ETV Bharat / state

ରେଡ୍‌-ଫିକ୍ସ ମାଟିରେ ପିଚ୍‌ ପ୍ରସ୍ତୁତ, ବାରବାଟୀକୁ ଖୁବଶୀଘ୍ର ଫେରିବ ଟେଷ୍ଟ

author img

By ETV Bharat Odisha Team

Published : Nov 8, 2023, 6:33 AM IST

ବାରବାଟୀକୁ ଖୁବଶୀଘ୍ର ଫେରିବ ଟେଷ୍ଟ
ବାରବାଟୀକୁ ଖୁବଶୀଘ୍ର ଫେରିବ ଟେଷ୍ଟ

ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ବାରବାଟୀକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ୍‌ । ବାରବାଟୀକୁ କିଭଳି ସ୍ଥାୟୀ ଟେଷ୍ଟ୍‌ ଭେନ୍ୟୁ କରାଯିବ, ସେଥିପାଇଁ ଉଦ୍ୟମ ଜାରି ରହିଛି । ଦୀର୍ଘ ୬ ମାସ ହେବ ଚାଲିଥିବା ରେଡ୍‌-ଫିକ୍ସ ସଏଲ୍‌ ପିଚ୍‌ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

କଟକ: ଭାରତରେ ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ବାରବାଟୀ ଷ୍ଟାଡିୟମକୁ ଗୋଟିଏ ହେଲେ ମ୍ୟାଚ୍ ମିଳିନଥିଲା । ଯେଉଁଥିପାଇଁ ନିରାଶ ହୋଇଥିବା ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ପୁଣିଥରେ ଖୁସି ଖବର ଆଣିବାକୁ ଉଦ୍ୟମ କରୁଛି ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) । ଏଥିପାଇଁ ପ୍ରଥମେ ବାରବାଟୀ ପିଚ୍‌କୁ ପ୍ରସ୍ତୁତ କରିଛି ଓସିଏ । ମହାରାଷ୍ଟ୍ର ୱେଷ୍ଟର୍ଣ୍ଣ ଘାଟରୁ ନାଲି ମାଟି ଆଣି ବାରବାଟୀରେ ରେଡ୍‌-ଫିକ୍ସ ସଏଲ୍‌ ପିଚ୍‌ ତିଆରି କରାଯାଇଛି । ଦୀର୍ଘ ୬ ମାସ ହେବ ଚାଲିଥିବା ଏହି ପିଚ୍‌ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପିଚ୍ ପରୀକ୍ଷା ପାଇଁ ପ୍ରଥମେ ଅଭ୍ୟାସ ମ୍ୟାଚ୍‌ କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ । ୨୮ ବର୍ଷ ପରେ ବାରବାଟୀକୁ ପୁଣିଥ‌ରେ ଟେଷ୍ଟ୍‌ କ୍ରିକେଟ୍‌ ଫେରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ବାରବାଟୀକୁ କିଭଳି ସ୍ଥାୟୀ ଟେଷ୍ଟ୍‌ ଭେନ୍ୟୁ କରାଯିବ, ସେଥିପାଇଁ ଉଦ୍ୟମ ଅବ୍ୟାହତ ରହିଛି । ବିସିସିଆଇ ମଧ୍ୟ ଏଥିପାଇଁ ଏକ ପ୍ରକାର ସହମତି ପ୍ରକାଶ କରିଛି । ବାରବାଟୀକୁ କିଭଳି ଅଧିକ ମ୍ୟାଚ୍‌ ମିଳିବ ସେଥିପାଇଁ ବାରବାଟୀ ପିଚ୍‌ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି ।" ତେବେ କେବଳ ଟେଷ୍ଟ ନୁହେଁ, ଉଭୟ ଦିନିକିଆ ଓ ଟି୨୦ ମ୍ୟାଚ୍‌ ପାଇଁ ମଧ୍ୟ ଏହି ପିଚ୍‌ ଫଳପ୍ରଦ ହେବ ବୋଲି ଓଡ଼ିଶା କ୍ରିକେଟ୍‌ ସଙ୍ଘ ଆଶା ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ...ଚଳିତ ସିଜିନ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଘୋଷଣା କଲା BCCI, ପୁଣି ନିରାଶ ବାରବାଟୀ

ଗତ ୬ ମାସ ହେବ ବାରବାଟୀ ପିଚ୍‌କୁ ଏକ ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଥିବା ବ୍ଲାକ୍‌-ଫିକ୍ସ ମାଟିରେ ଏହି ପିଚ୍‌ ପ୍ରସ୍ତୁତ କରାଯାଇଥିଲା । କ‌ାକିନାଡ଼ାରୁ ଏହି ମାଟି ଆଣି ପିଚ୍ ପ୍ରସ୍ତୁତ କରାଯାଇଥିଲା । ହେଲେ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନାଲି ମାଟିରେ ପ୍ରସ୍ତୁତ ପିଚ୍‌ ଅଧିକ ଫଳପ୍ରଦ ହେଉଥିବାରୁ ଏହାକୁ ସେହିଭଳି ପ୍ରସ୍ତୁତ କରାଯାଇଛି । ବାରବାଟୀ ପିଚ୍‌ ଉଭୟ ଦିନିକିଆ ଓ ଟି୨୦ ପାଇଁ ପ୍ରସ୍ତୁତ କରାଯାଉଥିବାବେଳେ ଏବେ ଟେଷ୍ଟ୍‌ ଭେନ୍ୟୁ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛି ଓଡ଼ିଶା କ୍ରିକେଟ୍‌ ସଙ୍ଘ । ବାରବାଟୀକୁ ଟେଷ୍ଟ୍‌ ‌ଭେନ୍ୟୁ ମାନ୍ୟତା ଦେବା ପୂର୍ବରୁ ଆଇସିସିର ଏକ ପ୍ରତିନିଧି ମଣ୍ଡଳୀ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି । ଆଗାମୀ ଦିନ‌ରେ ଓସିଏ ତାର ନିଜସ୍ବ ଷ୍ଟାଡିୟମ ନିର୍ମାଣ କରିବା ପ‌ାଇଁ ମଧ୍ୟ ଆଲୋଚନା ଜାରି ରଖିଛି । ପ୍ରକାଶଯୋଗ୍ୟ, ବାରବାଟୀ ‌ଷ୍ଟାଡିୟମରେ ୧୯୮୨ରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିଥିଲା ଭାରତ । ଯେଉଁଥିରେ ଭାରତ ବିଜୟୀ ହୋଇଥିଲା । ତେବେ ବାରବାଟୀକୁ ୨୮ ବର୍ଷ ହେବ ଟେଷ୍ଟ୍‌ ମ୍ୟାଚ୍‌ ମିଳିନାହିଁ । ୧୯୮୭ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଇଥିଲା । ୧୯୯୫ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଟେଷ୍ଟ୍‌ ମ୍ୟାଚ୍‌ ଏଠାରେ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.