କୁଷ୍ଠ ରୋଗ ପାଇଁ ସମାଜ କଲା ପର, ଜଙ୍ଗଲରେ କଚାଡି ମାରିଲା ଦନ୍ତା

କୁଷ୍ଠ ରୋଗ ପାଇଁ ସମାଜ କଲା ପର, ଜଙ୍ଗଲରେ କଚାଡି ମାରିଲା ଦନ୍ତା
ଜଣେ କୁଷ୍ଠ ରୋଗୀ ଏକାକୀ ଜଙ୍ଗଲରେ ରହୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେବ ସେ ସମାଜରୁ ବାସନ୍ଦର ଶିକାର ହୋଇଥିଲେ । ଅଧିକ ପଢନ୍ତୁ
ବୌଦ୍ଧ: ହାତୀ ଆକ୍ରମଣରେ ବୃଦ୍ଧ ମୃତ । କୁଷ୍ଠ ରୋଗରେ ଆକ୍ରାନ୍ତ ଜଣେ ବୃଦ୍ଧ ଏକାକୀ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ବେଳେ ଗତ ୨ ଦିନ ତଳେ ତାଙ୍କୁ ଏକ ଦନ୍ତା କଚାଡି ମାରିଛି । ବୌଦ୍ଧ ଜିଲ୍ଲାରେ ଅନ୍ଧବିଶ୍ୱାସ ତଥା କୁସଂସ୍କାର ଯୋଗୁଁ ଜଣେ ବେନାମୀ ଜୀବନ ବିତାଉଥିବା ବୃଦ୍ଧ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗୁନ୍ଦୁଳିଆ ପଞ୍ଚାୟତର ମାଦିସୁକା ଗାଁରେ ।
ସୂଚନା ମୁତାବକ, ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୁନ୍ଦୁଳିଆ ପଞ୍ଚାୟତ ମାଦିସୁକା ଗ୍ରାମ ନିକଟରେ ଏକାକୀ ବସବାସ କରୁଥିଲେ ପାତ୍ର କହଁର ନାମକ ଜଣେ ବୃଦ୍ଧା । କିଛି ବର୍ଷ ପୂର୍ବରୁ ସେ କୁଷ୍ଠ ରୋଗରେ ପୀଡିତ ହୋଇଥିଲେ । ପରେ ତାଙ୍କୁ ପରିବାର ଓ ସମାଜରୁ ଏକପ୍ରକାର ଅଲଗା ରଖାଗଲା । ଧିରେ ଧିରେ ସେ ସାମାଜିକ ବାସନ୍ଦର ଶିକାର ହୋଇ ମାଦିସୁକା ନିକଟସ୍ଥ ଏକ ଜଙ୍ଗଲ ଅଞ୍ଚଳରେ ଛୋଟିଆ ଚାଳ କୁଡିଆ ତିଆରି ଏକାକୀ ରହିବାକୁ ବାଧ୍ୟ ହେଲେ ।
ହେଲେ ଶେଷରେ ଗତ ଦୁଇ ଦିନ ତଳେ ଏକ ବଣୁଆ ହାତୀପଲ ପାତ୍ର ରହୁଥିବା ଜଙ୍ଗଲ ଅଞ୍ଚଳରେ ବୁଲୁଥିବା ସମୟରେ ହଠାତ୍ ଏକ ହାତୀ ବୃଦ୍ଧ ତାଙ୍କୁ ଚାଳ କୁଡିଆ ମଧ୍ୟରୁ ଘୋଷାଡି ଆଣି କଚାଡି ଦେଇଥିଲା । ଫଳରେ ବୃଦ୍ଧ ପାତ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ମନମୁଣ୍ଡା ଥାନା, ମନମୁଣ୍ଡା ବନାଞ୍ଚଳ ଓ ଗୁନ୍ଦୁଳିଆ ସେକ୍ସନର ଅଧିକାରୀ, କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ....ହାତୀ ଘଉଡାଇବା ହେଲା କାଳ, ଯୁବକକୁ କଚାଡି ମାରିଲା ଦନ୍ତା
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ, ଭିନ୍ନକ୍ଷମ, ରୋଗୀ, ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ସହିତ ଥଇଥାନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଆମ ସମାଜରେ ପ୍ରଚଳିତ ବିଭିନ୍ନ କୁସଂସ୍କାର ପ୍ରଥା ଯୋଗୁଁ ଅନେକ ସମୟରେ ଅତ୍ୟନ୍ତ କରୁଣ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଥାଏ । ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ପାତ୍ର କହଁର । ସାମାଜିକ ବାସନ୍ଦର ଶିକାର ହୋଇ ଆଜି ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।
ଏଭଳି ଅଘଟଣ ପାଇଁ କାହାକୁ ଦାୟୀ କରାଯିବ ସେନେଇ ଉଠିଛି ପ୍ରଶ୍ନବାଚୀ । କାରଣ କୁଷ୍ଠ ରୋଗାକ୍ରାନ୍ତ ବୃଦ୍ଧ ଜଣକ ସାମାଜିକ ବାସନ୍ଦର ଶିକାର ହୋଇ ଜଙ୍ଗଲ ଭିତରେ ଏକାକୀ ରହିବାକୁ ବାଧ୍ୟ ହୋଇଥିଲେ । ଫଳରେ ତାଙ୍କ ସହ ଏଭଳି ଅଘଟଣ ଘଟିଲା ।
ଇଟିଭି ଭାରତ, ବୌଦ୍ଧ
