ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଅମୃତସରୋବର, ନଷ୍ଟ ହୋଇଗଲା ଏକର ଏକର ଫସଲ

author img

By

Published : Jul 24, 2023, 10:40 PM IST

ବର୍ଷାକୁ ଦେଖି ଚାଷୀ ଖୁସିହେଉଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀଙ୍କ ନିଦ ହଜାଇଛି । ମାଲକାନଗିରି କଦଳୀବନ୍ଧ ଗାଁରେ ନୂଆକରି ନିର୍ମାଣ ହୋଇଥିବା ଅମୃତସରୋବର ପୋଖରୀ ହିଡ଼ ଭାଙ୍ଗିବା ଫଳରେ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢ଼ନ୍ତୁ

ଲଗାଣ ବର୍ଷାରେ ଭାଙ୍ଗିଲା ଅମୃତସରୋବର
ଲଗାଣ ବର୍ଷାରେ ଭାଙ୍ଗିଲା ଅମୃତସରୋବର

ଲଗାଣ ବର୍ଷାରେ ଭାଙ୍ଗିଲା ଅମୃତସରୋବର

ମାଲକାନଗିରି: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ । ନୂଆକରି ନିର୍ମାଣ ହୋଇଥିବା ଅମୃତସରୋବର ପୋଖରୀ ହିଡ ଭାଙ୍ଗିଯିବା ଫଳରେ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ପେପରମେଟଲା ପଞ୍ଚାୟତ ଅନ୍ତର୍ଗତ କଦଳୀବନ୍ଧ ଗାଁରେ କିଛିଦିନ ପୂର୍ବରୁ ନିର୍ମାଣ କରଯାଇଥିଲା ଏହି ଅମୃତସରୋବର ପୋଖରୀ । ତେବେ ଲଗାଣ ବର୍ଷା ହେବା ଦ୍ଵାରା ଅମୃତସରୋବର ପୋଖରୀର ହିଡ ଭାଙ୍ଗି ଯାଇଛି । ଆଉ ଚାଷ ଜମିରେ ମାଡି ଯାଇଛି ବଡ ବଡ ପଥର ସହ ବାଲି ।

ସମତଳ ଜମି ନଥିବା କାରଣରୁ ପାହାଡିଆ ଜମିକୁ ଚାଷ କରିଥାନ୍ତି ଏହି ଅଞ୍ଚଳର ଲୋକେ । ପାହାଡର ତଳ ଭାଗରେ ଅମୃତସରୋବର ନିର୍ମାଣ କରିବା ଦ୍ଵାରା ପାହାଡରୁ ଝରଣା ପାଣି ଆସି ଅମୃତସରୋବର ପୋଖରୀ ହିଡ ଭାଙ୍ଗି ଆଦିବାସୀଙ୍କ ଚାଷ ଜମିରେ ମାଡି ଯାଇଛି । ବର୍ଷ ସାରା ଚାଷ କରିଥିବା ସମସ୍ତ ଫସଲ ଏବେ ପଥର ଓ ବାଲି ତଳେ ହଜି ଯାଇଛି । ବର୍ଷ ସାରା ନିଜ ପରିବାରକୁ ଦୁଇଓଳି ଦୁଇମୁଠା ଖାଇବା ଯୋଗାଇ ଦେବାସହ ଖୁସିରେ ରହିବା ପାଇଁ ପୁରା ପରିବାର ଲାଗିଥିଲେ ଚାଷ କାର୍ଯ୍ୟରେ । ହେଲେ ଲଘୁଚାପ ଜନିତ ବର୍ଷା ଲାଗିରହିବା ଦ୍ଵାରା ମଉଳି ଗଲା ଚାଷୀଙ୍କ ଖୁସି । ତେବେ ଲ୍ୟାମ୍ପ ଓ ସାହୁକାରଠାରୁ ଋଣରେ ଟଙ୍କା ଆଣି ଚାଷ କରିଥିଲେ ଚାଷୀ । କିଏ ଧାନ ଚାଷ କରିଥିଲା ତ ଆଉ କିଏ ମାଣ୍ଡିଆ ଚାଷ କରିଥିଲା । ବର୍ତ୍ତମାନ ତାଙ୍କ ଜମିରେ ବାଲି ମାଡିଯିବା ସହ ବଡ ବଡ ପଥର ମାଡି ଯାଉଛି । ଯାହା ଫଳରେ ବର୍ଷକର ଚାଷ ଅମଳ ହୋଇପାରିବନି । ବର୍ଷ ତମାମ ପରିବାର କିପରି ପୋଷିବେ ଓ ଆଣିଥିବା ଋଣ କିପରି ସୁଝିବେ ସେନେଇ ସରକାରଙ୍କୁ ସହାୟତା ପାଇଁ ଗୁହାରୀ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଲଗାଣ ବର୍ଷା ଆଣିଲା ବିପଦ: ମାଲକାନଗିରେ ଭୁଶୁଡ଼ିଲା ଘର, ଗଛ ଭାଙ୍ଗି ୩ ଗୁରୁତର

ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା, କିଭଳି ପାହାଡ ତଳେ ନାଳ ନିକଟରେ ଅମୃତସରୋବର କରାଗଲା ଓ ଏହି ଜାଗାରେ ଅମୃତସରୋବର କରିବା ପାଇଁ ପଞ୍ଚାୟତ ଜିଆର୍‌ଏସ୍‌ ଓ ପିଇଓଙ୍କୁ ଅନୁମତି କିଏ ଦେଲା । ଏଭଳି ଜାଗାରେ ପୋଖରୀ ନିର୍ମାଣ କରିବା ପାଇଁ ଜେଇ ଓ ଏଇ କିଭଳି ରାଜି ହୋଇ କାମ କରିଥିଲେ, ତାହା ଏବେ ସାଧାରଣାରେ ଚର୍ଚ୍ଚା । ଏହି ଘଟଣାକୁ ନେଇ ଚିତ୍ରକୋଣ୍ଡା ବିଡିଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଯୋଗାଯୋଗ ହୋଇ ପାରିନାହିଁ । ପରେ ବ୍ଲକ ଏପିଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି, "ଏହି ଅମୃତସରୋବରଟି ଦୁଇ ମାସ ତଳେ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଧା କାମ ସରିନାହିଁ । ଏହାର ଏନ୍‌ଆର୍‌ଜିଏସ୍‌ରେ ପେମେଣ୍ଟ ହୋଇନାହିଁ ।" ଏହାର ଅଟକଳ ମୁଲ୍ୟ ୮ ଲକ୍ଷ ଟଙ୍କା ହୋଇଥିବା ସେ କହିଛନ୍ତି । ତେବେ ପାହାଡ଼ ତଳ ନାଳ ନିକଟରେ କିଭଳି ଏହି ସରୋବର କାମ କରାଯାଉଥିଲା ଏବଂ ସ୍ଥାନୀୟ ଆର୍‌ଆଇ ଏହି ଜାଗା ଚିହ୍ନଟ କରି ଷ୍ଟ୍ରେଚ୍ ମ୍ୟାପ ଦେଇଥିଲେ କି ବୋଲି ପ୍ରଶ୍ନ କରିବାରୁ ଏପିଓ କହିଛନ୍ତି, "ରାଜସ୍ବ ବିଭାଗ ଆର୍‌ଆଇ କୌଣସି ଜାଗା ଚିହ୍ନଟ କରିନାହାନ୍ତି । ସେ ଷ୍ଟ୍ରେଚ୍ ମ୍ୟାପ ବି ଦେଇନାହାନ୍ତି । କିନ୍ତୁ ଗ୍ରାମବାସୀଙ୍କ ଅମୃତସରୋବର କରିବା ପାଇଁ ଦାବି ଥିବାରୁ ସେଠାରେ ଅମୃତସରୋବର କାମ କରାଯାଛି ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.