ETV Bharat / state

ବର୍ଷା ଅଭାବରୁ ଜମିଫାଟି ଆଁ, ଚାଷୀ ମୁଣ୍ଡରେ ଚଡକ

author img

By ETV Bharat Odisha Team

Published : Oct 29, 2023, 7:49 AM IST

ବର୍ଷା ଅଭାବରୁ ଜମିଫାଟି ଆଁ
ବର୍ଷା ଅଭାବରୁ ଜମିଫାଟି ଆଁ

ଆଶ୍ୱିନ ଯାଇ କାର୍ତ୍ତିକ ହେବାକୁ ଥିବା ବେଳେ ଫଟା ବିଲ ଚାଷୀର ଚିନ୍ତାକୁ ବଢ଼ାଇ ଦେଇଛି । ଧାନ ଥୋଡ଼ ଧରି ଫୁଲ ଉଡାଇବା ସମୟରେ ବିଲ ଫାଟି ଆଁ କରିଛି । ଖୋର୍ଦ୍ଧା ଜିଲ୍ଲାରେ ଜଳସେଚନର ବିଶେଷ ସୁବିଧା ନଥିବା ବେଳେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆସନ୍ନ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି । ଅଧିକ ପଢ଼ନ୍ତୁ

ବର୍ଷା ଅଭାବରୁ ଜମିଫାଟି ଆଁ

ଖୋର୍ଦ୍ଧା: ଆଶ୍ୱିନ ଯାଇ କାର୍ତ୍ତିକ ହେବାକୁ ଥିବା ବେଳେ ଫଟା ବିଲ ଚାଷୀର ଚିନ୍ତାକୁ ବଢ଼ାଇ ଦେଇଛି । ଧାନ ଥୋଡ଼ ଧରି ଫୁଲ ଉଡ଼ାଇବା ସମୟରେ ବିଲ ଫାଟି ଆଁ କରିଛି । ଖୋର୍ଦ୍ଧା ଜିଲ୍ଲାରେ ଜଳସେଚନର ବିଶେଷ ସୁବିଧା ନଥିବା ବେଳେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆସନ୍ନ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାକୁ ବସିଛି । ବ୍ୟାଙ୍କ୍‌ ଏବଂ ବିଭିନ୍ନ ଲୋକଙ୍କଠାରୁ କରଜ କରି ଟଙ୍କା ଆଣି ଚାଷରେ ଲଗାଇଥିଲା କିନ୍ତୁ ଏଭଳି ସ୍ଥିତି ଦେଖି ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ ।

ଏଭଳି ପରିସ୍ଥିତିରେ ବିହନ ପାଇବା ମଧ୍ୟ କଷ୍ଟ ହୋଇପଡ଼ିବ ବୋଲି ଆଶଙ୍କା କଲାଣି ଚାଷୀ । ଚଳିତ ବର୍ଷ ଭଲ ଫସଲ ହେବ ବୋଲି ଆଶା କରିଥିଲା ଚାଷୀ । ବିଶେଷତଃ ଖୋର୍ଦ୍ଧା ଜିଲ୍ଲାର ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ଚଳିତ ବର୍ଷ ମୌସୁମୀ ଆସିଲା ଓ ଚାଲିଗଲା ହେଲେ ଚାଷ ପାଇଁ ଯେତିକି ବର୍ଷା ଦରକାର ତାହାଠାରୁ ବହୁ କମ୍‌ ପରିମାଣର ବର୍ଷା ଏବେ ଚାଷୀର ଚିନ୍ତାକୁ ବଢ଼ାଇ ଦେଇଛି । ଜିଲ୍ଲାର ସମସ୍ତ ଅଞ୍ଚଳରେ ନିଆଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲା କୃଷି ବିଭାଗ ସୂଚନା ଦେଇଛି । ବେଗୁନିଆ, ବୋଲଗଡ଼, ଜଟଣୀ, ଟାଙ୍ଗି, ଖୋର୍ଦ୍ଧା, ଚିଲିକା ଅଞ୍ଚଳରେ ଆବଶ୍ୟକତାଠାରୁ ବହୁ କମ ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଲଗାଣ ବର୍ଷାରେ ଭାଙ୍ଗିଲା ଅମୃତସରୋବର, ନଷ୍ଟ ହୋଇଗଲା ଏକର ଏକର ଫସଲ

ସେପଟେ ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁଯାୟୀ ଜିଲ୍ଲାରେ ମୋଟ 2 ଲକ୍ଷ 21 ହଜାର 300 ହେକ୍ଟର ଚାଷ ଜମି ଥିବା ବେଳେ ମୋଟ 1 ଲକ୍ଷ 3ହଜାର 200 ହେକ୍ଟର ଜମିରେ ଧାନ ଫସଲ ହୋଇଥାଏ । କିନ୍ତୁ ଚଳିତ ଖରିଫ ଋତୁରେ 1 ଲକ୍ଷ 2ହଜାର 856 ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେହିପରି ଚାଷଜମି ନିକଟରେ ଜଳସେଚନର କୌଣସି ସୁବିଧା ନଥିବାରୁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଠି କେନାଲ ଅଛି ସେଠାରେ କେନାଲରେ ପାଣି ନାହିଁ । ବିଲ ଭିତରେ ବହୁ ଉଠା ଜଳସେଚନ ସୁବିଧା ଫେଲ୍‌ ମାରିଛି । ବର୍ତ୍ତମାନ ଧାନ ଫସଲରେ ଥୋଡ଼ ଧରିବା ଆରମ୍ଭ କରି ଫୁଲ ଉଡ଼ାଇବାର ସମୟ । ଏତିକି ବେଳେ ବିଲରେ ପାଣି ନାହିଁ । ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିବା କାରଣରୁ ଚାଷ କାମ ମଧ୍ୟ ବିଳମ୍ବିତ ହୋଇଥିଲା । ପାଣି ଅଭାବରୁ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଥିବା ବଳେ ଯେଉଁଠି ଜଳଉତ୍ସ ଅଛି ତାହାକୁ ଚାଷ ଜମିରେ ଉପଯୋଗ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଉଛି କୃଷି ବିଭାଗ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.