ETV Bharat / state

ସୁନ୍ଦରଗଡରେ ଚାଞ୍ଚଲ୍ୟ: ଦୁଇ ସାଙ୍ଗକୁ ହାତୁଡିରେ ପିଟି ପିଟି ହତ୍ୟା

author img

By

Published : May 31, 2023, 12:45 PM IST

Updated : May 31, 2023, 2:27 PM IST

ସୁନ୍ଦରଗଡ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ଦିନରେ ଦୁଇ ଜଣ ସାଙ୍ଗକୁ ଗୋଡାଇ ଗୋଡାଇ ହତ୍ୟା କଲେ ଦୁର୍ବୃତ୍ତ । ୧୬ ଜଣ ଅଟକ । ଅଧିକ ପଢନ୍ତୁ

ସୁନ୍ଦରଗଡ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ
ସୁନ୍ଦରଗଡ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ

ସୁନ୍ଦରଗଡ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଚାଞ୍ଚଲ୍ୟ । ଦୁଇ ଜଣ ସାଙ୍ଗକୁ ଗୋଡାଇ ଗୋଡାଇ ନିର୍ମମ ହତ୍ୟା । ହାତୁଡିରେ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ସୁନ୍ଦରଗଡ ଭସ୍ମା ଥାନା ଅନ୍ତର୍ଗତ ଜେ. ରାଏବଗା ଝରାକାନି ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଯାହାକି ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ମୃତକମାନେ ହେଲେ ଝରାକାନି ଗାଁର ରଞ୍ଜିତ ମଗଧା ଓ ତାଙ୍କ ସାଙ୍ଗ ପତ୍ରାପଡ଼ାର ରାଧେ ରକ୍ସା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରିଛନ୍ତି । ପ୍ରଥମେ ରାଧେଙ୍କୁ ହତ୍ୟା କରାଯାଇଥିଲା । ଏହାର ଦିନକ ପରେ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗ ରଞ୍ଜିତଙ୍କୁ ମଧ୍ୟ ହତ୍ୟା କରାଯାଇଛି ।

ପ୍ରାପ୍ତ ସୂଚନା ମୁତାବକ, ଗତ ସୋମବାର ସନ୍ଧ୍ୟାରେ ଜେ. ରାଏବଗା ହାଇସ୍କୁଲ ପଛପଟ ପଡ଼ିଆରେ ୧୬ ଜଣ ଦୁର୍ବୃତ୍ତ ରାଧେଙ୍କୁ ଗୋଡାଇ ଗୋଡାଇ ହାତୁଡିରେ ପିଟି ଥିଲେ । ଘଟଣାସ୍ଥଳରେ ଲୋକମାନେ ଯା'ଆସ କରୁଥିଲେ ବି ସମସ୍ତେ କେବଳ ଦେଖଣାହାରୀ ସାଜିଥିଲେ । ରାଧେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାର ଦିନକ ପରେ ଆଉ ଏକ ଜଘନ୍ୟ କାଣ୍ଡ ଭିଆଇଥିଲେ ସେହି ଦୁର୍ବୃତ୍ତ । ରାଧେଙ୍କ ସାଙ୍ଗ ରଞ୍ଜିତ ନିଜ ଘର ପାଖରେ ଛିଡା ହୋଇଥିବା ବେଳେ ୧୬ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କୁ ହତ୍ୟା କରିବାକୁ ଗୋଡାଇ ଥିଲେ ।

ଏହାଦେଖି ରଞ୍ଜିତଙ୍କ ପୁଅ ଛଡାଇବାକୁ ଆସିଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ବାପା ରଞ୍ଜିତଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନରେ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି, କିଛି ଦିନ ପୂର୍ବରୁ କୌଣସି କାରଣରୁ ରଞ୍ଜିତ ଏବଂ ହତ୍ୟାକାରୀମାନଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଯାହାକୁ କେନ୍ଦ୍ରକରି ସେମାନେ ଦୁଇ ସାଙ୍ଗକୁ ଏପରି ନିର୍ମମ ଭାବେ ହତ୍ୟା କରିଛନ୍ତି ।

ଏନେଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ମଗଧାପଡ଼ା, କୁରୁକୁରପଡ଼ା, ମଝାପଡ଼ାର ୧୬ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ଏଭଳି ଅମାନୁଷିକ କାଣ୍ଡ ଘଟିଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।

ଇଟିଭି ଭାରତ, ରାଉରକେଲା

Last Updated :May 31, 2023, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.