ETV Bharat / state

ବର୍ଷା କଲା ହତାସ, ଚାଷୀଙ୍କୁ ଘାରିଛି ମରୁଡି ଚିନ୍ତା

author img

By ETV Bharat Odisha Team

Published : Nov 1, 2023, 8:00 PM IST

low rain in Gajapati
low rain in Gajapati

ଚାଷୀ ବହୁଳ ଗଜପତି ଜିଲ୍ଲାରେ ମରୁଡି ଆଶଙ୍କା । ବର୍ଷାର ପରିମାଣ କମ ହେବା ଫଳରେ ଉପୁଜିଛି ସମ୍ଭାବ୍ୟ ମରୁଡି ସ୍ଥିତି । ଚିନ୍ତାରେ ଚାଷୀ । ଅଧିକ ପଢ଼ନ୍ତୁ

low rain in Gajapati

ଗଜପତି: ଚାଷୀ ବହୁଳ ଗଜପତି ଜିଲ୍ଲାରେ ଏବେ ମରୁଡି ଆଶଙ୍କା । ଜିଲ୍ଲାରେ ଅନାବୃଷ୍ଟି ଯୋଗୁଁ ଅଧିକାଂଶ ଜମି ଫାଟି ଆଁ କଲାଣି । ଜିଲାରେ ମାତ୍ର ୩୫ ପ୍ରତିଶତ ଜଳସେଚିତ ଜମି ରହିଥିବା ବେଳେ ବଳକା ଜମି ବର୍ଷା ଉପରେ ହିଁ ନିର୍ଭରଶୀଳ । ଏଭଳି ସ୍ଥିତିରେ ଗତ ମାସକ ମଧ୍ୟରେ ଆବଶ୍ୟକତା ଠାରୁ ମାତ୍ର ୧୨ ପ୍ରତିଶତ ବର୍ଷା ହୋଇଥିବା ଯୋଗୁଁ ସ୍ଥିତି ସଂଗୀନ ହୋଇଛି । ନିକଟ ଭବିଷ୍ୟତରେ ମଧ୍ୟ ବର୍ଷା ସମ୍ଭାବନା କମ ଥିବାରୁ ଜିଲ୍ଲାରେ ମରୁଡି ସ୍ଥିତି ଉପୁଜିବା ନିଶ୍ଚିତ ବୋଲି କୁହାଯାଉଛି । ଯାହାକୁ ନେଇ ଚାଷୀ ହତାସ ହୋଇ ବସିଲେଣି ।

ଉପାନ୍ତ ଗଜପତି ହେଉଛି ଏକ ଚାଷୀ ବହୁଳ ଜିଲ୍ଲା । ଚଳିତ ବର୍ଷ ୨୫ହଜାର ରୁ ଅଧିକ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୬୦ହଜାର ହେକ୍ଟର ଜମିରେ ଅଣଧାନ ଚାଷ ହୋଇଛି । ଜିଲ୍ଲାରେ ମାତ୍ର ୪୮ପ୍ରତିଶତ ଚାଷ ଜମି ଥିବା ବେଳେ ବଳକା ଜମି ଅଣଜଳସେଚିତ ବୋଲି କୃଷି ବିଭାଗ କହୁଥିଲେ ମଧ୍ୟ ତାହା କେବଳ କାଗଜପତ୍ରରେ ସୀମିତ ରହିଛି । କାରଣ ଅଧିକାଂଶ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇ ପଡିରହିଥିବା ବେଳେ କ୍ଷୁଦ୍ର ଜଳସେଚନର କେନାଲ ଗୁଡିକ ନଷ୍ଟ ହୋଇଯାଇଛି । ତେଣୁ ନିଜ ଉଦ୍ୟମରେ ଚାଷୀମାନେ ଜମିରେ ପାଣି ମଡାଇବା ପାଇଁ ପ୍ରୟାସ କରୁଛନ୍ତି । ଚଳିତ ବର୍ଷ ଅକ୍ଟୋବର ମାସରେ ଜିଲ୍ଲାରେ ଅନାବୃଷ୍ଟି ପରିସ୍ଥିତି ଦେଖାଦେଇଛି । ଅକ୍ଟୋବର ମାସରେ ଜିଲ୍ଲାରେ ୧୬୮.୬ମିମି ବର୍ଷା ହେବା କଥା । କିନ୍ତୁ ମାସର ୭ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାତ୍ର ୨୧.୨୬ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷାର ମାତ୍ର ୧୨ ପ୍ରତିଶତ । ଫଳରେ ଜିଲ୍ଲାର ଅଧିକାଂଶ ଚାଷ ଜମି ବର୍ତ୍ତମାନ ଫାଟି ଆଁ କଲାଣି ।

