ବିଶ୍ବାସ ହେଉନଥିଲେ ବି ସତ ! ବିନା ଖାଦ୍ୟରେ ୩୫ ବର୍ଷ ହେଲା ବଞ୍ଚିଛନ୍ତି ମହିଳା - No food for 35 years

author img

By ETV Bharat Odisha Team

Published : Apr 14, 2024, 3:19 PM IST

Etv Bharat

No food for 35 years: ବିନା ଖାଦ୍ୟରେ ୩୫ ବର୍ଷ । କେବଳ ପାଣି ପିଇ ବଞ୍ଚିଛନ୍ତି ସେ । ଯେଉଁଠି ମଣିଷ ଓଳିଏ ନଖାଇଲେ ଭୋକରେ ଡହଳ ବିକଳ ହେଉଥିବା ବେଳେ ୩୫ ବର୍ଷ ହେଲାଣି ବିନା ଖାଦ୍ୟରେ ସୁସ୍ଥ ଜୀବନ ଜୀଉଁଛନ୍ତି ବାଲେଶ୍ବରର ଶାନ୍ତିଲତା ଜେନା । ଚା' କି ଜୁସ ପିଇଲେ ବାନ୍ତି ହୋଇଯାଉଛି । ତଥାପି ସେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ସହ ବିଲବାଡି କାମ କରୁଛନ୍ତି । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

ବିଶ୍ବାସ ହେଉନଥିଲେ ବି ସତ ! ବିନା ଖାଦ୍ୟରେ ୩୫ ବର୍ଷ ହେଲା ବଞ୍ଚିଛନ୍ତି ମହିଳା

ବାଲେଶ୍ବର: ଖାଦ୍ୟ ବିନା ମଣିଷ ବଞ୍ଚିବା ଅସମ୍ଭବ । ଓଳିଏ ନ ଖାଇଲେ ଯେ କେହି ବି ଭୋକରେ ଡହଳ ବିକଳ ହୋଇଯାଏ । ହେଲେ ଏମିତି ଜଣେ ମହିଳା ଅଛନ୍ତି, ଯିଏକି ଆଜକୁ ୩୫ ବର୍ଷ ହେଲା ବିନା ଖାଦ୍ୟରେ ବଞ୍ଚିଛନ୍ତି । କଥାଟା ଶୁଣିବାକୁ ସହଜରେ ବିଶ୍ବାସ ହେଉନଥିଲେ ବି ପୁରାପୁରି ସତ । ଏହି ଅବିଶ୍ବସନୀୟ ମହିଳା ହେଉଛନ୍ତି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅଶିମିଳା ଗ୍ରାମର ଶାନ୍ତିଲତା ଜେନା । ତାଙ୍କୁ ୧୨ ବର୍ଷ ହୋଇଥିବା ବେଳଠୁ ସେ ଖାଦ୍ୟ ଛାଡି ଦେଇଛନ୍ତି । କେବଳ ପାଣି ପିଇ ବଞ୍ଚି ରହିଛନ୍ତି । ଚା' କି ଜୁସ୍ ପିଇଲେ ସାଙ୍ଗେ ସାଙ୍ଗେ ବାନ୍ତି କରିଦେଉଛନ୍ତି । ଏହାସତ୍ତ୍ବେ ସେ ଦୀର୍ଘ ବର୍ଷ ହେଲାଣି ସୁସ୍ଥ ଜୀବନଯାପନ କରୁଛନ୍ତି । ତାଙ୍କୁ କୌଣସି ରୋଗ ହେଉନାହିଁ । ଏମିତିକି ସେ ବିଲ ବାଡ଼ିରେ କାମ ଭଲ ଭାବେ କରିପାରୁଛନ୍ତି ।

