ETV Bharat / state

ଟ୍ରାକକୁ ଫେରିଲେ ସଞ୍ଜୟ; ମିଳିଲା ଭଦ୍ରକ ପର୍ଯ୍ୟବେକ୍ଷକ ଦାୟିତ୍ୱ, କେନ୍ଦ୍ରାପଡା ବୁଝିବେ ପ୍ରତାପ

author img

By ETV Bharat Odisha Team

Published : Nov 2, 2023, 2:19 PM IST

Updated : Nov 2, 2023, 8:03 PM IST

ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ । ଦୁଇ ବରିଷ୍ଠ ନେତାଙ୍କୁ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ । ଅଧିକ ପଢ଼ନ୍ତୁ

୨ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ
୨ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ

ଟ୍ରାକକୁ ଫେରିଲେ ସଞ୍ଜୟ

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ୨ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି । କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ସେହିପରି ସଞ୍ଜୟ କୁମାର ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଏନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଦୀର୍ଘ ଦିନ ଧରି ସଞ୍ଜୟଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିନଥିଲା । ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିବା ନେଇ ସେ ଦଳର ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବରୁ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଥିଲେ । ତେବେ ପ୍ରମିଳା ବାଚସ୍ପତି ହେବା ପରେ ଦଳର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ଏହି ଗୁରୁଦାୟିତ୍ବ ଦେଇଛି ଦଳ । ଅନ୍ୟପଟେ ଦୀର୍ଘ ଦିନ ପରେ ସାଙ୍ଗଠନିକ ଦାୟିତ୍ବ ପାଇଛନ୍ତି ସଞ୍ଜୟ ଦାସବର୍ମା । ପୂର୍ବରୁ ସଞ୍ଜୟ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଦାୟିତ୍ବ ପାଇଥିଲେ । ଏହା ସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ସେ ଦଳୀୟ କାର୍ଯ୍ୟକ୍ରମରେ ବିଶେଷ ସାମିଲ ହେଉନଥିଲେ । କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଥିଲେ ।

ଏହାମଧ୍ୟ ପଢନ୍ତୁ: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ, ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା । ସଞ୍ଜୟ କହିଛନ୍ତି ଯେ, ଦଳର ସଭାପତି ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି, ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ଵ ମିଳିଛି, ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି । ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ତେବେ ଏହି ନିଯୁକ୍ତି ଦଳ ସ୍ବାର୍ଥରେ ନା ସଂଜୟଙ୍କ ସର୍ତ୍ତରେ ମିଳିଛି ସମୟ କହିବ ।

ଏହାମଧ୍ୟ ପଢନ୍ତୁ: Mahanga Double Murder: ପ୍ରତାପ ଜେନାଙ୍କୁ ଆଶ୍ବସ୍ତି, କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 2, 2023, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.