ETV Bharat / state

ବ୍ଲାଉଜ ସିଲେଇକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

author img

By

Published : Apr 18, 2023, 4:48 PM IST

Miscreants attack man over blouse stitching
Miscreants attack man over blouse stitching

ଢେଙ୍କାନାଳରେ ବ୍ଲାଉଜ ସିଲାଇକୁ ନେଇ ତୁମୁଳୁକାଣ୍ଡ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ବ୍ଲାଉଜ ସିଲେଇକୁ କେନ୍ଦ୍ରକରି ତୁମୁଳକାଣ୍ଡ

ଢେଙ୍କାନାଳ: ସାମାନ୍ୟ ବ୍ଲାଉଜ ସିଲେଇକୁ କେନ୍ଦ୍ର କରି ଘଟିଛି ତୁମୁଳକାଣ୍ଡ । ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଟଭାପାଳ ଗ୍ରାମରେ ଗତ ବିଳମ୍ବିତ ରାତିରେ ଘଟିଛି ଏଭଳି ମରଣାନ୍ତକ ଆକ୍ରମଣ । ଏହି ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା କଟକ ବଡ଼ ଡାକ୍ତରଖାନାରେ ଜାରି ରହିଛି ।

ଗୁରୁତର ଆହତ ଯୁବକଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ଟଭାପାଳ ଗ୍ରାମର ବିପିନ ରାଉତ ବୋଲି ଜଣାପଡିଛି । କଟୁରୀ ଚୋଟରେ ତାଙ୍କ ବେକ ଓ ପିଠିରେ ଗଭୀର କ୍ଷତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ଟଭାପାଳ ଗ୍ରାମର ବାପୁନି ରାଉତଙ୍କ ପତ୍ନୀ ଗାଁରେ ସିଲାଇ କରନ୍ତି । ଗାଁର ମହିଳାମାନେ ତାଙ୍କୁ ତାଙ୍କ ବ୍ଲାଉଜ ଓ ଶାଢ଼ୀ ଆଦି ସିଲାଇ କରିବାକୁ ଦେଇଥାନ୍ତି ।

ତେବେ ଏହି ଆକ୍ରମଣ ଘଟଣାରେ ଗୁରୁତର ହୋଇଥିବା ବିପିନ ରାଉତଙ୍କ ପତ୍ନୀ ସୁମିତ୍ରା ରାଉତ ତାଙ୍କ ବ୍ଲାଉଜ ସିଲାଇ କରିବାକୁ ବାପୁନି ରାଉତଙ୍କ ପତ୍ନୀଙ୍କୁ ଦେଇଥିଲେ । କୁଆଡେ ବ୍ଲାଉଜ ସିଲାଇ କରିବାକୁ ଅହେତୁକ ବିଳମ୍ବ ସାଙ୍ଗକୁ ଠିକରେ ବ୍ଲାଉଜ ସିଲାଇ କରିନଥିଲେ । ଫଳରେ ବ୍ଲାଉଜ ସିଲାଇ ବିଳମ୍ବ ଓ ଠିକରେ କରିନଥିବାରୁ ସୁମିତ୍ରା ପଇସା ଦେବାଜୁ ମନା କରିଥିଲେ। ଉଭୟ ମହିଳାଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରେ ପାଟିତୁଣ୍ଡ ହୋଇଥିଲେ । ପରେ ଏହି ଘଟଣାକୁ ନେଇ ମଧ୍ୟ ଉଭୟ ପରିବାର ମଧ୍ୟରେ ମଧ୍ୟ ପାଟିତୁଣ୍ଡ ଲାଗିଥିଲା ।

ଏହା ବି ପଢନ୍ତୁ- ପୁଣି ଅଶାନ୍ତ ପୁରୀ, ଦରଜିପୋଖରୀ ଛକରେ ଯୁବକଙ୍କୁ ଛୁରାମାଡ

ପତ୍ନୀମାନଙ୍କ ଏହି ବ୍ଲାଉଜ ସିଲାଇ ଗଣ୍ଡଗୋଳକୁ ନେଇ ଉଭୟ ବିପିନ ଓ ବାପୁନି ମଧ୍ୟରେ ଛକାପଞ୍ଝା ଲାଗିଥିଲା। ଏପରି ସ୍ଥଳେ ଗତ ବିଳମ୍ବିତ ରାତିରେ ବିପିନ ଗାଁ କୋଠାଘର ନିକଟରେ ଥିବା ସମ୍ପର୍କରେ ଖବର ପାଇଥିଲା ବାପୁନି ରାଉତ। ହାତରେ କଟୁରୀ ଓ ଟାଙ୍ଗିଆ ଧରି ବାପୁନି ଓ ତାର ସାଥୀ ମିଶି ବିପିନ ରାଉତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଜଣାପଡ଼ିଛି। ଫଳରେ ପ୍ରାଣ ବଞ୍ଚିବାକୁ ବିପିନ ଗାଁ ଦୌଡ଼ି ପଳାଇବା ବେକେ ଗାଁ ଦାଣ୍ଡରେ ତାଙ୍କୁ ବାପୁନି ଓ ତାର ସାଥୀ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ଆକ୍ରମଣରେ ବିପିନ ଗୁରୁତର ହୋଇପଡ଼ିଥିଲେ । ବିପିନଙ୍କୁ ତାଙ୍କ ପରିବାର ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନତାରିତ କରିଆଯାଇଥିବା ଜଣାପଡିଛି। ଏହି ଆକ୍ରମଣ କରିଥିବା ବାପୁନି ରାଉତ ଓ ତାର ସାଥୀ ଫେରାର ହୋଇଯାଇଛନ୍ତି। ଖବର ପାଇ ସଦର ପୋଲିସ ଟଭାପାଳ ଗାଁରେ ଯାଇ ଛାନଭିନ ଆରମ୍ଭ କରିଛି। ଏସମ୍ପର୍କରେ ଉଭୟଙ୍କ ପରିବାର ପକ୍ଷରୁ ସଦର ଥାନାରେ ପୃଥକ ପୃଥକ ୨ଟି ଅଭିଯୋଗ ହୋଇଛି । ଆକ୍ରମଣ କରିଥିବା ବାପୁନି ରାଉତ ଓ ତାର ସାଥୀଙ୍କୁ ପୋଲିସ ଖୋଜାଖୋଜି କରୁଥିବା ସହ ତଦନ୍ତ କରୁଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.