ETV Bharat / state

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟିର ହେବ ବିକାଶ: ସଞ୍ଜୟ ଦାସବର୍ମା

author img

By ETV Bharat Odisha Team

Published : Dec 5, 2023, 9:27 AM IST

sanjay das burma visit bhadrak
sanjay das burma visit bhadrak

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟିର ହେବ ବିକାଶ । ଭଦ୍ରକ ଗସ୍ତରେ ଆସି ଏପରି କହିଲେ ବିଜେଡି ପର୍ଯ୍ୟବେକ୍ଷକ। ଅଧିକ ପଢନ୍ତୁ

sanjay das burma visit bhadrak

ଭଦ୍ରକ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହାପୂର୍ବରୁ ବିଜେଡି ନେତାଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରହିଛି। ସୋମବାର ଭଦ୍ରକ ଗସ୍ତରେ ଆସି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟିର ଅଧିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ।

ସଂଜୟ ଦାସବର୍ମା ଏହି ଗସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ବ୍ଲକ ସମେତ ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଯାଇ ଦଳୀୟ ସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ନିର୍ବାଚନ ପୂର୍ବରୁ ଏହା ବିଜେଡି ପକ୍ଷରୁ ଏକ ଷ୍ଟ୍ରାଟେଜି ବୋଲି ଆଲୋଚନା ହେଉଛି। ତେଣୁ ଏବେ ଜିଲ୍ଲାରେ ରାଜନୀତି ସରଗରମ ହେବାରେ ଲାଗିଛି। ସଞ୍ଜୟ ଦାସବର୍ମାଙ୍କ ଏହି ଗସ୍ତ ସମୟରେ ସେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକ ତାଳପଦା ପଞ୍ଚାୟତରେ ଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟି କୁ ଯାଇଥିଲେ। ସେଠାରେ କାନ୍ତକବି ସ୍ମୃତିରେ ନିର୍ମାଣ ହୋଇଥିବା ପାଠ ମନ୍ଦିର ତଥା ସମାଧି ପୀଠକୁ ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଟ୍ରାକକୁ ଫେରିଲେ ସଞ୍ଜୟ; ମିଳିଲା ଭଦ୍ରକ ପର୍ଯ୍ୟବେକ୍ଷକ ଦାୟିତ୍ୱ, କେନ୍ଦ୍ରାପଡା ବୁଝିବେ ପ୍ରତାପ

ସେଠାରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଜନ୍ମ ମାଟିର ଆହୁରି ଅଧିକ ବିକାଶ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା କହିଥିଲେ । ଯେଉଁ ମାଟି ଜଣେ ଯୁଗ ପୁରୁଷଙ୍କୁ ଜନ୍ମ ଦେଇଛି, ସେହି ମାଟି ସମସ୍ତଙ୍କ ପାଇଁ ସଦା ସର୍ବଦା ନମସ୍ୟ । ଏହି ପୀଠର ଆହୁରି ଅଧିକ ବିକାଶର ଆବଶ୍ୟକତା ରହିଛି ଏବଂ ସେ ଦିଗରେ ସେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମରେ ଅବହେଳିତ ହୋଇ ପଡ଼ି ରହିଥିବା ପୀଠର ଯେପରି ଉନ୍ନତି ହୋଇ ପାରିଛି ତାହାର ମଧ୍ୟ ସେ ପ୍ରଶଂସା କରିଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ସମେତ ବହୁ ଜନ ପ୍ରତିନିଧି ଏହି ଅବସରରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.