ETV Bharat / state

ଭିନ୍ନକ୍ଷମ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ, ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା

author img

By ETV Bharat Odisha Team

Published : Dec 20, 2023, 9:48 AM IST

Updated : Dec 20, 2023, 12:27 PM IST

ଭିନ୍ନକ୍ଷମ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
ଭିନ୍ନକ୍ଷମ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

Man Suspicious Death in Bhadrak: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବିଲଣା ପଞ୍ଚାୟତ ଅଧିନ ଅଣ୍ଡରେଇ ଗାଁ ଭିନ୍ନକ୍ଷମ ସ୍ୱାମୀଙ୍କୁ ହତ୍ୟା କରି ଆତ୍ମହତ୍ୟା ଜନିତ ମୃତ୍ୟୁର ରୂପ ଦେଲେ ଶ୍ୱଶୁର ଘର ଲୋକେ । ଶ୍ୱଶୁର ଘର ବିରୋଧରେ ଅଭିଯୋଗ ଆଣିଲେ ମହିଳା । ଅଧିକ ପଢ଼ନ୍ତୁ

Man Suspicious Death in Bhadrak

ଭଦ୍ରକ: ଭିନ୍ନକ୍ଷମ ସ୍ୱାମୀଙ୍କୁ ହତ୍ୟା କରି ଶ୍ୱଶୁର ଘର ଲୋକେ ଆତ୍ମହତ୍ୟା ଜନିତ ମୃତ୍ୟୁର ରୂପ ଦେଇଥିବା ଅଭିଯୋଗ ଆଣିଲେ ପତ୍ନୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବିଲଣା ପଞ୍ଚାୟତ ଅଧିନ ଅଣ୍ଡରେଇ ଗାଁରୁ । ନବଜାତ ଶିଶୁପୁତ୍ର ଧରି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଛନ୍ତି ମହିଳା ।

ଜିଲ୍ଲାର ଅଣ୍ଡରେଇ ଗାଁର ଗୁନେନ୍ଦ୍ର ମଲିକଙ୍କ ଝିଅ ପ୍ରତିମା ମଲିକ ସାବରଙ୍ଗ ଥାନା ଅନ୍ତର୍ଗତ ବାଲିବିଲି ଗାଁର ତପନ ମଳିକଙ୍କୁ ବିବାହ କରିଥିଲେ । ତପନ ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମଙ୍କ ପରି ରୋଜଗାରକ୍ଷମ ଥିଲେ । ପାରାଦ୍ବୀପର ଏକ କମ୍ପାନୀରେ ଚାକିରି କରିଥିଲେ । ଏଥିସହ ଚଳିତ ଡିସେମ୍ବର ମାସ 2 ତାରିଖରେ ପ୍ରତିମା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ତପନ ବେଶ ଖୁସି ମଧ୍ୟ ଥିଲେ । ମାତ୍ର ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଭଦ୍ରକ ମେଡିକାଲରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର ହୋଇଥିଲା । ଉଭୟ ସ୍ୱାମୀ-ସ୍ତ୍ରୀ ଶିଶୁକୁ ନେଇ କଟକରେ ଥିଲେ । ଏଥିସହ ଘରୋଇ ହସ୍ପିଟାଲରେ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ସେମାନେ ନିଷ୍ପତି ନେଇଥିଲେ ।

ହେଲେ ଏହାରି ମଧ୍ୟରେ ତପନଙ୍କୁ ଜମି ବିକ୍ରି କରାଯିବା ନେଇ ଘରକୁ ଆସିବାକୁ ପରିବାର ପକ୍ଷରୁ ଫୋନ୍ ଆସିଥିଲା । ତେଣୁ ଏନେଇ ତପନ ଘରକୁ ଯାଇଥିବା ବେଳେ ଘରେ ତାଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ ମାରିବାକୁ ଧମକ ଦିଆଯାଇଥିଲା । ଯାହାକୁ ନେଇ ତପନ ଫୋନ୍‌ ଯୋଗେ ପ୍ରତିମାକୁ ଜଣାଇଥିଲେ । ତେଣୁ ବିକ୍ରି ହୋଇଥିବା ଚାଷ ଜମି ଟଙ୍କା ମାଗିବାରୁ ତପନଙ୍କୁ ସେମାନେ ହତ୍ୟା କରି ଆତ୍ମହତ୍ୟା ଜନିତ ମୃତ୍ୟୁର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରତିମା । ଏପରିକି ନବଜାତ ଶିଶୁ ପୁତ୍ର ସହ ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ପ୍ରତିମାଙ୍କୁ ନଜଣାଇ ତପନଙ୍କ ମୃତଦେହ ସତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ପ୍ରତିମା ବାପ ଘର ଲୋକଙ୍କଠାରୁ ଖବର ପାଇ ସାବରଙ୍ଗ ଥାନାରେ ଦ୍ୱାରସ୍ଥ ହୋଇ ଥିଲେ ପ୍ରତିମା । କିନ୍ତୁ ପୋଲିସଠାରୁ ନ୍ୟାୟ ନମିଳିବାରୁ ତିହିଡ଼ି ବ୍ଲକ ପରିସରରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଉପସ୍ଥିତ ହୋଇ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଯାତ୍ରା ଦେଖିବାକୁ ଯାଇ ଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପୁଅ

ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ଦାବି କରିଛନ୍ତି ପ୍ରତିମା । ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପ୍ରତିମା ସାବରଙ୍ଗ ଥାନାକୁ ଯାଇଥିଲେ । ତପନଙ୍କ ଶୁଦ୍ଧିକ୍ରିୟା ଲାଗି ପୋଲିସ ହେପାଜତରେ ପ୍ରତିମାଙ୍କୁ ଶ୍ୱଶୁର ଘର ଲୋକଙ୍କ ସହ ବାଲିବିଲିକୁ ପଠା ଯାଇଥିବା ଜଣାପଡ଼ିଛି । ତପନଙ୍କ ମୃତ୍ୟୁକୁ ନେଇ ସାବରଙ୍ଗ ଥାନାରେ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ପରେ ହତ୍ୟା ଅଭିଯୋଗରେ ଥାନାରେ ମୃତକ ପିତାଙ୍କ ସମେତ ଦୁଇ ଭାଇଙ୍କ ବିରୋଧରେ 302 ଦଫାରେ ଏକ ମାମଲା ରୁଜୁ ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

Last Updated :Dec 20, 2023, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.