କେନ୍ଦ୍ରାପଡାରେ ଡ୍ରଗ୍ସ ସ୍କ୍ବାର୍ଡର ଚଢାଉ, ପାଥୋଲାବ ଓ ମେଡିସିନ ଦୋକାନ ସିଲ୍

author img

By

Published : Jan 21, 2023, 10:29 AM IST

କେନ୍ଦ୍ରାପଡାରେ ଡ୍ରଗ୍ସ ସ୍କ୍ବାର୍ଡର ଚଢାଉ

କେନ୍ଦ୍ରାପଡା ସହରର ବିଭିନ୍ନ ମେଡିସିନ ଦୋକାନ, ପାଥୋଲାବ ଓ ନର୍ସିଂହୋମ ଉପରେ ଚଢାଉ । ପାଥୋଲାବ ସମେତ ୩ଟି ମେଡିସିନ ଦୋକାନ ସିଲ୍ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ଡ୍ରଗ୍ସ ସ୍କ୍ବାର୍ଡର ଚଢାଉ

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରର ପୁରୁଣା ମେଡିକାଲ ନିକଟରେ ଥିବା ବିଭିନ୍ନ ମେଡିସିନ ଦୋକାନ, ପାଥୋଲାବ ଓ ନର୍ସିଂହୋମ ଉପରେ ଚଢାଉ ହୋଇଛି । ଜିଲ୍ଲା ପ୍ରଶାସନ ସହ ଡ୍ରଗ୍ସ ସ୍କ୍ୱାର୍ଡ୍ସ ମେଡିସିନ ଷ୍ଟୋରଗୁଡିକ ଉପରେ ଅତର୍କିତ ଚଢାଉ କରିଛି । ଚଢାଉ ବେଳେ ଦୁଇଟି ପାଥୋଲାବ ସମେତ ମୋଟ ୩ଟି ମେଡିସିନ ଦୋକାନ ସିଲ୍ କରାଯାଇଥିବା ବେଳେ କିଛି ଔଷଧ ମଧ୍ୟ ଜବତ କରାଯାଇଛି ।

ଚଢାଉ ସମୟରେ ମେଡିସିନର ବୈଧତା, କାଗଜପତ୍ର ଓ କର୍ମଚାରୀଙ୍କ ଯୋଗ୍ୟତା, ଚିକିତ୍ସା ଉପକରଣ ଓ ରୋଗୀସେବାର ମାନ ଯାଞ୍ଚ କରାଯାଇଥିଲା । ପାଥୋଲାବର ଆବଶ୍ୟକୀୟ କାଗଜପତ୍ର ଓ ଲାଇସେନ୍ସ ନଥିବା ଯୋଗୁଁ ଏହାକୁ ସିଲ୍ କରାଯାଇଥିବା ସୂଚନା ଦିଆଯାଇଛି । ସେହିପରି ଏକ୍ସପାରି ଡେଟ୍ ସରିଯାଇଥିବା ମେଡ଼ିସିନ୍ ପାଇବାରୁ ଔଷଧ ଦୋକାନକୁ ସିଲ କରାଯାଇଥିବା କୁହାଯାଇଛି । ଡ୍ରଗ୍ସ ଡିପାର୍ଟମେଣ୍ଟ ଔଷଧ ଦୋକାନରୁ କିଛି ଔଷଧ ନମୁନା ମଧ୍ୟ ସଂଗ୍ରହ କରିଛି ।

ଗତ ୧୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ କରି ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନ ପାଇଁ ଆକ୍ରୋଶମୂଳକ ଭାବେ ଏପରି ଅତର୍କିତ ଚଢାଉ କରାଯାଇଛି ବୋଲି ପାଥୋଲାବ ମାଲିକ ସାଂଘାତିକ ଅଭିଯୋଗ କରିଛନ୍ତି । ସେପଟେ ଆବଶ୍ୟକୀୟ କାଗଜପତ୍ର ଥାଇ ସୁଦ୍ଧା ଏହି ରେଡ୍ କରାଯାଇଥିବା ଔଷଧ ବ୍ୟବସାୟୀମାନେ ଅଭିଯୋଗ ଆଣିଛନ୍ତି ।

ତେବେ କେବଳ ପାଥୋଲାବ କି ଔଷଧ ଦୋକାନ ନୁହେଁ, ବରଂ ପୁରୁଣା ମେଡିକାଲ ଆଖାପାଖରେ ଥିବା କେତେକ ନର୍ସିଂହୋମ ଉପରେ ଡ୍ରଗ୍ସ ଡିପାର୍ଟମେଣ୍ଟ ଚଢାଉ କରି ସିଲ କରିଛି । ନର୍ସିଂହୋମରେ ମଧ୍ୟ ଆବଶ୍ୟକୀୟ କାଗଜପତ୍ର ନଥିବା ଦର୍ଶାଇଛି ବିଭାଗ । ରୋଗୀସେବା ଆଳରେ ବ୍ୟାପକ ଅନିୟମିତତା ହେଉଥିବାର ପ୍ରମାଣ ପାଇବା ପରେ ଏହି ଚଢାଉ କରାଯାଉଥିବା ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଚଢାଉରେ ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ । ଆଇନାଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଔଷଧ ଦୋକାନ ଓ ନର୍ସିଂ ହୋମ ଉପରେ ଚଢାଉ ଜାରି ରହିବ ବୋଲି ଭେଷଜ ନିରୀକ୍ଷକ ସୂଚନା ଦେଇଥିବା ବେଳେ ଆନ୍ଦୋଳନ ପରେ ଏଭଳି ଚଢ଼ାଉକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଲୋକେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.