ଶାନ୍ତିଲତାଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା, ସେତେବେଳେ ମାଆ ତାଙ୍କୁ ଯାହା ଖାଇବାକୁ ଦେଉଥିଲେ ସେସବୁ ତାଙ୍କର ବାନ୍ତି ହୋଇଯାଉଥିଲା । ଝିଅର ଏମିତି ଅବସ୍ଥାକୁ ନେଇ ବାପାମାଆ ଚିନ୍ତାରେ ପଡିଥିଲେ । ଏହାପରେ ଦିନେ ଝିଅକୁ ନେଇ କଟକର ଜଣେ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କ ଦେହରେ ଖାଦ୍ୟ ନୁହେଁ ବରଂ ପାଣି ଜାତୀୟ ତରଳ ଖାଦ୍ୟ ହିଁ ଉପଯୁକ୍ତ ବୋଲି କହିଥିଲେ । ସେହିଦିନ ଠାରୁ ଶାନ୍ତିଲତା କୌଣସି ଖାଦ୍ୟ ଖାଉନାହାନ୍ତି । ଏମିତିକି ଜୁସ, ଚା' କିମ୍ବା ବିସ୍କୁଟ ଖାଇଲେ ସେ ସଙ୍ଗେ ସଙ୍ଗେ ବାନ୍ତି କରି ପକାଉଛନ୍ତି ।

ଛୋଟ ବେଳେ ଶାନ୍ତିଲତା ଡାକ୍ତରଙ୍କ ପାଖରୁ ଫେରିବା ପରେ ତାଙ୍କ ଘରେ ପୂଜା ପାଉଥିବା ଶନିଦେବଙ୍କ ଆଶ୍ରିତ ହୋଇଥିଲେ । ସେହିଦିନ ଠାରୁ ଶାନ୍ତିଲତା ଆଜିଯାଏ ଶନିଦେବଙ୍କ ପୂଜାର୍ଚ୍ଚନା କରିଆସୁଥିବା ବେଳେ ଖାଦ୍ୟ ଖାଇବା ଛାଡ଼ି ଦେଇଛନ୍ତି । ଏନେଇ ମନ୍ଦିର ପୂଜକ ଓ ପରିବାର ଲୋକେ କହିଛନ୍ତି, ଶାନ୍ତିଲତା ପୂଜା କରୁଥିବା ଶନିଦେବଙ୍କ ଶରଣରେ ଯିଏ କେହି ବି ଆଶ୍ରୟ ନେଇଛି ତାଙ୍କୁ ସୁଫଳ ମିଳିଛି । ଶନିଦେବଙ୍କ ଆଶୀର୍ବାଦ ଯୋଗୁଁ କିଛି ନ ଖାଇ ମଧ୍ୟ ଶାନ୍ତିଲତା ସୁସ୍ଥ ଅଛନ୍ତି ।

ଗୋଟିଏ ପଟେ ଇଶ୍ବରଙ୍କ ଉପରେ ବିଶ୍ୱାସ ଓ ସମର୍ପଣ ଅନ୍ୟପଟେ ଏହା ପଛରେ କ'ଣ ବୈଜ୍ଞାନିକ କାରଣ ରହିଛି ତାହା ଜାଣିବାକୁ ଆମେ ଆୟୁର୍ବେଦ ଭେଷଜ ବିଶେଷଜ୍ଞ ଡାକ୍ତର ଶାନ୍ତନୁ ଦାସଙ୍କୁ ଯୋଗାଯୋଗ କରିଥିଲୁ । ଡାକ୍ତର ଏହି ଘଟଣାର ତର୍ଜମା କରିବା ପରେ କହିଥିଲେ, ''କେବଳ ପାଣି ପିଇ ଜଣେ ମଣିଷ ବଞ୍ଚିପାରିବ, ମାତ୍ର ସୀମିତ ସମୟ ପାଇଁ । ହେଲେ ଏତେ ବର୍ଷ ସୁସ୍ଥ ଭାବେ ବଞ୍ଚିବା ସମ୍ଭବ ନୁହେଁ । ଯଦିଓ ସେ ଚା', ଜୁସ କିମ୍ବା କିଛି ଖାଦ୍ୟ ଖାଇଲେ ବାନ୍ତି ହୋଇଯାଉଛି, କିନ୍ତୁ କିଛିଟା ଅଂଶ ତାଙ୍କ ଶରୀରରେ ରହୁଛି । ଫଳରେ ଚା'ରେ ଥିବା କ୍ଷୀର, ଚିନିରୁ ପୋଷଣ ଏବଂ ଜୁସରେ ଥିବା ପୋଷଣ ତାଙ୍କ ଶରୀରକୁ ମିଳିପାରୁଛି । ଯାହା ଜଣେ ମଣିଷଙ୍କୁ ଜୀବିତ ରଖିବାରେ ସହାୟକ ହେଉଛି । ଏହାଦ୍ବାରା ସେ ସୁସ୍ଥ ଭାବେ ବଞ୍ଚି ରହୁଥିଲେ ବି ତାଙ୍କର ଆବଶ୍ୟକୀୟ ଶାରିରୀକ ଅଭିବୃଦ୍ଧି ହୋଇପାରୁନି ।''

