ETV Bharat / state

ଜମିଜମା ବିବାଦକୁ ନେଇ ହଣାକଟା, ଜଣେ ଗୁରୁତର

author img

By

Published : May 31, 2023, 1:18 PM IST

Updated : May 31, 2023, 2:09 PM IST

ଜମିଜମା ବିବାଦକୁ ନେଇ ହଣାକଟା
ଜମିଜମା ବିବାଦକୁ ନେଇ ହଣାକଟା

ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରେ ଜମିଜମା ବିବାଦକୁ ନେଇ ହଣାକଟା । ଜଣେ ଗୁରୁତର । ଅଧିକ ପଢନ୍ତୁ

ଜମିଜମା ବିବାଦକୁ ନେଇ ହଣାକଟା

ନିଆଳି: ଜମିଜମା ବିବାଦକୁ ନେଇ ବୋହିଲା ରକ୍ତର ନଈ । ଦୁଇ ପରିବାର ଭିତରେ ହଣାକଟାରେ ଜଣେ ଗୁରୁତର । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବରାହଳ ଗ୍ରାମରେ ମଙ୍ଗଳବାର ଏପରି ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ଜଣେ ୨୭ ବର୍ଷୀୟ ବାବୁ ଖାନ ନାମକ ଯୁବକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଏନେଇ ଅଭିଯୋଗ ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବାଲିପାଟଣା ଥାନା ବାରହଳ ଗ୍ରାମର ଶୋଭାନ ଖାନ ଏବଂ ଶେଖ୍ କଲାମଙ୍କ ମଧ୍ୟରେ ଜମିବାଡିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ଶୋଭାନ ଗତକାଲି (ମଙ୍ଗଳବାର) ବାଡିପଟେ ପାଚେରୀ ନିର୍ମାଣ କରିବାରୁ କଲାମ ଏହାକୁ ବିରୋଧ କରିଥିଲେ । ଏହି କଥାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । କିଛି ସମୟ ପରେ ଶୋଭାନଙ୍କ ପୁଅ ବାବୁ ଦାଣ୍ତ ଦୁଆରେ ଠିଆ ହୋଇଥିବା ବେଳେ କଲାମଙ୍କ ପରିବାର ଲୋକେ ତାଙ୍କ ଉପରେ ଆକ୍ରମଣ କରିଥିଲେ । କଲାମଙ୍କ ପୁଅ ରେହମାନ ଓରଫ୍ ଲାଡେନ ଘରୁ ଏକ ଧାରୁଆ ଅସ୍ତ୍ର ଆଣି ବାବୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ : ସୁନ୍ଦରଗଡରେ ଚାଞ୍ଚଲ୍ୟ: ଦୁଇ ସାଙ୍ଗକୁ ହାତୁଡିରେ ପିଟି ପିଟି ହତ୍ୟା

ଏହି ଘଟଣା ପରେ ଅଭିଯୁକ୍ତ ଲାଡେନ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବୁଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଗୁରୁତର ବାବୁଙ୍କ ମାଆ ଅମିରନ ବିବିଙ୍କ ଏତଲା କ୍ରମେ ବାଲିପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୋଲିସ ବହୁ ଖୋଜାଖୋଜି ପରେ ଲାଡେନକୁ ଗିରଫ କରିଛି । ଅଭିଯୁକ୍ତ ଏକ କଲଭର୍ଟ ତଳେ ଲୁଚିଥିବା ବେଳେ ଖବର ପାଇ ପୋଲିସ ତାକୁ ମାଡିବସିଛି । ଲାଡେନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇ ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

Last Updated :May 31, 2023, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.