ଆସିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁକନ୍ୟାକୁ ଧରି ନାଳ ପାର ହେଲେ ପ୍ରସୂତି
ଆସିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁକନ୍ୟାକୁ ଧରି ନାଳ ପାର ହେଲେ ପ୍ରସୂତି
ପରଜଙ୍ଗରେ ପୁଣି ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି । ନବଜାତ ଶିଶୁ କନ୍ୟାକୁ ଧରି ଭରା ନାଳ ପାର ହୋଇଛନ୍ତି ପ୍ରସୂତି । ଅଧିକ ପଢନ୍ତୁ
ଢେଙ୍କାନାଳ: ପରଜଙ୍ଗରେ ପୁଣି ଜନନୀ ଯନ୍ତ୍ରଣା । ନବଜାତ ଶିଶୁ କନ୍ୟାକୁ ଧରି ଭରା ନାଳ ପାର ହୋଇଛନ୍ତି ପ୍ରସୂତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ନବଜାତ ଶିଶୁକୁ ଜନ୍ମ ଦେବାପରେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହୋଇଥିବାବେଳେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ଫଳରେ ମହିଳା ଜଣକ ନବଜାତ ଶିଶୁକୁ ଧରି ନାଳ ପାରି ହୋଇଛନ୍ତି।
ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଦୁମୁହାଣୀ ଗାଁରେ ଏଭଲି ହୃଦୟ ବିଦାରକ ଘଟଣା ଘଟିଛି। ସୂଚନା ଅନୁସାରେ, ମଙ୍ଗୁଳ ଚତାରଙ୍କ ସ୍ତ୍ରୀ ଲିପି ଚତାର ଗର୍ଭବତୀ ଥିବାବେଳେ ତାଙ୍କର ପ୍ରସବ ବେଦନା ହୋଇଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ଫୋନ ଯୋଗେ ସେମାନେ ଜନନୀ ଗାଡ଼ିକୁ ଡାକିଥିଲେ । କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ଜନନୀ ଗାଡିଟି ଗାଁରେ ପହଞ୍ଚି ପାରି ନଥିଲା। ଆଉ ଶେଷରେ ଗର୍ଭ ଯନ୍ତ୍ରଣାର ଛଟପଟ ହୋଇ ଘରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଗର୍ଭବତୀ ମହିଳା ।
ତେବେ ଦୁଃଖ ସେତିକିରେ ସରିନଥିଲା। ନବଜାତ ଶିଶୁକୁ ଜନ୍ମ ଦେବାପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା। ତେଣୁ ଉଭୟ ମା' ଓ ଶିଶୁଙ୍କୁ ଜନନୀ ଏକ୍ସପ୍ରେସ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବୋହିନେଇଥିଲେ ସମ୍ପର୍କୀୟ ଓ ଗ୍ରାମବାସୀ। ହେଲେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଏକ ନାଳ ରହିଥିଲା। ଫଳରେ ପ୍ରସ୍ତୂତି ମହିଳା ଜଣକ ଶିଶୁ କନ୍ୟାର ନାଭୀ ନାଡ କଟାହୋଇନଥିବା ଅବସ୍ଥାରେ ହିଁ ତାକୁ ଧରି ଆଣ୍ଠୁଏ ପାଣିରେ ଭରା ନାଳ ପାରି ହୋଇଛନ୍ତି। ଆଉ ତା'ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ ଗ୍ରାମବାସୀ ଓ ପରିବାର ଲୋକେ।
ଉଭୟ ମା' ଓ ଶିଶୁକୁ ପରଜଙ୍ଗ ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟ ମା' ଓ ଶିଶୁର ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି। ଏହି ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଅବସ୍ଥା ସୁଧୁରୁନି। ଯାହାଫଳରେ ଆଜି ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳରେ ପକ୍କା ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର l ହେଲେ ଏହି ଆଖୁଆପlଳ ଗ୍ରାମବାସୀ ଏଥିରୁ ବଞ୍ଚିତ ରହି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତିl ଆଗାମୀଦିନରେ ଯଦି ରାସ୍ତା ନିର୍ମାଣ କରାନଯାଏ, ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l
ଇଟିଭି ଭାରତ, ଢେଙ୍କାନାଳ
