ETV Bharat / state

ଧାନ ଫସଲ ଖାଇଗଲେ ହାତୀ, ଚିନ୍ତାରେ ଚାଷୀକୁଳ ।

author img

By ETV Bharat Odisha Team

Published : Nov 24, 2023, 9:38 PM IST

ଧାନ ଫସଲ ଖାଇଗଲେ ହାତୀ
ଧାନ ଫସଲ ଖାଇଗଲେ ହାତୀ

ଧାନ ଫସଲ ଖାଇଯାଉଛନ୍ତି ହାତୀପଲ । ଧାନ ଅମଳ ସମୟରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାରୁ ମୁଣ୍ଡରେ ହାତ ଦେଲେଣି ଜିଲ୍ଲାର ଚାଷୀକୁଳ । ଆଗକୁ ପଢ଼ନ୍ତୁ

ଧାନ ଫସଲ ଖାଇଗଲେ ହାତୀ

ଦେବଗଡ଼: ଏକର ଏକର ଧାନ ଫସଲ ଖାଇଯାଉଛନ୍ତି ହାତୀପଲ । ଉଜୁଡି ଯାଉଛି ଚାଷୀଙ୍କ ସୁନାର ଫସଲ । ବର୍ଷକର ପରିଶ୍ରମ ପରେ ଠିକ ଧାନ ଅମଳ ସମୟରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାରୁ ମୁଣ୍ଡରେ ହାତ ଦେଲେଣି ଜିଲ୍ଲାର ଚାଷୀକୁଳ ।

କ୍ଷେତରେ ହସୁଛି ସୁନାର ଫସଲ । ନିଜ କ୍ଷେତରେ ଆଶାନୁରୂପ ଫସଲ ହୋଇଥିବା ଦେଖି ଚାଷୀଙ୍କ ମନରେ ଆନନ୍ଦ ଖେଳି ଯାଇଛି । ଚଳିତ ବର୍ଷ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ଯୋଗୁଁ ଭଲ ଧାନ ଫସଲ ହୋଇଥିବା ଚାଷୀକୁଳଙ୍କୁ ଆସ୍ୱସ୍ତି କରିଛି । ମାତ୍ର ଠିକ ଅମଳ ସମୟରେ ଜିଲ୍ଲାରେ ବୃଦ୍ଧି ପାଉଥିବା ହାତୀ ଉପଦ୍ରବ ଚାଷୀଙ୍କ ସବୁ ଆଶା ପାଣିପୁଟକା ଭଳି ମିଳେଇ ଯାଇଛି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଶତାଧିକ ସଂଖ୍ୟାରେ ହାତୀ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରି ଚାଲିଛନ୍ତି । ବିଶେଷ କରି ରିଆମାଳ ବ୍ଲକ ତଥା ରିଆମାଳ ରେଞ୍ଜ ଅନ୍ତର୍ଗତ ଅର୍ଜୁନଝରି , ଡେଙ୍ଗସର୍ଗି, କୁଲବସା, ନୂଆଁଡ଼ିହି, ଫୁଲଝରି, ମହାସିନ୍ଧୁ, ଭାଲୁଚବା ଓ ଖିଲେଇ ଆଦି ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ ଅସହ୍ୟ ଭାବେ ବୃଦ୍ଧି ପାଇଛି ।

ଅର୍ଜୁନଝରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତ କିଛିଦିନ ହେଲା ପାୟ 40ରୁ ଊର୍ଦ୍ଧ୍ୱ ହାତୀପଲ ନାହିଁନଥିବା କ୍ଷୟକ୍ଷତି ଘଟାଇ ଚାଲିଛନ୍ତି । ପ୍ରତିଦିନ ଅପରାହ୍ନ 4ଟା ସମୟରୁ 40 ଜଣିଆଁ ହାତୀପଲ ଗାଁ ନିକଟ ଧାନକ୍ଷେତକୁ ଆସି ଏକର ଏକର ଧାନଫସଲ ଖାଇ ଯାଉଛନ୍ତି । ଅଧିକାଂଶ କ୍ଷେତରେ ହାତୀପଲ ଯାତାୟତ କରୁଥିବା ଓ ଶୋଇ ରହୁଥିବାରୁ ବହୁ ପରିମାଣରେ ଧାନ ଫସଲ ଅମଳ ପୂର୍ବରୁ ନଷ୍ଟ ହୋଇ ଯାଉଛି । ବେସରକାରୀ ସୂତ୍ରରୁ ଆକଳନ ଅନୁଯାଇ ଉପରୋକ୍ତ ଗ୍ରାମାଞ୍ଚଳରେ ଗତ କିଛିଦିନ ମଧ୍ୟରେ ହାତୀପଲ ପ୍ରାୟ 100 ଏକରରୁ ଅଧିକ ଫସଲ ନଷ୍ଟ କରି ସାରିଲେଣି । ଗ୍ରାମବାସୀ ନିଜନିଜ ଫସଲ ବଞ୍ଚାଇବାକୁ ରାତି ଉଜାଗର ରହି ବାଣ ଓ ମଶାଲ ନେଇ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..8 ଦିନ ହେଲା କଷ୍ଟ ପାଉଥିଲା, ଉଦ୍ଧାର ହେଲା ଅସୁସ୍ଥ ହାତୀ ଛୁଆ

ବନବିଭାଗ ମଧ୍ୟ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛି । ହେଲେ କୌଣସି ସୁଫଳ ମିଳୁନାହିଁ । ବରଂ ଗୋଟିଏ ପାର୍ଶ୍ୱରୁ ଘଉଡାଇଲେ ଅନ୍ୟ ପାର୍ଶ୍ଵକୁ ଯାଇ କ୍ଷୟକ୍ଷତି କରି ଚାଲିଛି । ଏଣୁ ଚାଷୀକୁଳ ନିରାଶ ହୋଇ ଅମଳ ପୂର୍ବରୁ କଞ୍ଚାଧାନ କାଟି ନେଉଛନ୍ତି । ସାଧାରଣତଃ ଗରିବ ଶ୍ରେଣୀ ଚାଷୀ ମାନେ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ହାତୀ ଉପଦ୍ରବକୁ ରୋକିବା ତଥା ହାତୀପଲ ଗାଁ ମୁହାଁ ନହେବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ସୋଲାର ବିଦ୍ୟୁତ ତାର ଖଞ୍ଜା ଯାଇଛି । ହେଲେ ତାହା ମଧ୍ୟ ହାତୀପଲଙ୍କୁ ରୋକିବାରେ ସଫଳ ହୋଇ ପାରିନାହିଁ । ପରିସ୍ଥିତି ଏଭଳି ଜଟିଳ ହେଲାଣି ଯେ ଚାଷୀକୁଳ ଆଗାମୀବର୍ଷ ଧାନଚାଷ କରିବାକୁ ଅନିଚ୍ଛା ପ୍ରକାଶ କଲେଣି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବୃଦ୍ଧି ପାଉଥିବା ହାତୀ ଉପଦ୍ରବକୁ କିଭଳି ରୋକାଯିବ, ତାହା ବନବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି ।


ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.