ETV Bharat / state

Gajalaxmi Puja: ରାତି ପାହିଲେ ବିରାଜିବେ ଧନଦାତ୍ରୀ, ସଜେଇ ହେଲାଣି କେନ୍ଦ୍ରାପଡା

author img

By ETV Bharat Odisha Team

Published : Oct 27, 2023, 2:50 PM IST

laxmi puja preparation
laxmi puja preparation

ଆଉ କିଛି ଘଣ୍ଟାର ଅପେକ୍ଷା । ଧରାପୃଷ୍ଠକୁ ଆଗମନ କରିବେ ମାଆ ଲକ୍ଷ୍ମୀ । ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲା । ଚୂଡାନ୍ତ ପର୍ଯ୍ୟାୟରେ ମୂର୍ତ୍ତି ନିର୍ମାଣ ଠୁ ନେଇ ସାଜସଜ୍ଜା କାମ । ଦେଖିବା ଏହି ରିପୋର୍ଟ

ଧରାପୃଷ୍ଠକୁ ଆଗମନ କରିବେ ମାଆ ଗଜଲକ୍ଷ୍ମୀ, ସଜେଇ ହେଲାଣି କେନ୍ଦ୍ରାପଡା

କେନ୍ଦ୍ରାପଡା: ରାତି ପାହିଲେ ଧରାପୃଷ୍ଠକୁ ଅବତରଣ କରିବେ ଧନଧାନ୍ୟର ଦେବୀ ମା'ଲକ୍ଷ୍ମୀ । ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲା । ଗଣପର୍ବ ଭାବେ ଏହି ଜିଲ୍ଲାରେ ପାଳନ କରାଯାଇଥାଏ ଗଜଲକ୍ଷ୍ମୀ ପୂଜା । ଶନିବାର ଅର୍ଥାତ କୁମାରପୂର୍ଣ୍ଣମୀଠୁ ସାତଦିନ ଧରି ଚାଲିବାକୁ ଥିବା ଏହି ଗଣପର୍ବ ପାଇଁ ମୂର୍ତ୍ତି ନିର୍ମାଣଠୁ ନେଇ ସାଜସଜ୍ଜା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।


ସଜେଇ ହେଲାଣି କେନ୍ଦ୍ରାପଡ଼ା ଜିଲ୍ଲା । ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିରେ କାରିଗର ଶେଷ ସ୍ପର୍ଶ ଦେଇସାରିଥିବା ବେଳେ ସହରର ଛୋଟବଡ଼ ସମସ୍ତ ପୂଜା କମିଟିରେ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କେବଳ କେନ୍ଦ୍ରାପଡ଼ା ସହର ନୁହେଁ ସହର ଉପକଣ୍ଠ ଡେରାବିଶ୍, ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି, ଗରଦପୁର ଆଦି ବ୍ଲକରେ ପାଖାପାଖି ୧୫୦ଟି ସ୍ଥାନରେ ମା'ଲକ୍ଷ୍ମୀ ପୂଜା ପାଇବେ । ବିଭିନ୍ନ ମଣ୍ଡପରେ ଶନିବାର ଠାରୁ ମା' କମଳାଙ୍କୁ ପୂଜା କରିବା ପାଇଁ ଆୟୋଜନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, କୁମାର ଉତ୍ସାବ ପ୍ରସ୍ତୁତି ଶେଷ

ସହରର ପ୍ରଥମ ଚାନ୍ଦି ମେଢ଼ ଖଡ଼ିଅଙ୍ଗ ଓ ସର୍ବାଧିକ ଚାନ୍ଦି ବ୍ୟବହାର ହୋଇଥିବା କାକଟ କ୍ଲବ ଏଥର ପୂଜାର ମୁଖ୍ୟ ଆକର୍ଷଣ ହେବାକୁ ଥିବା ବେଳେ ପୁରୁଣା ବସଷ୍ଟାଣ୍ଡର ଥାନପତି ଲକ୍ଷ୍ମୀଦେବୀଙ୍କ ପୂଜା ଚାକଚକ୍ୟରେ କରାଯିବା ନେଇ ଅଣ୍ଟା ଭିଡିଛନ୍ତି କର୍ମକର୍ତ୍ତା । ସେହିପରି ଚିରାଚରିତ କେମିକାଲ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି ମୂର୍ତ୍ତି କାରିଗର।