ପାଣି ଅଭାବରୁ ସ୍ଥିତି ସଂଗୀନ ହେବାରେ ଲାଗିଛି । ଚଳିତ ବର୍ଷ ବିଳମ୍ବ ବର୍ଷା ଯୋଗୁଁ ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିଲା । ତେଣୁ ଧାନ ଏବେ ଫୁଲ ଧରିବା ଆରମ୍ଭ କରିଛି । ଏହି ସମୟରେ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ସଠିକ ସମୟରେ ବର୍ଷା ଅଭାବ ଏବେ ଚାଷୀଙ୍କ ଚିନ୍ତାର କାରଣ ହୋଇଛି । ଏଭଳି ପାଣି ସମସ୍ୟା ଲାଗିରହିଲେ ଧାନ ଆମଳ ହେବା ସମ୍ଭାବନା ବହୁତ କମ୍ । ଫସଲ ସବୁ ଅଗାଡି ହୋଇଯିବ । ସେପଟେ ଆଗକୁ ବର୍ଷାର ସମ୍ଭାବନା ନଥିବାରୁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା କରି ଚିନ୍ତାରେ ପଡିଛନ୍ତି ଚାଷୀ । ଏଭଳି ହେଲେ ଚାଷୀ ଧାନ ବିକ୍ରି କରିବା ତ ଦୂରର କଥା ନିଜ ପାଇଁ ମଧ୍ୟ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିବ ବୋଲି ଚାଷୀମାନେ କହିଛନ୍ତି । ଏହି ସ୍ଥିତିରେ ସେମାନେ ଚାଷ ପାଇଁ କରିଥିବା ଋଣ କିପରି ପରିଶୋଧ କରିବେ ସେନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ଅଭାବରୁ ଜମିଫାଟି ଆଁ, ଚାଷୀ ମୁଣ୍ଡରେ ଚଡକ

ତେବେ ଜିଲ୍ଲାରେ ଚାଷର ସ୍ଥିତିକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଦବେଗ ପ୍ରକାଶ କରିଛନ୍ତି । ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ସ୍ଥିତି ଉଦବେଗଜନକ ରହିଛି । ଜିଲ୍ଲାର ଅଧିକାଂଶ ଜମିରେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ତେଣୁ ଜିଲ୍ଲାକୁ ମରୁଡି ପ୍ରଭାବିତ ଘୋଷଣା କରିବାକୁ ସେ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଥିବା କହିଛନ୍ତି । ଜିଲ୍ଲାରେ ବର୍ଷାଭାବ କଥାକୁ ଜିଲ୍ଲା କୃଷି ଅଧିକାରୀ ସ୍ବୀକାର କରିବା ସହ ଆଉ ସପ୍ତାହକ ମଧ୍ୟରେ ପାଣି ନମିଳିଲେ ଧାନ ଚାଷ ପ୍ରଭାବିତ ହେବ ବୋଲି କହିଛନ୍ତି । ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ସ୍ବାଭାବିକ କିମ୍ବା ତା ଠାରୁ ସାମାନ୍ୟ ଅଧିକ ବର୍ଷା ହୋଇଛି । କିନ୍ତୁ ଅକ୍ଟୋବର ମାସରେ ଅତି କମ୍ ବର୍ଷା ଅର୍ଥାତ୍ ସ୍ବାଭାବିକ ମାତ୍ର ୧୨ ପ୍ରତିଶତ ବର୍ଷା ହେବା ଯୋଗୁଁ ସ୍ଥିତି ବିଗିଡିବାରେ ଲାଗିଛି । ବର୍ତ୍ତମାନ ଜଳସେଚନ ହିଁ ଏକମାତ୍ର ବିକଳ୍ପ । ତେଣୁ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ କିଭଳି ଏହି ସମସ୍ୟାର ସମାଧାନ ହୋଇପାରିବ ସେନେଇ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.