8 ଦିନ ହେଲା କଷ୍ଟ ପାଉଥିଲା, ଉଦ୍ଧାର ହେଲା ଅସୁସ୍ଥ ହାତୀ ଛୁଆ

By ETV Bharat Odisha Team

Published : Nov 24, 2023, 6:22 AM IST

thumbnail

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ । ଏହି ହାତୀ ମୃତ୍ୟୁ ମଧ୍ୟରେ ଆସିଛି ଏକ ଖୁସି ଖବର । ଉଦ୍ଧାର ହୋଇଛି ଏକ ଅସୁସ୍ଥ ହାତୀ ଛୁଆ । ଚିକିତ୍ସା ପରେ ଛୁଆଟିକୁ ନନ୍ଦନକାନନ ପଠାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।    

ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର, ଦାନ୍ତ ଚୋରି ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ସଦର ରେଞ୍ଜ ଭାଲୁଘର ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ହାତୀ ଛୁଆ ଧରା ପଡିଛି । ଆଠ ଦିନ ହେବ ଏହି ଅସୁସ୍ଥ ଦୁଇ ତିନି ମାସର ହାତୀ ଛୁଆଟି ତାର ମା’ ସହ ଉକ୍ତ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଥିଲା । ଏହାକୁ ଧରିବାକୁ ଗତ ଆଠ ଦିନ ହେବ ଜଙ୍ଗଲ ବିଭାଗ କର୍ମଚାରୀ ଉଦ୍ୟମ ଚଳାଇଥିଲେ । ଏହି ଛୁଆଟିକୁ ଧରିବାକୁ ଜଙ୍ଗଲ ବିଭାଗ ଅଧିକାରୀ ନନ୍ଦନକାନନ ଟ୍ରାଙ୍କୁଲାଇଯାର ଟିମ୍ ସହ ଯୋଗାଯୋଗ କରିଥିଲେ । ଏହି ଟିମ୍ ଆସିବା ପରେ ଆରମ୍ଭ ହୋଇଥିଲା ହାତୀ ଛୁଆ ଉଦ୍ଧାର କାର୍ଯ୍ୟକ୍ରମ । ଦିନ ରାତି ଜଙ୍ଗଲ ବିଭାଗ କର୍ମଚାରୀ ଉକ୍ତ ଜଙ୍ଗଲ ମଧ୍ୟରେ ହାତୀ ଛୁଆ ଉଦ୍ଧାର ପାଇଁ ଡ୍ରୋନ କ୍ୟାମେରା ସହଯୋଗରେ ନଜର ରଖିଥିଲେ । ଦୀର୍ଘ ଆଠ ଦିନ ପରେ ଆଜି ଅପରାହ୍ନରେ ହାତୀ ଛୁଆକୁ ଟ୍ରାଙ୍କୁଲାଇଯାର ଦ୍ବାରା ଉଦ୍ଧାର କରାଯାଇଛି । ପରେ ଚିକିତ୍ସା କରି ନନ୍ଦନକାନନ ପଠାଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । ହାତୀ ଛୁଆଟିର କୌଣସି ତାର କିମ୍ବା ଦଉଡ଼ି ଲାଗି ଡାହାଣ ପାଖ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ୍‌.ଡି. ଧନରାଜଙ୍କ ନେତୃତ୍ବରେ ହାତୀକୁ ଉଦ୍ଧାର କରାଯାଇଥଲା । ଉଦ୍ଧାରକାର୍ଯ୍ୟରେ ଏସିଏଫ ଅଶୋକ ଦାସ, ଭଣ୍ଡା ଭିଏସ ଡ଼ଃ ଘଡେଇ, ବ୍ଲ୍ୟୁଟିଆଇ ଡ଼ଃ ବ୍ରଜରାଜ, ସହଯୋଗୀ ପ୍ରାଣୀ ବିଜ୍ଞାନୀ ଜ୍ୟୋତି ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର ଛୁଆ ହାତୀକୁ ଆଜି ନନ୍ଦନକାନନ ପଠାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.