ଏହା ମଧ୍ୟ ପଢନ୍ତୁ: ରାଉରକେଲା ଯୁବକଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ; ୧୨ ଘଣ୍ଟାରେ ଟ୍ରେଡମିଲରେ ଦୌଡ଼ିଲେ ୬୮ କିମି - Guinness Book Records

ଶାନ୍ତିଲତାଙ୍କ ସୁସ୍ଥ ଜୀବନ ନେଇ ଗୋଟିଏ ପଟେ ଏମିତି ବିଜ୍ଞାନ ସମ୍ମତ କାରଣ ରହିଥିବା ଡାକ୍ତର କହୁଥିବା ବେଳେ ଶାନ୍ତିଲତା ଏବଂ ତାଙ୍କ ପରିବାର ଲୋକଙ୍କ ମତ ଟିକେ ଅଲଗା । କେବଳ ଶନିଦେବଙ୍କ ଆଶୀର୍ବାଦରେ ଶାନ୍ତିଲତା ବଞ୍ଚିଥିବା ପରିବାର ଲୋକେ ଦାବି କରୁଛନ୍ତି । ୧୨ ବର୍ଷ ବୟସରୁ ଆଜକୁ ତାଙ୍କୁ ୪୭ ବର୍ଷ ବୟସରେ ବି ଶାନ୍ତିଲତା ଚୋବାଇବା ଭଳି କିଛି ଖାଦ୍ୟ ଖାଇନାହାନ୍ତି । ସେହିପରି ତାଙ୍କ ଶରୀରରେ ବଳ କମିଗଲେ ବା ଦୁର୍ବଳ ଲାଗିଲେ, ଝୁଣା ଧୂଆଁ ଏବଂ ଧୂପ ମୁହଁ ପାଖରେ ଲଗାଇଦେଲେ ବଳ ଆସିଯାଏ ବୋଲି କୁହନ୍ତି ଶାନ୍ତିଲତା ।

ଏମିତିକି ଶାନ୍ତିଲତା ଶନିଦେବଙ୍କ ଶରଣରେ ରହି ଆଖପାଖ ଅଞ୍ଚଳର ଲୋକମାନଙ୍କ ସମସ୍ୟାର ସମାଧାନ କରିପାରୁଥିବା ବିଶ୍ବାସ ରହିଛି । ଏଥିପାଇଁ ପ୍ରତିଦିନ ତାଙ୍କ ନିକଟକୁ କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଆଦି ଅଞ୍ଚଳରୁ ଲୋକମାନେ ନିଜ ସମସ୍ୟା ନେଇ ଆସିଥାନ୍ତି ଏବଂ ସମାଧାନ ହୋଇଥିବା ମଧ୍ୟ ଦାବି କରନ୍ତି କିଛି ଆଶ୍ରିତ ଭକ୍ତ । ଶାନ୍ତିଲତାଙ୍କ କ୍ଷେତ୍ରରେ ଘଟୁଥିବା ଏମିତି ଘଟଣାକୁ ବିଶ୍ୱାସ ନା ଏତେ ବର୍ଷ ହେଲାଣି ତାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି କହିବା, ଏକ ବଡ ପ୍ରଶ୍ନବାଚୀ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.