ETV Bharat / state

ସରକାରଙ୍କ ବିକାଶ ନକ୍ସା ବାହାରେ ବିଦ୍ୟାଳୟ, କୁଡ଼ିଆରେ ଚାଲିଛି ଦେଶର ଭବିଷ୍ୟତ ଗଢ଼ା

author img

By ETV Bharat Odisha Team

Published : Nov 6, 2023, 5:31 PM IST

ରାଜ୍ୟରେ ସ୍କୁଲ ଗୁଡିକ ଚକାଚକ୍‌ ସ୍ମାର୍ଟ ହେଉଥିବା ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ କୁଡ଼ିଆ ଘରେ ଗଢ଼ା ଚାଲିଛି କୁନିକୁନି ଶିଶୁଙ୍କ ଭବିଷ୍ୟତ । ଅଧିକ ପଢ଼ନ୍ତୁ

Talasahi Primary School in Gajapati
Talasahi Primary School in Gajapati

Talasahi Primary School in Gajapati

ଗଜପତି: ରାଜ୍ୟ ସରକାର ଶିକ୍ଷାର ବିକାଶ କରୁଥିବା କହୁଛନ୍ତି । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ମାଧ୍ୟମରେ କୋମଳମତି ପିଲାମାନେ ଏକ ସୁସ୍ଥ ବାତାବରଣ ଓ ନିରାପଦ ଶ୍ରେଣୀ ଗୃହରେ ବସି ପାଠ ପଢି ବିଦ୍ୟା ଅର୍ଜନ କରନ୍ତୁ । ସେମାନେ ସ୍ମାର୍ଟ ଶ୍ରେଣୀରେ ବସି ପାଠ ପଢି ସ୍ମାର୍ଟ ହୁଅନ୍ତୁ । ଏଭଳି ପରିକଳ୍ପନା ନେଇ ୫-ଟି ଜରିଆରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଶିକ୍ଷାନୁଷ୍ଠାନର ଚିତ୍ର ବଦଳାଇଥିବା କହୁଥିବା ବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ । ଯେଉଁଠି ଆଜି ମଧ୍ୟ ଏଭଳି କିଛି ବିଦ୍ୟାଳୟ ରହିଛି ଯେଉଁଠାରେ ଭଙ୍ଗା କୁଡିଆରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲୋବା ପଞ୍ଚାୟତର ତାଲାସାହି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର । ୧୯୫୯ ମସିହାରେ ତାଲାସାହି ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟଟି ସ୍ଥାପିତ ହୋଇଛି । ଭ୍ରମରସିଂ, ତମରେଙ୍ଗ, ମାଧେପୁର ଏବଂ ତାଲାସାହି ଆଦି ଗ୍ରାମର ପିଲାମାନେ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମୋଟ ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ପାଞ୍ଚଟି ଶ୍ରେଣୀ ପାଇଁ ବିଦ୍ୟାଳୟରେ ରହିଛି ମାତ୍ର ଗୋଟିଏ କୋଠା ଘର ।

ସେଠାରେ ବିଦ୍ୟାଳୟର କାର୍ଯ୍ୟାଳୟ ଚାଲୁଥିବା ବେଳେ ଗୋଟିଏ ଶ୍ରେଣୀର ପିଲା ସେଠାରେ ବସି ପଢୁଛନ୍ତି। ସେହିଭଳି ଦୁଇଟି ଶ୍ରେଣୀର ପିଲା ସ୍କୁଲ ବାରଣ୍ଡାରେ ବସୁଥିବା ବେଳେ ଆଉ ଦୁଇଟି ଶ୍ରେଣୀର ପିଲା ଭଙ୍ଗା କୁଡିଆରେ ବସି ପାଠ ପଢ଼ୁଛନ୍ତି । ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ବସିବାକୁ ଜାଗା ହେଉନଥିବାରୁ ସେହି କୁଡିଆ ଖଣ୍ଡକ ବି ଗାଁ ଲୋକେ ତିଆରି କରିଛନ୍ତି । ସେପଟେ ବିଦ୍ୟାଳୟରେ ସୁରକ୍ଷା ପାଚେରୀ ନଥିବା ବେଳେ ଶୌଚାଳୟ ଗୁଡିକ ମଧ୍ୟ ଭାଙ୍ଗିରୁଜି ଯାଇଛି । ଏଭଳି ଅବ୍ୟବସ୍ଥା ମଧ୍ୟରେ କୁନି କୁନି ଶିଶୁଙ୍କ ଭବିଷ୍ୟତ ଗଢ଼ା ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ.....ଶିକ୍ଷା ବ୍ୟବସ୍ଥାକୁ ଆଖି ଠାର, କୁଡିଆ ଘରେ ଚାଲିଛି ପିଲାଙ୍କ ପାଠପଢା

ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି । ଦୀର୍ଘ ବର୍ଷ ହେବ ଛାତ୍ରଛାତ୍ରୀମାନେ ଏପରି ସମସ୍ୟା ଭୋଗୁଛନ୍ତି । ଫଳରେ ଶିକ୍ଷା ଦାନରେ ସମସ୍ୟା ହେଉଛି । ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ବହୁବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ ପ୍ରଶାସନ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଅବିଭାବକ । ତେବେ ବାରମ୍ବାର ଅଭିଯୋଗ ପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ଗ୍ରାମବାସୀ ନିଜେ ଶ୍ରମଦାନ କରି ଏକ ଚାଳ ଛପର କୁଡିଆ ଘର ତିଆରି କରିଥିବା କହିଛନ୍ତି । ଏନେଇ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ଏହି ସମସ୍ୟା ସଂପର୍କରେ ତାଙ୍କ ନିକଟରେ ଖବର ରହିଛି ଏବଂ ଅତିଶୀଘ୍ର ଏହାର ସମାଧାନ କରିବା ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି ।

ତେବେ ସରକାର ଶିକ୍ଷାର ବିକାଶ କରୁଥିବା କହି ବାଃ ବାଃ ନେଉଥିବା ବେଳେ ଏହି ସ୍କୁଲର ସ୍ଥିତିକୁ ଦେଖିଲେ ସରକାରୀ ଯୋଜନା ଯେ କେବଳ ପ୍ରଚାର ସର୍ବସ୍ବ ତାହା ସ୍ପଷ୍ଟ ବାରି ହୋଇପଡୁଛି । ସ୍ମାର୍ଟ ସ୍କୁଲରେ ପାଠ ପଢି ପିଲାମାନେ ସ୍ମାର୍ଟ ହେବେ ବୋଲି ସରକାର କହୁଛନ୍ତି । ଏଭଳି ସମୟରେ ଆଦିବାସୀ ଅଞ୍ଚଳରେ ଥିବା ଏଭଳି ସ୍କୁଲର ଚିତ୍ର ହିଁ ସରକାରୀ ଯୋଜନାର ସଫଳ ରୂପାୟନ କଥାକୁ ଦାଣ୍ଡରେ ପକାଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.