ETV Bharat / sports

ଜାତୀୟ ଫେଡେରେସନ କପରେ ସ୍ବର୍ଣ୍ଣ ଜିତିଲେ ନୀରଜ, ଶୁଭେଚ୍ଛା ଜଣାଇଲେ ନବୀନ - Federation Cup 2024

author img

By ETV Bharat Odisha Team

Published : May 16, 2024, 8:44 AM IST

Federation Cup 2024: ଜାତୀୟ ଫେଡେରେସନ କପରେ ନୀରଜଙ୍କୁ ସଫଳତା । 3 ବର୍ଷ ପରେ ଘରୋଇ ପରିବେଶରେ ସ୍ବର୍ଣ୍ଣ ଜିତିଲେ । ଅଧିକ ପଢନ୍ତୁ

Neeraj Chopra
Neeraj Chopra (@sports_odisha)

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ 27ତମ ଜାତୀୟ ଫେଡେରେସନ କପ ସିନିୟର ଆଥେଲେଟିକ୍ସରେ ସ୍ବର୍ଣ୍ଣ ଜିତିଲେ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ତିନି ବର୍ଷ ପରେ ନିଜ ମାଟିରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ନୀରଜ । 82.27 ମିଟର ଜାଭେଲିନ ଥ୍ରୋ କରି ସେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ 82.06 ମିଟର ଜାଭେଲିନ ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ହାସଲ କରିଥିଲେ ଡିପି ମନୁ ଓ 78.39 ମିଟର ଜାଭେଲିନ ଥ୍ରୋ କରି ତୃତୀୟ ସ୍ଥାନରେ ରହିଥିଲେ ଉତ୍ତମ ବାଲାସାହେବ । ଜାତୀୟ ଫେଡେରେସନ କପରେ କିଶୋର ଜେନା ସମସ୍ତଙ୍କୁ ପୁଣି ନିରାଶ କରିଛନ୍ତି । ସେ ନିଜ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ।

ଏହା ମଧ୍ଯ ପଢନ୍ତୁ-ଦୋହା ଡାଏମଣ୍ଡ ଲିଗ: ରୌପ୍ୟରେ ସନ୍ତୁଷ୍ଟ ହେଲେ ନୀରଜ - Doha Diamond League 2024

ପ୍ରତିଯୋଗିତା ଆରମ୍ଭରୁ ସଂଘର୍ଷ କରିଥିଲେ ନୀରଜ । ତିନି ରାଉଣ୍ଡ ପର୍ଯ୍ୟନ୍ତ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ । ଚତୁର୍ଥ ପ୍ରୟାସରେ ସେ 82.27 ମିଟର ଥ୍ରୋ କରି ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ଜିତିଥିଲେ । ସେ ଫାଇନାଲରେ 2 ରାଉଣ୍ଡ ଥ୍ରୋ କରିନଥିଲେ । ମାର୍ଚ୍ଚ 17, 2021 ରେ ଏକ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି 87.80 ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ ନୀରଜ । ଏହାପରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ, 2022 ରେ ଡାଏମଣ୍ଡ ଲିଗ ଚମ୍ପିଆନ ହୋଇଥିଲେ, 2023ରେ ବିଶ୍ୱ ଚମ୍ପିଆନ୍ ହୋଇଥିଲେ ଏବଂ ଚାଇନାରେ ଏସୀୟ ଗେମ୍ସର ସ୍ୱର୍ଣ୍ଣ ଜିତିଥିଲେ । କିନ୍ତୁ ଚଳିତ ବର୍ଷ ଦୋହା ଡାଏମଣ୍ଡ ଲିଗରେ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ । 88.36 ମିଟିର ଜାଭେଲିନ ଥ୍ରୋ କରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ନୀରଜ ଚୋପ୍ରା ।

ନୀରଜ ଓଡିଶା ମାଟିରେ ସ୍ବର୍ଣ୍ଣ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫେଡେରେସନ୍ କପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ । ସେ ତାଙ୍କ କ୍ୟାରିୟରରେ ଆହୁରି ସଫଳତା ପାଇ ଦେଶକୁ ଗର୍ବିତ କରନ୍ତୁ । ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.