ETV Bharat / state

ଯାଜପୁର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ଜନ୍ମୋତ୍ସବ, ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମାଆ

author img

By

Published : Jan 21, 2023, 12:56 PM IST

maa biraja birthday
ଅଧିଷ୍ଠାତ୍ରୀ ଦେବୀ ବିରଜା

ଆଜି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଜନ୍ମଦିନ । ମା'ଙ୍କ ଜନ୍ମୋତ୍ସବ ଅବସରରେ ସାବିତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଅଧିକ ପଢ଼ନ୍ତୁ

ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ଜନ୍ମୋତ୍ସବ

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ଆଜି (ଶନିବାର) ଜନ୍ମୋତ୍ସବ । ତ୍ରିବେଣୀ ଅମାବାସ୍ୟାରେ ମା'ଙ୍କ ଜନ୍ମଦିନ ପଡୁଥିବାବେଳେ ମା' ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଦୁଇ ବର୍ଷର କୋରୋନା କଟକଣା ପରେ ଆଜିର ଦିନରେ ମାଆଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଭକ୍ତ ।

ଏହା ମଧ୍ୟ ପଢ଼ନ୍ତୁ: ବାଲେଶ୍ଵରରେ ପୁଣି ଲଜ୍ଜା, ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱ-ନକ୍ଷତ୍ର ଦିବସ । ଏଥିପାଇଁ ଆଜି ବଢି ଭୋରରୁ ମା'ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପରମ୍ପରା ଅନୁଯାୟୀ, ସମସ୍ତ ନୀତିକାନ୍ତି ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବ୍ରହ୍ମମୁହୂର୍ତ୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯାଏ । ସ୍ନାନ ପରେ ମା' ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦିଅନ୍ତି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରକୁ ସୁନ୍ଦର ଅଲୋକମାଳାରେ ସଜ୍ଜିତ କରାଯାଇଛି । ଜନ୍ମ ଦିନରେ ମା'ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ମାନସିକ ପୂରଣ ହୁଏ ।

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ରାପଡାରେ ଡ୍ରଗ୍ସ ସ୍କ୍ବାର୍ଡର ଚଢାଉ, ପାଥୋଲାବ ଓ ମେଡିସିନ ଦୋକାନ ସିଲ୍

ସମ୍ଭାବ୍ୟ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟାରେ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଆଜିର ସ୍ବ- ନକ୍ଷତ୍ର ଦିବସ ଅବସରରେ ମା'ଙ୍କ ମୁଖ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଛନ୍ତି ଶ୍ରଦ୍ଧାଳୁ ।

ଆଜି ମାଆଙ୍କର ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ମାଆଙ୍କ ମନ୍ଦିରରେ ପହଞ୍ଚିଛନ୍ତି l ତେବେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନକୁ ଲକ୍ଷ୍ୟ କରି ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିଶ୍ବାସ ରହିଛି ଆଜିର ଦିନରେ ମା'ଙ୍କ ମୁଖ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳିଥାଏ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.