ETV Bharat / state

ହାତରେ ନାହିଁ ବାରବାଟୀ ମାଲିକାନା, ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଛି ଓସିଏ

author img

By ETV Bharat Odisha Team

Published : Dec 29, 2023, 6:04 PM IST

ହାତରେ ନାହିଁ ବାରବାଟୀ ମାଲିକାନା
ହାତରେ ନାହିଁ ବାରବାଟୀ ମାଲିକାନା

Barabati Stadium land issue: ଓଡ଼ିଶା କ୍ରିକେଟ୍‌ ସଙ୍ଘ କିମ୍ବା ଓଡ଼ିଶା ଅଲିମ୍ପିକ୍‌ ସଙ୍ଘ ହାତରେ ନାହିଁ ବାରବାଟୀ ଜମି ମାଲିକାନା । ହେଲେ ଉନ୍ନତିକରଣ ପାଇଁ 600 କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ହାତରେ ନାହିଁ ବାରବାଟୀ ମାଲିକାନା

କଟକ: ନୂଆ ରୂପ ପାଇବ ବାରବାଟୀ ଷ୍ଟାଡିୟମ । ବିସିସିଆଇର ସହମତି କ୍ରମେ ଓସିଏ ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଗ୍ୟାଲେରୀଠୁ ଆରମ୍ଭ କରି ଆଉଟ ଫିଲ୍ଡ ଓ ପିଚ୍‌ ସମ୍ପୂର୍ଣ୍ଣ ରୂପେ ହେବ ବିଶ୍ବସ୍ତରୀୟ । ହେଲେ ଏହି ସ୍ବପ୍ନ କେତେ ଦୂର ହେବ ସାକାର ? କେଉଁ ନିୟମ ଆଧାର ଷ୍ଟାଡିୟମ ପାଇଁ ଖର୍ଚ୍ଚ ହେବ 600ରୁ 700 କୋଟି ଟଙ୍କା ? କାରଣ ଷ୍ଟାଡିୟମର ମାଲିକାନା ଏବେ ନାହିଁ ଓସିଏ ହାତରେ । ଯାହାକୁ ନେଇ ପ୍ରଶ୍ନ ଉଠିବା ସ୍ବଭାବିକ । ତେବେ ଏପରି ସ୍ଥଳେ ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ କରିବା ପଦକ୍ଷେପରେ କେତେ ବାସ୍ତବତା ରହିଛି, ତାହାକୁ ନେଇ ବଡ଼ ଉଠିଛି ପ୍ରଶ୍ନ ।

ଓସିଏ ହାତରେ ନାହିଁ ବାରବାଟୀ ଜମି: ଓସିଏର ସ୍ବପ୍ନ ଅନେକ, ହେଲେ ବାସ୍ତବତା କେତେ ? ହାତରେ ନାହିଁ ଜମି, କିନ୍ତୁ ବ୍ୟୟ ଅଟକଳ 600 କୋଟି । ଐତିହାସିକ ବାରବାଟୀ ଷ୍ଟାଡିୟମକୁ ନୂଆ ରୂପ ଦେବା ପାଇଁ ବିଗତ କିଛିଦିନ ତଳେ ବାର୍ଷିକ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନେଇଛି ଓଡିଶା କ୍ରିକେଟ ସଂଘ । ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ପର୍ଯ୍ୟନ୍ତ ଓଡିଶା ଅଲିମ୍ପିକ ସଂଘ ହାତକୁ ଆସିନି ବାରବାଟୀ ଷ୍ଟାଡିଅମ । 1949 ମସିହାରେ ମାତ୍ର 1 ଟଙ୍କାରେ ଓଡ଼ିଶା ଅଲିମ୍ପିକ୍‌ ସଙ୍ଘ (OOA)କୁ ଲିଜ୍‌ ସୂତ୍ରରେ ଜମି ପ୍ରଦନ କରିଥିଲେ ରାଜ୍ୟ ସରକାର । ଏହାପରେ ଅଲିମ୍ପିକ ସଂଘ ସବଲିଜ୍‌ ହିସାବରେ ଓଡିଶା କ୍ରିକେଟ ସଂଘକୁ ଏହାର ଅନ୍ତର୍ଭୁକ୍ତ କରାଇଥିଲେ । ଏହାପରେ ବିସିସିଆଇର ମୋହର କ୍ରମେ ବାରବାଟୀ ଷ୍ଟାଡିୟମ ପାଇଥିଲା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା । ପ୍ରତି 30 ବର୍ଷରେ ଜମି ଲିଜ୍‌ ନବୀକରଣ କରି ଆସୁଥିଲା ଓଡିଶା ଅଲିମ୍ପିକ ସଂଘ । କିନ୍ତୁ 2001-2 ମସିହାରେ ଜମି ଲିଜ୍‌ ରିନ୍ୟୁଆଲ ପାଇଁ ଆବଦେନ ହୋଇଥିଲେ ମଧ୍ୟ ଏହା ବାତିଲ ହୋଇଯାଇଥିଲା । ସ୍ଥାୟୀ ଜମି ପଟ୍ଟା ପାଇବା ପାଇଁ ଆବଦେନ କରିବା ପରେ ଏହା ମଧ୍ୟ ଅଗ୍ରାହ୍ୟ ହୋଇଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ ରୂପ ପାଇବ ବାରବାଟୀ ଷ୍ଟାଡିୟମ

