ETV Bharat / state

ଜବରଦଖଲରୁ ମୁକ୍ତ ହେଲା ସ୍କୁଲ୍‌ ଖେଳ ପଡ଼ିଆ, ଚାଲିଛି ପାଚେରୀ ନିର୍ମାଣ କାର୍ଯ୍ୟ

author img

By ETV Bharat Odisha Team

Published : Dec 22, 2023, 10:56 AM IST

Etv Bharat
Etv Bharat

Agiria Primary School: ଜବର ଦଖଲକାରୀଙ୍କ କବଜାରୁ ମୁକ୍ତ ହେଲା ଆଗିରିଆ ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ପାଚେରୀ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

ଭଦ୍ରକ: ଜବରଦଖଲରୁ ମୁକ୍ତ ହେଲା ଭଦ୍ରକ ଜିଲ୍ଲା ତାଳପଦା ପଞ୍ଚାୟତର ଆଗିରିଆ ପ୍ରାଥମିକ ବିଦ୍ୟାଳୟର ଖେଳ ପଡ଼ିଆ। ନ୍ୟାୟିକ ଲଢେଇ ପରେ ଜବର ଦଖଲକାରୀଙ୍କ କବଜାରୁ ସ୍କୁଲ ଅଧିନକୁ ଆସିଛି ଖେଳପଡିଆ । ଏବେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କ ବ୍ୟକ୍ତିଗତ ପାଣ୍ଠିରେ ଖେଳ ପଡିଆ ଚାରି ପାଖେ ନିର୍ମାଣ ହେଉଛି ପାଚେରୀ। 2021 ମସିହାରେ ସ୍କୁଲ ପଡିଆ ଜବର ଦଖଲରୁ ମୁକ୍ତ ହୋଇଥିଲେ ମଧ୍ୟ ପାଚେରୀ ନିର୍ମାଣ ସମୟରେ ଜବର ଦଖଲକାରୀ ବିରୋଧ କରିଥିଲେ। ଗତ ଅକ୍ଟୋବର30 ତାରିଖରେ ହାଇକୋର୍ଟ ପକ୍ଷରୁ କଡା ନିର୍ଦ୍ଦେଶ ପରେ ପାଚେରୀ କାମ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ଆଗିରଆ ରାଜସ୍ୱ ଗ୍ରାମ ଅନ୍ତର୍ଗତ ସରକାରୀ ଖାତାରେ ଥିବା 2ଟି ପ୍ଲଟରେ ରହିଛି ଆଗିରିଆ ପ୍ରାଥମିକ ବିଦ୍ୟାଳୟ। ଏହି ଟି ପ୍ଲଟ ମଧ୍ୟରୁ 68 ଡିସିମିଲ ପରିମିତ ଜମି ଉପରେ ବିଦ୍ୟାଳୟ ଅବସ୍ଥାପିତ ହୋଇଥିବା ବେଳେ 1.20 ଏକର ଜମି ବିଦ୍ୟାଳୟର ଖେଳ ପଡିଆ ପାଇଁ ଉଦ୍ଦିଷ୍ଟ। ହେଲେ ଏହି ଖେଳ ପଡିଆ ପାଇଁ ଉଦ୍ଦିଷ୍ଟ ଜମିଟି ଜବର ଦଖଲ କାରୀଙ୍କ କବଜାରେ ଥିଲା। ତେଣୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଖେଳିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଦୀର୍ଘ ଦିନ ଧରି ନ୍ୟାୟିକ ଲଢେଇ ପରେ ଏହି ଜମି ଏବେ ବିଦ୍ୟାଳୟ ଅଧିନକୁ ଆସିଛି। ତେଣୁ ବିଗତ 3 ଦିନ ହେଲା ଚାନ୍ଦବାଲି ଏସଡିପିଓଙ୍କ ସମେତ ତିହିଡି ତହସିଲଦାର ଏବଂ ଆଇଆଇସି ପ୍ରମୁଖଙ୍କ ତତ୍ୱାବଧାନରେ ପୋଲିସ ଫୋର୍ସ ନିୟୋଜିତ କରାଯାଇ ଖେଳ ପାଇଁ ଉଦ୍ଧିଷ୍ଟ ଜମି ତାରିପାଖେ ପାଚେରୀ ନିର୍ମାଣ କାର୍ଯ୍ଯ ହେଉଛି।

