ETV Bharat / state

ବେଦାନ୍ତ ଫେକର ପ୍ଲାଣ୍ଟ ଦୁର୍ଘଟଣା, ଉଚ୍ଚସ୍ତରୀୟ ବୈଠକ କଲା ଜିଲ୍ଲା ପ୍ରଶାସନ

author img

By

Published : Apr 18, 2023, 9:53 AM IST

ଭଦ୍ରକ ଜିଲ୍ଲା ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ
ଭଦ୍ରକ ଜିଲ୍ଲା ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ

ବେଦାନ୍ତ ଫେକର ପ୍ଲାଣ୍ଟ ପରିସରରେ ନିଆଁରେ ପୋଡି ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଉଚ୍ଚସ୍ତରୀୟ ବୈଠକ ଡାକିଲା ଭଦ୍ରକ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ଭଦ୍ରକ ଜିଲ୍ଲା ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ

ଭଦ୍ରକ: ବେଦାନ୍ତ ଫେକର ପ୍ଲାଣ୍ଟରେ ନିଆଁରେ ପୋଡି ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଏନେଇ ଗତକାଲି(ସୋମବାର) ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଭଦ୍ରକ ଜିଲ୍ଲା ଦାୟିତ୍ୱରେ ଥିବା ବାଲେଶ୍ବର ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ବେଦାନ୍ତ ଫେକର ପ୍ଲାଣ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ । ବୈଠକରେ ମୁଖ୍ୟତଃ ଶ୍ରମିକମାନଙ୍କ ସୁରକ୍ଷା ବିଷୟ ଆଲୋଚନା ହୋଇଛି । ଏହାସହିତ ରାନ୍ଦିଆସ୍ଥିତ ବେଦାନ୍ତ ପ୍ଲାଣ୍ଟର ଦାୟିତ୍ଵହୀନତା ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ସୂଚନା ଅନୁଯାୟୀ, ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀରେ ବାରମ୍ବାର ଅଘଟଣ ଘଟୁଥିବାରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଫିନଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରୁ ବିଶେଷଜ୍ଞ ଆସିବେ । ସେମାନେ କମ୍ପାନୀର ସେଫ୍ଟି ଯାଞ୍ଚ କରିବା ସହିତ ଦୁର୍ଘଟଣାର କାରଣ ଅନୁଧ୍ୟାନ କରିବେ । ଅନ୍ୟପକ୍ଷରେ ସ୍ଵତନ୍ତ୍ର ଭାବେ ଏକ ତୃତୀୟ ପକ୍ଷ ଏଜେନ୍ସି ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ଏଥିସହ ରାଜ୍ଯ ସରକାରଙ୍କ ଫାକ୍ଟ୍ରି ଏବଂ ବଏଲର ବିଭାଗକୁ ମଧ୍ୟ ଏହାର ଯାଞ୍ଚ କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ହୋଇପାରିବ ବୋଲି ବୈଠକରେ ଉପସ୍ଥିତ ଅଧିକାରୀମାନେ ଆଶା ପୋଷଣ କରିଛନ୍ତି ।

ଏଥିସହ ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ଆବଶ୍ୟକୀୟ ସୁରକ୍ଷା ଉପକରଣ ପ୍ରଦାନ କରିବା ସହିତ ସେମାନେ ଯେପରି ତାହା ବ୍ୟବହାର କରି କାର୍ଯ୍ୟ କରିବେ ସେନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଥିବା ସୂଚନା ମିଳିଛି । ଗତ ୧୧ ତାରିଖରେ ପ୍ଲାଣ୍ଟରେ କାମ କରୁଥିବାବେଳେ ନିଆଁରେ ପୋଡ଼ି ଯାଇଥିବା ୩୭ ବର୍ଷୀୟ ଶ୍ରମିକ ରତିକାନ୍ତ ସୂତାରଙ୍କ ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ତେଣୁ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ସହ ତାଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ସମ୍ପ୍ରତି ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀର ଆଖପାଖ ୨୦୦ ମିଟର ପରିଧି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀର ଫର୍ନେସ ଚାର୍ଜିଂ କାର ଅପେରେଟର ଭାବେ କାର୍ଯ୍ୟରତ ଥିବା ବରପଦା ଅଞ୍ଚଳର ବିଜୟ ମହାପାତ୍ର ଏବଂ ରାନ୍ଦିଆ କୋରଣ୍ଟ ଅଞ୍ଚଳର ରତିକାନ୍ତ ସୁତାର ଏପ୍ରିଲ ୧୧ ତାରିଖ ଦିନ କୌଣସି କାରଣରୁ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏହାକୁ ନେଇ ପ୍ଲାଣ୍ଟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଯେଉଁ କାରଣରୁ ଗତ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦ୍ଵିତୀୟ ଥର ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ କଟକଣାକୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ମୁମ୍ବାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ଜଣ ଶ୍ରମିକଙ୍କ ମଧ୍ୟରୁ ରତିକାନ୍ତ ସୁତାରଙ୍କ ଗତକାଲି ମୃତ୍ୟୁ ହେବା ପରେ ସୋମବାର ପୁଣିଥରେ ତୃତୀୟ ଥର ପାଇଁ କଟକଣାକୁ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.