ETV Bharat / state

ଶିମିଳିପାଳରୁ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର, ଦାନ୍ତ ଚୋରି ଉଦ୍ଦେଶ୍ୟରେ ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Nov 22, 2023, 5:26 PM IST

ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର
ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଦାନ୍ତ ଚୋରି ଉଦ୍ଦେଶ୍ୟରେ ହତ୍ୟା ହୋଇଥିବା ସନ୍ଦେହ କରୁଛନ୍ତି ବନବିଭାଗ । ଆଗକୁ ପଢ଼ନ୍ତୁ

ରାଇରଙ୍ଗପୁର: ସଙ୍କଟରେ ଗଜରାଜ । ଆଜି ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରୁ ହାତୀର ଗଳିତ ମୃତଦେହ ଉଦ୍ଧାର କରିଛି ବନବିଭାଗ । ମୃତହାତୀର ଦାନ୍ତ କେହି କାଟି ନେଇଥିବା ସନ୍ଦେହ କରାଯାଉଛି । ଏପରିକି ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ବନବିଭାଗ । ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଉଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉଠିଛି ଦାବି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସାଉଥ୍ ଡିଭିଜନ ଅନ୍ତର୍ଗତ କବାଟଘାଇ ସେକ୍ସନର କାଣ୍ଡିହାର ବିଟ ଅଞ୍ଚଳରୁ ଦନ୍ତାହାତୀର ମୃତଦେହକୁ ଠାବ କରାଯାଇଛି । ପରେ ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ୍ୟୁର କାରଣ ଜାଣିବା ପାଇଁ ବିଶିଷ୍ଟ ପଶୁ ଚିକିତ୍ସକ ମାନଙ୍କ ଦ୍ବାରା ମୃତ ହାତୀର ବ୍ୟବଚ୍ଛେଦ କରାଯାଉଛି । ଜଙ୍ଗଲ ମାଫିଆ ହାତୀ ଦାନ୍ତ ନେବା ଉଦ୍ଦେଶ୍ୟରେ ଦନ୍ତାହାତୀକୁ ମାରି ଦେଇ ଦୁଇଟି ଦାନ୍ତ କାଟି ନେଇ ପଳାଇ ଯାଇଥିବା ବନବିଭାଗ ଅନୁମାନ କରୁଛି । ସେପଟେ ଦନ୍ତାହାତୀଟିର ବୟସ ପାଖାପାଖି ୨୦ ରୁ ୨୨ ବର୍ଷ ହେବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନୀ ଏହି ଘଟଣାର ତଦନ୍ତ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କୁଷ୍ଠ ରୋଗ ପାଇଁ ସମାଜ କଲା ପର, ଜଙ୍ଗଲରେ କଚାଡି ମାରିଲା ଦନ୍ତା

ତେବେ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶ ଗୁଡିକରେ ପୋଲିସ ଓ ବନବିଭାଗର ବାରମ୍ବାର ଚଢ଼ାଉ ହେଉଥିବା ବେଳେ ଏହି ଘଟଣାଟି ସମସ୍ତଙ୍କୁ ବିଚଳିତ କରିଛି । ଗତ ଶନିବାର ଶିମିଳିପାଳ ପାଦଦେଶରେ ହାତୀଦାନ୍ତ ଡିଲ୍ ହେଉଥିଲା । ଠାକୁରମୁଣ୍ଡା ରେଞ୍ଜର ଚମ୍ପାଝର ଗ୍ରାମପଞ୍ଚାୟତ ଅଧିନସ୍ଥ ଦିଲଗଞ୍ଜ ଅଞ୍ଚଳରେ ହାତୀ ଦାନ୍ତ ଡିଲ୍ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଡାଉ ବେଳେ ଦୁଇଟି ବଡ଼ ବଡ଼ ହାତୀଦାନ୍ତ ସହିତ ୪ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିଲେ । ସେମାନେ ବ୍ୟବହାର କରୁଥିବା ୩ଟି ବାଇକ ମଧ୍ୟ ଜବତ କରାଯାଇଥିଲା ।

ତେବେ ଘଟଣାସ୍ଥଳରୁ ଆଉ ଦୁଇ ଜଣ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ବନବିଭାଗ ଜବତ କରିଥିବା ହାତୀ ଦାନ୍ତ ଦୁଇଟିର ଓଜନ ୧ କେଜି ୯୫୦ ଗ୍ରାମ ଓ ୧ କେଜି ୮୫୦ ଗ୍ରାମ ହୋଇଥିଲା । ଗିରଫ ଚାରି ଜଣ ଅଭିଯୁକ୍ତ କପ୍ତିପଦା ଥାନା ଅନ୍ତର୍ଗତ ହୁରଡିସାହି ଗ୍ରାମର ସ୍ବର୍ଗତ ସଞ୍ଜ ସିଂଙ୍କ ପୁଅ ନିତ୍ୟାନନ୍ଦ ସିଂ ଓ ଚୁମୁରୁ ସିଂ, କୁଲଢି ଗ୍ରାମର ମୁତୁରା ସିଂଙ୍କ ପୁଅ ଲଚ୍ଛୁ ସିଂ ଏବଂ ମହୁଲଡିହା ଥାନା ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମର ଲାଠି ବାଙ୍କିରାଙ୍କ ପୁଅ ରାଜୁ ବାଙ୍କିରା ବୋଲି ଜଣା ପଡିଥିଲା । ତେବେ କେଉଁଠି ନା କେଉଁଠି ଶିମିଳିପାଳ ଅଭୟାରଣ୍ୟରେ ଠାବ ହୋଇଥିବା ମୃତ ଦନ୍ତାହାତୀ ସହିତ ଶନିବାର ଦିନ ଜବତ ହୋଇଥିବା ହାତୀ ଦାନ୍ତର ଲିଙ୍କ ରହୁଥିବା ସନ୍ଦେହ ହେଉଛି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସି ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.