ETV Bharat / state

ସିବିଆଇ ସ୍କାନରରେ ପାରାଦ୍ବୀପ ପୋର୍ଟ ସ୍ବାସ୍ଥ୍ୟ ଅଧିକାରୀ, ଫିଟୁଛି ଗୁମର

author img

By ETV Bharat Odisha Team

Published : Oct 17, 2023, 6:48 AM IST

Doctor Rajendra Panigrahi
Doctor Rajendra Panigrahi

ସିବିଆଇ ସ୍କାନରରେ ପାରାଦ୍ବୀପ ପୋର୍ଟ ସ୍ବାସ୍ଥ୍ୟ ଅଧିକାରୀ । ଫିଟୁଛି ଗୁମର । ଭାଇରାଲ ହେଉଛି ଭିଡିଓ ଓ ଅଡିଓ । ଅଧିକ ପଢନ୍ତୁ

ସିବିଆଇ ସ୍କାନରରେ ପାରାଦ୍ବୀପ ପୋର୍ଟ ସ୍ବାସ୍ଥ୍ୟ ଅଧିକାରୀ, ଫିଟୁଛି ଗୁମର

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିବା ପରେ ଏବେ ତାଙ୍କ କଳା କାରନାମା ପଦାକୁ ଆସିଛି । ତାଙ୍କର କିଛି ଅଡିଓ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜାହାଜର କ୍ୟାପଟେନମାନଙ୍କଠାରୁ ଦାମୀ ବ୍ରାଣ୍ଡର ସିଗାରେଟ ଓ ମଦ ମାଗୁଥିବା ଦେଖିବାକୁ ମିଳିଛି । ଏହା ନ ଦେଇ ପାରିଲେ ବିଦେଶୀ ଟଙ୍କା ଦେବାକୁ ସିପିଂ ଏଜେଣ୍ଟଙ୍କ ଜରିଆରେ କହୁଥିବା ଏକ ଭଏସ ରେକର୍ଡରେ ଶୁଣିବାକୁ ମିଳୁଛି ।

ପାରାଦ୍ବୀପ ପୋର୍ଟ ହେଲ୍‌ଥ ଅଫିସର ଡ. ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ସିବିଆଇ ଦ୍ବାରା ଗତ ୧୩ ତାରିଖରେ ଗିରଫ ହୋଇଥିଲେ । ଏହାପରେ ତାଙ୍କର କଳା କାରନାମା ଏବେ ଧୀରେଧୀରେ ପଦାକୁ ଆସୁଛି । ଡକ୍ଟର ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଏବେ ସିବିଆଇ ସ୍କାନରରେ ରହିଥିବା ଜଣାପଡ଼ିଛି । ପାରାଦ୍ବୀପ ବନ୍ଦର ସହିତ କାରବାର କରୁଥିବା ୪୫ଟି ସିପିଂ କମ୍ପାନୀର କର୍ମକର୍ତ୍ତା ଏହି ଗିରଫଦାରୀ ପରେ ପାରାଦ୍ବୀପରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି । ଡାକ୍ତର ପାଣିଗ୍ରାହୀ ଗିରଫ ହେବାପରେ ଏବେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢନ୍ତୁ- ସିବିଆଇ ଜାଲରେ ପାରାଦ୍ୱୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ; ଘରୁ ବୈଦେଶିକ ମୁଦ୍ରା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଜାହାଜର କ୍ୟାପଟେନମାନଙ୍କଠାରୁ ଦାମୀ ବ୍ରାଣ୍ଡର ସିଗାରେଟ ଓ ମଦ ମାଗୁଥିବା ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏପରିକି ସିଗାରେଟ ଓ ମଦ ନ ଦେଇ ପାରିଲେ ବିଦେଶୀ ଟଙ୍କା ଦେବାକୁ ସିପିଂ ଏଜେଣ୍ଟଙ୍କ ଜରିଆରେ କହୁଥିବା ଏକ ଭଏସ ରେକର୍ଡରେ ଶୁଣିବାକୁ ମିଳୁଛି । ଏହି ଘଟଣା ପଦାକୁ ଆସିବା ପରେ ସିବିଆଇ ପକ୍ଷରୁ ତଦନ୍ତକାରୀ ଦଳ ଅଡିଓ ଓ ଭିଡ଼ିଓକୁ ଯାଞ୍ଚ ପାଇଁ ପଠାଇ ଥିବା ଖବର ମିଳିଛି ।

ସୂଚନା ଥାଉ କି ଗତ 13 ତାରିଖ ଦିନ ପାରାଦ୍ବୀପ ବନ୍ଦରର ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଅଫିସ ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରି କୋଟିକୋଟି ଟଙ୍କାର ବୈଦେଶିକ ମୁଦ୍ରା ସହିତ କୋଟିଏରୁ ଅଧିକ ଭାରତୀୟ ଟଙ୍କା ଜବତ କରିଥିଲା ସିବିଆଇ । ଡ. ପାଣିଗ୍ରାହୀଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଓ ସିଗାରେଟ ଜବତ କରିଥିଲା ସିବିଆଇ । ଏହି ଘଟଣା ପରେ ଅଭିଯୁକ୍ତ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ନିଆଯାଇ ସେଠାରେ ପଚରାଉଚରା ପରେ ଗିରଫ କରାଯାଇଛି। ଏହି ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଧରିବା ପାଇଁ ସିବିଆଇ ଏବେ ଜାଲ ବିଛାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.