ETV Bharat / state

ଶ୍ରମିକଙ୍କ ହକ୍ ମାରିଛି ବେଦାନ୍ତ କମ୍ପାନୀ: ପ୍ରଗତିଶୀଳ ଶ୍ରମିକ ମଞ୍ଚ

author img

By ETV Bharat Odisha Team

Published : Oct 11, 2023, 5:55 PM IST

ପ୍ରଗତିଶୀଳ ଶ୍ରମିକ ମଞ୍ଚ
ପ୍ରଗତିଶୀଳ ଶ୍ରମିକ ମଞ୍ଚ

ଶ୍ରମିକମାନଙ୍କ ସେସ୍‌କୁ ନେଇ ପ୍ରତିବାଦ । ବେଦାନ୍ତ କମ୍ପାନୀ ବିରୁଦ୍ଧରେ ଅଭିଯୋଗ କଲା ପ୍ରଗତିଶୀଳ ଶ୍ରମିକ ମଞ୍ଚ । ଶ୍ରମିକମାନଙ୍କୁ ସେମାନଙ୍କ ସେସ୍‌ ଦେଉ ନଥିବା ନେଇ ଅଭିଯୋଗ । ଅଧିକ ପଢ଼ନ୍ତୁ

ପ୍ରଗତିଶୀଳ ଶ୍ରମିକ ମଞ୍ଚ

ଝାରସୁଗୁଡ଼ା: ଶ୍ରମିକମାନଙ୍କ ସେସ୍‌କୁ ନେଇ ପ୍ରତିବାଦ । ବେଦାନ୍ତ ବିରୁଦ୍ଧରେ ଅଭିଯୋଗ କଲା ପ୍ରଗତିଶୀଳ ଶ୍ରମିକ ମଞ୍ଚ । ଶ୍ରମିକମାନଙ୍କୁ ସେମାନଙ୍କ ସେସ୍‌ ଦେଉ ନଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଗତିଶୀଳ ଶ୍ରମିକ ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ରକ୍ଷାକର ଅନୁପମ ସୂଚନା ଦେଇଛନ୍ତି ।

ତେବେ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ସମୁଦାୟଙ୍କୁ ନିଯୁକ୍ତିରେ ନିରାପତ୍ତା, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଓ ବୃତ୍ତିରେ ସହାୟତା ଯୋଗାଇ ଦେବା ଲକ୍ଷରେ ୧୯୯୬ ମସିହାରେ କେନ୍ଦ୍ର ସରକାର କୋଠା ଓ ଅନ୍ୟାନ୍ୟ ନିର୍ମାଣ ସେସ୍ ଆଇନ ପ୍ରଣୟନ କରିଥିଲେ । ଏହି ଆଇନର ବହୁ ପୂର୍ବରୁ କେରଳ ଓ ତାମିଲନାଡୁ ଦୁଇଟି ରାଜ୍ୟରେ ରାଜ୍ୟ ସରକାର ସ୍ବତନ୍ତ୍ର ଆଇନ ପ୍ରଣୟନ କରି ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇ ଆସୁଥିଲେ । ୧୯୯୬ ମସିହାରେ କେନ୍ଦ୍ରୀୟ ଆଇନ ସାଂସଦରେ ପାରିତ ହେବା ପରେ ବିଲଡର ମାନେ ଉତକ୍ଷୀପ୍ତ ହୋଇ ଆଇନକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ସେସ୍ ନଦେବା ପାଇଁ ମିଳିତ ହୋଇ ୯୯ ଗୋଟି ରିଟ ପିଟିସନ ଦାୟର କରିଥିଲେ ।

ରକ୍ଷାକର କହିଛନ୍ତି "ଉଚ୍ଚ ନ୍ୟାୟାଳୟ ସମସ୍ତ ରିଟ ପିଟିସନକୁ ଖାରଜ କରିଦେବା ସହ ପ୍ରତ୍ୟେକ ରିଟ ଦାଖଲକାରୀଙ୍କୁ 25 ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ତାଙ୍କ ରାୟରେ କହିଥିଲେ ଯେ, ଶ୍ରମିକମାନଙ୍କ ନିମନ୍ତେ ହୋଇଥିବା କଲ୍ୟାଣକାରୀ ଆଇନକୁ କୋଟରେ ଚାଲେଞ୍ଜ କରାଯାଇ ପାରିବ ନାହିଁ । ଏସମସ୍ତ କଥା ଜାଣି ମଧ୍ୟ ବେଦାନ୍ତ କ'ଣ ପାଇଁ କୋର୍ଟକୁ ଢ଼ାଲ କରିଥିଲା ? ଶ୍ରମ ବିଭାଗର କେଉଁ ଅଧିକାରୀମାନେ ଏଥିରେ ତାଙ୍କୁ ସହଯୋଗ କରିଥିଲେ ? ରାଜ୍ୟ ଓ ଜିଲ୍ଲାର ବିକାଶ କଥା କହି ବେଦାନ୍ତ ଏଠାକୁ ଆସିଥିଲା । ବେଦାନ୍ତ କାର୍ଯ୍ୟ ସୂଚୀରେ ଶ୍ରମିକମାନଙ୍କ ବିକାଶ କଥା ସ୍ଥାନିତ ହୋଇଛି ବୋଲି କେମିତି କହିବା ? ଅନ୍ୟ ପକ୍ଷରେ ରାଜ୍ୟ ସରକାର, ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ଯେଉଁ ଦାୟିତ୍ବ ପାଳନ କରିବା କଥା ତାହା କଲେ ନାହିଁ । ଯେଉଁ କାରଣ ପାଇଁ ବେଦାନ୍ତ ଦିନ ଗଡ଼ାଇ ଚାଲିଲା ଏବଂ କୋର୍ଟକୁ ଯିବା ପାଇଁ ସମୟ ଓ ସୁଯୋଗ ପାଇଲା ।"

