର୍ମା: ଆସିକା ସହରର ଦେବକାନ୍ତ ଶର୍ମା ଜଣେ ଉଚ୍ଚଶିକ୍ଷିତ । ଜଣେ ଆଇନଜୀବୀ ଭାବରେ ଆସିକା ଅଞ୍ଚଳରେ ପରିଚିତ ଦେବକାନ୍ତ ଏକ ରାଜନୈତିକ ପରିବାରର ସଦସ୍ୟ ହୋଇଥିବା ବେଳେ ଚଳିତଥର ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରି ମୈଦାନକୁ ଆସିଥିବା ଦେଖାଯାଇଛି । ଦେବକାନ୍ତଙ୍କ ବାପା ମଧ୍ୟ କଂଗ୍ରେସ ଦଳରୁ ବହୁ ପଦବୀରେ ରହି ଆସିଛନ୍ତି ।

Aska Lok Sabha Election
Aska Lok Sabha Election (ETV Bharat Odisha)

ଆସିକା ଲୋକସଭା ଆସନର ଭୋଟର ତାଲିକା: ଆସିକା ଲୋକସଭା ଆସନରେ ମୋଟ ୧୬,୧୯,୩୩୯ ଜଣ ମତଦାତା ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୮,୪୪,୭୧୦ ଜଣ ରହିଥିବା ବେଳେ ମହିଳା ୭,୭୪,୪୮୬ ଜଣ ରହିଛନ୍ତି । ସେହିପରି ୧୪୩ ଅନାନ୍ୟ ରହିଛନ୍ତି । ୨୦୧୯ରେ ମୋଟ ଭୋଟର ମତଦାନ ପ୍ରତିଶତ 65.79 ରହିଥିଲା । ସେହିପରି ୨୦୧୪ରେ ମୋଟ ଭୋଟର ମତଦାନ ପ୍ରତିଶତ 63.63 ରହିଥିବା ବେଳେ ୨୦୦୯ରେ ମୋଟ ଭୋଟର ମତଦାନ ପ୍ରତିଶତ 54.57 ରହିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 18, 2024, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.