ଅନ୍ୟପଟେ ଗଣପର୍ବ ପାଇଁ ସୁନ୍ଦର ତୋରଣ/ଗେଟ ନିର୍ମାଣ ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରର କାରିଗର ଗତ ଏକ ସପ୍ତାହ ଧରି କାର୍ଯ୍ୟରେ ଲାଗି ପଡିଛନ୍ତି । ସହର ଉପକଣ୍ଠରେ ଥିବା ସଦ୍ଭାବନା କ୍ଲବ ଗତ କିଛି ବର୍ଷ ହେଲା ଲଗାତର ଭାବେ ସୁନ୍ଦର ତୋରଣ ନିର୍ମାଣ କରି ଭକ୍ତଙ୍କ ପ୍ରଶଂସା ସାଉଁଟିଥିବା ବେଳେ ଚଳିତବର୍ଷ ରାଜ୍ୟ ବାହାରୁ କାରିଗର ଦ୍ବାରା ତୋରଣ ନିର୍ମାଣ କରାଯାଉଛି । ଏଥିସହ ଗଜଲକ୍ଷ୍ମୀଙ୍କ ମେଲଣ ପାଇଁ ଓଡିଶା ତଥା ଓଡିଶା ବାହାରର ବ୍ରାସ(ବାଜା)ପାର୍ଟି ସେମାନଙ୍କ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେହିପରି ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ପୂଜା କମିଟି ସଦସ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ଗଜଲକ୍ଷ୍ମୀ ପୂଜାରେ ଅଶ୍ଳୀଳ ନୃତ୍ୟ ମନା, ସିଙ୍ଗଲ ୱଣ୍ଡୋ ସିଷ୍ଟମରେ ମିଳିବ ଅନୁମତି

ତେବେ ପୂଜାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ପାଇଁ ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନ ସମସ୍ତ ପୂଜା କମିଟି ସହ ଏକ ସ୍ୱତନ୍ତ୍ର ବୈଠକ କରାଯାଇଛି | ପୂଜାରେ କିପରି ଦର୍ଶକମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ଚୋରି ଛିନତାଇ ନହେବ ଏବଂ ଏକ ସ୍ୱଚ୍ଛ ପୂଜା ପାଳନ କରାଯିବ ସେ ନେଇ ଅନେକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଚଳିତ ବର୍ଷ ପୂଜା ଭସାଣିରେ ବାଣ ଓ ଡିଜେ ସାଉଣ୍ଡରେ ଭାଇବ୍ରେଟର ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ମେଲଣରେ ପୁରୁଣା ବସଷ୍ଟାଣ୍ଡରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୨୩ଟି ମେଢ଼ ଯିବାକୁ ଥିବା ବେଳେ ପୁରୁଣା ବସଷ୍ଟାଣ୍ଡରୁ କେଶପୁର ବଜାର ପର୍ଯ୍ୟନ୍ତ ୨୧ଟି ମେଢ଼ ଯିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ରହିଥିବା ସୂଚନା ମିଳିଛି ।



ତେବେ କୁମାର ପୂର୍ଣ୍ଣିମା ଦିନଠୁ 7 ଦିନ ବ୍ୟାପୀ ହେବାକୁ ଥିବା ଏହି ଗଣପର୍ବକୁ କେବଳ କେନ୍ଦ୍ରାପଡା ନୁହେଁ ପାଖ ପଡୋଶୀ ଜିଲ୍ଲା ଜଗତସିଂହପୁର, ଯାଜପୁର, ଭଦ୍ରକ, କଟକ ଭଳି ଅନେକ ଜାଗାରୁ ଦର୍ଶକ ଆସି ପୂଜାକୁ ମନଭରି ଉପଭୋଗ କରିଥାନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.