ପୂର୍ବରୁ ଉକ୍ତ ଖେଳ ପଡ଼ିଆଟି ସ୍ଥାନୀୟ କେତେକ ମୁଷ୍ଟିମେୟ ଲୋକ ମାନଙ୍କ ଦ୍ୱାରା ଜବରଦଖଲ କରାଯାଇଥିଲା । ଏଥିସହ ଉକ୍ତ ସ୍ଥାନଟି ଚୋରା ଦେଶୀ ମଦ କାରବାରର ଜେମି ପେଣ୍ଠସ୍ଥଳୀ ପାଲଟିଥିଲା । ଯାହା ଫଳରେ ମଦ ପିଇ କିଛି ଅସାଧୁ ବ୍ୟକ୍ତି ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ କରୁଥିଲେ । ଅନ୍ୟ ପକ୍ଷରେ ଖେଳ ପଡ଼ିଆର ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟୟ ବରାଦ କରାଯାଇଥିଲା । ମାତ୍ର ଉକ୍ତ ସ୍ଥାନଟି ଜବରଦଖଲ କରାଯାଇଥିବାରୁ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ଆଗିରିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ବେହେରା ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରମୁଖ ଜବରଦଖଲ ହଟାଅ ଅଭିଯାନ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ବେଆଇନ ଭାବେ ଜମି ମାଡ଼ି ବସିଛି ରେଳ ବିଭାଗ ! ଅଭିଯୋଗ ଆଣିଲେ ଜମି ମାଲିକ

ରାଜନୈତିକ ଚାପରେ ତହିସିଲ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ପରେ ଜିଲ୍ଲାପାଳଙ୍କ ନିକଟରୁ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ। ପରେ 2018 ମସିହାରେ ପ୍ରାୟ 60 ପ୍ରତିଶତ ଜବର ଦଖଲ ମୁକ୍ତ ହୋଇଥିଲା ଏବଂ ବଳକା ଅଂଶକୁ ବାଦ୍ ଦିଆଯାଇଥିଲା । ଯାହାକୁ ନେଇ ପୁନଶ୍ଚ ହାଇକୋର୍ଟରେ ଅଭିଯୋଗ କରିଥିଲେ । ଯାହା ତତ୍କାଳିନ ତହସିଲଦାରଙ୍କ ବିରୋଧରେ ଆଦେଶ ଅବମାନନା କେଶ ହୋଇଥିଲା। ଶେଷରେ 2021 ମସିହାରେ ଜବର ଦଖଲ ମୁକ୍ତ ହୋଇଥିଲା। ହେଲେ ପାଚେରୀ ନିର୍ମାଣ ସମୟରେ ଜବର ଦଖଲକାରୀଙ୍କ ମଧ୍ୟରୁ କେତେକ ବିରୋଧ କରିଥିଲେ। ଯାହାକୁ ନେଇ ପୂନଶ୍ଚ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ସର୍ବ ଶେଷରେ 2023 ଅକ୍ଟୋବର ମାସ 30 ତାରିଖରେ ହାଇକୋର୍ଟ ପକ୍ଷରୁ କଡ଼ା ନିର୍ଦ୍ଦେଶ ହୋଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ମହିଳା ପୋଲିସ ସମେତ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଗତ 3 ଦିନ ଧରି ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ପାଚେରୀ ନିର୍ମାଣ ଚାଲୁ ରହିଛି । ତେବେ ସବୁଠୁ ବଡ଼ କଥା ହେଉଛି ସରକାରୀ ବ୍ୟୟବରାଦ ନଥିବା ବେଳେ ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ବେହେରା ବ୍ୟକ୍ତିଗତ ପାଣ୍ଠିରୁ ଉକ୍ତ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଯାହା ପ୍ରାୟ 10 ଲକ୍ଷ ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.