ETV Bharat / state

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଟ୍ରାଏଲ ଆରମ୍ଭ, ଭୁବନେଶ୍ବର କୋର୍ଟରେ ହେଲା ଚାର୍ଜଫ୍ରେମ୍

author img

By

Published : Aug 21, 2023, 10:51 PM IST

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଟ୍ରାଏଲ ଆରମ୍ଭ
ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଟ୍ରାଏଲ ଆରମ୍ଭ

ଚାକିରି ଦେବା ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଆରମ୍ଭ ହେଲା କେସ୍‌ ଟ୍ରାଏଲ୍‌ । ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଚାକିରି ଦେବା ନାଁରେ ଠକେଇ ମାମଲା । ଗୋପାଳପୁର ବିଧାୟକଙ୍କ ନାଁରେ ଆରମ୍ଭ ହେଲା କୋର୍ଟ କେସ୍‌ ଟ୍ରାଏଲ୍‌ । ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ପୂର୍ବରୁ ପୋଲିସ ଦାଖଲ କରିଥିବା ଚାର୍ଜସିଟ୍ ଆଧାରରେ ସ୍ବତନ୍ତ୍ର ଏମ୍‌ପି ଏମ୍‌ଏଲ୍‌ଏ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇ ତାଙ୍କ ନାଁରେ ଆଇନଗତ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କେବଳ ସେ ଏକା ନୁହନ୍ତି, ଅନ୍ୟତମ ଅଭିଯୁକ୍ତ ସର୍ବେଶ୍ଵର ରାଓ ଏବଂ ଆକାଶ ପାଠକଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ହୋଇଛି ।

ଏନେଇ ଶୁଣାଣୀ ପ୍ରକ୍ରିୟା ଆରମ୍ଭ ହେବ । ପ୍ରସ୍ତାବିତ ଡକ୍ୟୁମେଣ୍ଟ ଓ ଠକେଇର ଶିକାର ବ୍ୟକ୍ତିଙ୍କର ମଧ୍ୟ ସାକ୍ଷ୍ୟ ଗ୍ରହଣ ହେବ । ପରେ ଏହାର ବିଚାର ବେଳେ ଆଇନଗତ ଲଢେଇ ସରକାରୀ ଓକିଲ ଏବଂ ବିଧାୟକଙ୍କ ଓକିଲ ମଧ୍ୟରେ ହେବ । ତେବେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଆକାଶ ପାଠକ ହେଉଛନ୍ତି ପୂର୍ବତନ ତଥା ବହିଷ୍କୃତ IFS ଅଭୟ ପାଠକଙ୍କ ପୁଅ । ଯିଏକି ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଘଟଣାର ଆରମ୍ଭରୁ ଚର୍ଚ୍ଚା ହୋଇଆସିଛି । ତେବେ ଅଭିଯୋଗ ଅନୁସାରେ ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରିଥିଲେ‌ । ପରେ ବିଧାୟକ ନିଜର ସହଯୋଗୀ ସର୍ବେଶ୍ଵର ରାଓଙ୍କ ଜରିଆରେ ଗୋପାଳପୁରର କିଛି ଆଶାୟୀ, ଯେଉଁମାନେ ଟାଟା ମୋଟର୍ସରେ ଚାକିରି ପାଇଁ ଇଛୁକ ଥିଲେ, ସେମାନଙ୍କଠାରୁ ଟଙ୍କା ନେଇ ଚାକିରି ଦେବା ଆଳରେ ଠକିଥିବା ଅଭିଯୋଗ ହୋଇଥିଲା । ଏପରିକି ଆଶାୟୀମାନେ ଅଫର୍ ଲେଟର ମଧ୍ୟ ପାଇଥିଲେ, ହେଲେ ଚାକିରି ପାଇନଥିବା ଅଭିଯୋଗ ହୋଇଥିଲା । ଏଭଳି ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବା ପରେ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ

କ୍ରାଇମବ୍ରାଞ୍ଚ ଏହି ଘଟଣାରେ ସେତେବେଳେ ୩ ଜଣଙ୍କୁ ଗିରଫ କରିଥିଲା । ଏନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ ପରେ ଏବେ ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । କେବଳ ସେତିକି ନୁହେଁ, ଏହି ଘଟଣା ପରେ ପରେ ଲୋକପାଳଙ୍କ ପାଖରେ ହୋଇଥିବା ଏକ ଅଭିଯୋଗ ଆଧାରରେ ଗୋପାଳପୁର ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ମଧ୍ୟ କରିଥିଲା । ପରେ ବିଧାୟକ ଇଡିର ସ୍କାନରକୁ ଆସି ତଦନ୍ତର ସାମ୍ନା କରିଥିଲେ । କେବଳ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନୁହନ୍ତି, ତାଙ୍କ ପତ୍ନୀ ଓ ଝିଅ ମଧ୍ୟ ଇଡି ଜେରାର ସାମ୍ନା କରିଥିଲେ । ସେହିପରି ଆକାଶ ପାଠକ ଓ ଅଭୟ ପାଠକ ମଧ୍ୟ ଜେରାର ସାମ୍ନା କରିବା ସହ ପାଠକ ପରିବାର ନାଁରେ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରିଥିଲା ଇଡି । ତେବେ ବିଧାୟକ ଏବେ ହାଇକୋର୍ଟରୁ ଜାମିନରେ ଅଛନ୍ତି । ଏନେଇ ପରେ ରାଜନୈତିକ ମହଲରେ ମଧ୍ୟ ଅନେକ ବୟାନବାଜି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.