କେଉଁ ଆଧାରରେ ହେବ ଉନ୍ନତିକରଣ ?: ଓଡ଼ିଶା କ୍ରିକେଟ୍‌ ସଙ୍ଘ ବା ଅଲିମ୍ପିକ୍‌ ସଙ୍ଘ ହାତରେ ବାରବାଟୀ ନଥାଇ କେଉଁ ଆଧାରରେ ରାଜ୍ୟ ସରକାର ଏହାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ । ସେପଟେ ଏନେଇ ଓଡ଼ିଶା କ୍ରିକେଟ୍‌ ସଙ୍ଘ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ । ଖୁବଶୀଘ୍ର ଏହାର ସମାଧାନ ହେବ । ଆଗକୁ ଓଡ଼ିଶା କ୍ରିକେଟ୍‌ ସଙ୍ଘ ଓ ଓଡ଼ିଶା ଅଲିମ୍ପିକ୍‌ ସଙ୍ଘ ନାମରେ ରହିବ ବାରବାଟୀ ଷ୍ଟାଡିୟମ ।" ରାଜ୍ୟ ସରକାରଙ୍କ ସମେତ ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ ଷ୍ଟାଡିୟମ ଏକ ନୂଆ ରୂପ ପାଇବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେହିଭଳି ଓଡିଶା ଅଲିମ୍ପିକ୍‌ ସଙ୍ଘ ସମ୍ପାଦକ ଅଭିଜିତ ପାଲ କହିଛନ୍ତି, "ଲିଜ୍‌ ସମ୍ବନ୍ଧୀୟ ମାମଲା ହାଇକୋର୍ଟରେ ରହିଥିଲା । ଏହି ଦିଗରେ ଅଲିମ୍ପିକ୍‌ ସଙ୍ଘକୁ ସ୍ଥାୟୀ ଜମି ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ସବୁ କାମ ପାଇଁ କିଛି ସମୟ ଲାଗେ । ଓସିଏ ଏବଂ ଅଲିମ୍ପିକ୍‌ ସଙ୍ଘ ମଧ୍ୟରେ ଆଲୋଚନା ଜାରି ରହିଛି ।" ଖୁବଶୀଘ୍ର ଏହାର ସମାଧାନ ହେବ ଓ ବାରବାଟୀର ଉନ୍ନତୀକରଣ ହେବ ବୋଲି କହିଛନ୍ତି ଓଡ଼ିଶା ଅଲିମ୍ପିକ୍‌ ସଙ୍ଘ ସମ୍ପାଦକ ଅଭିଜିତ ପାଲ ।

'ଓସିଏ ନାଁରେ ଜମି ନଥିଲେ ଟଙ୍କା ଦେବନି ବିସିସିଆଇ': ଅନ୍ୟପଟେ ଓସିଏର ପୂର୍ବତନ କ୍ରିକେଟର ତଥା କ୍ରୀଡ଼ା ସମୀକ୍ଷକ ପବନ ଅଗ୍ରୱାଲ କହିଛନ୍ତି, "ଓସିଏ ନେଇଥିବା ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ । କିନ୍ତୁ ଯେ ପର୍ଯ୍ୟନ୍ତ ଓସିଏ ହାତକୁ ସମ୍ପୂର୍ଣ୍ଣ ରୂପେ ଜମି ମାଲିକାନା ହସ୍ତାନ୍ତର ହୋଇନାହିଁ, ସେ ପର୍ଯ୍ୟନ୍ତ ବିସିସିଆଇ ଆର୍ଥିକ ସହାୟତା ଦେବା ଦିଗରେ ପଛ ଘୁଞ୍ଚା ଦେବା ସ୍ବଭାବିକ । ତେଣୁ ଓସିଏ ଏବଂ ଅଲିମ୍ପିକ୍‌ ସଙ୍ଘ ଉଭୟ ସ୍ଥାୟୀ ଜମି ପାଇବା ପାଇଁ ପ୍ରଥମେ ସମସ୍ତ ପ୍ରୟାସ କରିବା ଆବଶ୍ୟକ । ଯଦି ଏହା ସମ୍ଭବ ହେଉଛି, ତେବେ ଓଡିଶା କ୍ରିକେଟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାରବାଟୀ ଆଉ ଏକ ନୂଆ ରୂପ ପାଇବ । ଯାହାଦ୍ବାରା ଅନ୍ତର୍ଜାତୀୟ ଓ ଆଇପିଏଲ୍‌ ମ୍ୟାଚ୍‌ ପାଇବା ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି ।"

ଏହା ମଧ୍ୟ ପଢ଼ନ୍ତୁ...ରେଡ୍‌-ଫିକ୍ସ ମାଟିରେ ପିଚ୍‌ ପ୍ରସ୍ତୁତ, ବାରବାଟୀକୁ ଖୁବଶୀଘ୍ର ଫେରିବ ଟେଷ୍

ରାଜ୍ୟ ସରକାରଙ୍କ ନିକଟରେ ସବୁ ଅଙ୍କର ସମାଧାନ ରହିଛି । ଓଡ଼ିଶାରେ ଦୁଇ ଦୁଇଥର ହକି ବିଶ୍ବକପ୍‌ ଆୟୋଜନ ପରେ ବିଭିନ୍ନ କ୍ରୀଡ଼ାରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି । ଯାହାକୁ ନେଇ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବିଶ୍ବସ୍ତରୀୟ ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଓଡ଼ିଶା କ୍ରିକେଟ୍‌କୁ ନେଇ ଓସିଏ ଦେଖିଥିବା ସ୍ବପ୍ନ କେବେ ପୂରଣ ହେଉଛି ଓ ଐତିହାସିକ ବାରବାଟୀ ଷ୍ଟାଡିୟମ ଉପରେ ସରକାରଙ୍କର କେବେ ଦୃଷ୍ଟି ପଡ଼ୁଛି, ତାହା ସମୟ କହିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.