ETV Bharat / state

ବେଦାନ୍ତ ଫେକର କମ୍ପାନି ଗେଟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

author img

By ETV Bharat Odisha Team

Published : Aug 26, 2023, 11:02 AM IST

workers protest
workers protest

ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର୍ କମ୍ପାନି ବିରୋଧରେ କର୍ମଚାରୀଙ୍କ ଆନ୍ଦୋଳନ । ୫ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ

workers protest

ଭଦ୍ରକ: ବେଦାନ୍ତ ଫେକର୍ କମ୍ପାନି ବିରୋଧରେ କର୍ମଚାରୀଙ୍କ ଆନ୍ଦୋଳନ । ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର୍ କମ୍ପାନିର ଗେଟ୍ ସମ୍ମୁଖରେ ୫ ଦିନ ଧରି ଧାରଣା ଜାରି ରଖିଛନ୍ତି କର୍ମଚାରୀ । ବେଦାନ୍ତ 38 ଜଣ କର୍ମଚାରୀଙ୍କୁ ତୁରନ୍ତ କାମରେ ପୁନଃନିଯୁକ୍ତି ଦାବି କରି ଏହି ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି । ତେବେ କର୍ମଚାରୀଙ୍କ କଥା କମ୍ପାନି କର୍ତ୍ତୃପକ୍ଷ ବୁଝୁ ନଥିବାରୁ ଧାରଣା ସ୍ଥଳରେ ବସିଥିବା କର୍ମଚାରୀଙ୍କୁ ସମର୍ଥନ ଜଣାଇ ବରିଷ୍ଠ କଂଗ୍ରେସ ନେତା ପୀତବାସ ଧଳ ସେମାନଙ୍କ ଦାବି ଯଥାର୍ଥ ବୋଲି ମତ ପ୍ରକାଶ କରିଛନ୍ତି ।

ଏଥିସହ 38 ଜଣ କର୍ମଚାରୀଙ୍କୁ ଚାକିରି ନଦେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା । ସେହିପରି ଧାରଣା ସ୍ଥଳରେ ଭଦ୍ରକ ନିର୍ବାଚନ ମଣ୍ଡଳୀର କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ରହି କର୍ମଚାରୀଙ୍କୁ ନୈତିକ ସମର୍ଥନ ଦେଇଥିଲେ । ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କୁ କାମ କରିବାର ସୁଯୋଗ ନଦେଲେ ବେଦାନ୍ତ ବିରୋଧରେ ଆନ୍ଦୋଳନ ତେଜିବ ଏବଂ କାରଖାନା ଗେଟ୍‌ରେ ସବୁ ଦିନ ପାଇଁ ତାଲା ଝୁଲାଇ ଦିଆଯିବ ବୋଲି ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ବେଦାନ୍ତ ଫେକର ପ୍ଲାଣ୍ଟ ଦୁର୍ଘଟଣା, ଉଚ୍ଚସ୍ତରୀୟ ବୈଠକ କଲା ଜିଲ୍ଲା ପ୍ରଶାସନ

ସୂଚନା ମୁତାବକ, ସ୍ଥାନୀୟ ଲୋକମାନଙ୍କର ଭିଟାମାଟି ଉପରେ ବେଦାନ୍ତ କମ୍ପାନି ଠିଆ ହୋଇଛି । ଶିକ୍ଷିତ, ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା କମ୍ପାନିର ପ୍ରଥମ କାମ ହେବା ଉଚିତ । କିନ୍ତୁ ଗତ ଏପ୍ରିଲରେ ମାସରେ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଯାହାକୁ ନେଇ ସେଠାରେ 144 ଧାରା ଜାରି କରାଯାଇଥିଲା । ସେହି ଅଘଟଣ ପରଠୁ କମ୍ପାନୀ ସ୍ଥାନୀୟ ଲୋକଙ୍କୁ କାମ କରିବାର ସୁଯୋଗ ନଦେଇ ସେମାନଙ୍କୁ 5 ମାସ ଧରି କାରଖାନାକୁ ପୁରାଇ ନଦେବା ପରିତାପର ବିଷୟ ବୋଲି ଅନ୍ୟ ନେତୃତ୍ବମାନେ ମତ ପ୍ରକାଶ କରିଥିଲେ । ଏଥିସହ ଛଟେଇ କର୍ମଚାରୀଙ୍କୁ କାମ କରିବାକୁ ସୁଯୋଗ ନଦେଲେ ବେଦାନ୍ତ ଜନ ଆକ୍ରୋଶର ଶିକାର ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ବେଦାନ୍ତ କାହିଁକି ଓ କେଉଁ ପରିସ୍ଥିତିରେ 38 ଜଣ କର୍ମଚାରୀଙ୍କୁ କାମ କରିବାର ସୁଯୋଗ ଦେଉ ନାହିଁ, ତାହା ଏ ଯାଏଁ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏହାକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.