ଏହା ମଧ୍ୟ ପଢ଼ନ୍ତୁ....ଚିଦାମ୍ବରମଙ୍କ ବେଦାନ୍ତ ଲିଙ୍କ ! ଝାରସୁଗୁଡାରେ ସିବିଆଇ ରେଡ

ତେବେ ରକ୍ଷାକର ଏହା ମଧ୍ୟ କହିଛନ୍ତି " ବିଡ଼ମ୍ବନାର ବିଷୟ ଏହା ଯେ, ସମସ୍ତ କଥା ଜାଣି ମଧ୍ୟ ବେଦାନ୍ତ କମ୍ପାନୀ ଆଇନର ଆଶ୍ରୟ ନେଇଥିଲା । ସେସ୍ ଫାଙ୍କିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟାର କରି ଝୁଲାଇ ରଖିଥିଲା । ଏହି ମାମଲାରେ ବେଦାନ୍ତ ଉଚ୍ଚ ନ୍ୟାୟାଳୟରେ ହାରିବା ପରେ ପୁଣି ସୁପ୍ରିମକୋର୍ଟ ଯାଇଥିଲା । ସୁପ୍ରିମକୋର୍ଟରେ ବେଦାନ୍ତ କମ୍ପାନୀ ମାମଲା ହାରିବା ପରେ ତାହାର ଅସଲ ଚେହେରା ପଦାକୁ ଆସିବା ସହ କମ୍ପାନୀ ଶ୍ରମିକ ବିରୋଧ ଭାବରେ ସର୍ବସାଧାରଣରେ ନିନ୍ଦିତ ହୋଇଥିଲା । ସେସ୍ ଦେବା ପାଇଁ ଆଗ୍ରହ ନଦେଖାଇବା ଅତ୍ୟନ୍ତ ଦୁଃର୍ଭାଗ୍ୟର ବିଷୟ । ଯେଉଁ ଶ୍ରମିକମାନେ ଦିନରାତି ଖଟି ଏଠାରେ ବେଦାନ୍ତ କମ୍ପାନୀ ଛିଡ଼ା କରାଇଛନ୍ତି ସେମାନଙ୍କ ପେଟକୁ ଗୋଇଠା ମାରିବା କ'ଣ ସୂଚାଉଛି ? ବେଦାନ୍ତ ତାର ବିଜ୍ଞାପନରେ ପ୍ରଚାର କରୁଛି ‘ଖଣିରୁ.... ଖୁସି ପର୍ଯ୍ୟନ୍ତ’ ଆମେ କରିଥାଉ । ଶ୍ରମ ବିଭାଗ, ପ୍ରସାସନ ଓ ବେଦାନ୍ତ କମ୍ପାନୀର ଅସାଧୁ ମେଣ୍ଟ ପାଇଁ ବେଦାନ୍ତ ଏପର୍ଯ୍ୟନ୍ତ ଖସି ଯିବା ସହ ଏଠାକୁ ବେଦାନ୍ତ ଅଧିନରେ ଯେଉଁ ଠିକାଦାରମାନେ କାମ ନେଇଥିଲେ ସେମାନଙ୍କ ନାମ ପଞ୍ଜିକରଣ ହୋଇଥିଲା କି ନାହିଁ ? ସେମାନଙ୍କ ଠାରୁ ବେଦାନ୍ତ ସେସ୍ ଅର୍ଥ କାଟି କଲ୍ୟାଣ ବୋର୍ଡ଼ରେ ଜମା ଦେବା କଥା ଯାହା ବେଦାନ୍ତ ଏପର୍ଯ୍ୟନ୍ତ କଲାନାହିଁ । ସେସବୁ କମ୍ପାନୀ ଓ ଠିକାଦାରଙ୍କ ଠାରୁ କାମ ଆରମ୍ଭ ହୋଇଥିବା ତାରିଖରୁ ସେସ୍ ଆଦାୟ ଦାୟିତ୍ବ ଏବେ ବେଦାନ୍ତ କମ୍ପାନୀର । ଆଉ ଅଧିକ ସମୟ ବିଳମ୍ବ ନକରି ବେଦାନ୍ତ ନିର୍ମାଣ କରିଥିବା ବିଭିନ୍ନ ପ୍ରକଳ୍ପ ମୂଲ୍ୟର ଏକ ଭାଗ ସେସ୍‌ ତୁରନ୍ତ ପୈଠ କରି ଶ୍ରମିକ ଓ ଜନଗଣଙ୍କ ଆସ୍ତା ଭାଜନ ହେବା ଦରକାର ।" ତେବେ ଶ୍ରମିକମାନଙ୍କୁ ସେସ୍‌ ପ୍ରଦାନ ନକଲେ ଆଗାମୀ ଦିନରେ ବେଦାନ୍ତ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ନେଇ ଚେତାବନୀ ଦେଇଛି ପ୍ରଗତିଶୀଳ ଶ୍ରମିକ ମଞ୍ଚ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.