ETV Bharat / state

କଂସ ମହାରାଜଙ୍କ ଚାଲିଛି ନଗର ଭ୍ରମଣ, କାରଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ

author img

By ETV Bharat Odisha Team

Published : Jan 17, 2024, 1:20 PM IST

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ ଦିନ
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ ଦିନ

Baragarh Dhanu Yatra 2024: ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ମଥୁରା ନଗର ଭ୍ରମଣ କରିଛନ୍ତି । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଛନ୍ତି ଏବଂ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ଫେରିଛନ୍ତି । ଅଧିକ ପଢନ୍ତୁ

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ ଦିନ

ବରଗଡ଼: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ । ଶ୍ରୀକୃଷ୍ଣ ଜନ୍ମ କାହାଣୀକୁ ନେଇ ଆୟୋଜିତ ହେଉଥିବା ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବାହାରି ନିୟମ ଖିଲାପିଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ମହାରାଜ କଂସ ରଙ୍ଗମହଲର ଉଦ୍ଘାଟନ କରିଛନ୍ତି । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଛନ୍ତି ଏବଂ କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ଫେରିଛନ୍ତି ।

ସେପଟେ ମଥୁରା ନଗରୀରେ ଉଗ୍ରସେନଙ୍କୁ ସିଂହାସନରୁ ହଟାଇ ଯୁବରାଜ କଂସ ନିଜେ ମଥୁରାର ରାଜା ହେବାପରେ ସେ ମଥୁରା ନଗର ଭ୍ରମଣ କରିଥିଲେ ଏବଂ ନଗର ଭ୍ରମଣ ସମୟରେ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ ମହାରାଜ କଂସ । ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗମହଲର ଉଦଘାଟନ ମଧ୍ୟ କରିଛନ୍ତି । ତେବେ ରଙ୍ଗମହଲରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ବଲାଙ୍ଗୀର, ସମ୍ବଲପୁର, ଗଞ୍ଜାମ, ଫୁଲବାଣୀ, ପଦ୍ମପୁର ଏବଂ ସୁଦୂର କୋଲକାତାରୁ କଳାକାର ମାନେ ଆସି ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହି ରଙ୍ଗମହଲର ଦାୟିତ୍ୱ ମହାମନ୍ତ୍ରୀ ସାତ୍ୟକୀଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ । ଏହାପରେ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିବା ବେଳେ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୁର୍ମିଳା ରାକ୍ଷସକୁ ହତ୍ୟା କରିଛନ୍ତି । ତେବେ ନିଜ ସୁରକ୍ଷା ପାଇଁ ଚାଣ୍ଡୁର ମୁଷ୍ଟିକକୁ ଆବାହନ କରିଛନ୍ତି ମହାରାଜ କଂସ । ଏମାନଙ୍କ ମନୋରଂଜନ ପାଇଁ ଆୟୋଜନ କରିଛନ୍ତି ନୃତ୍ୟଗୀତର କାର୍ଯ୍ୟକ୍ରମ ।


ଏହାମଧ୍ୟ ପଢନ୍ତୁ.. ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉଦଘାଟିତ, 11ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି

ଅନ୍ୟପଟେ ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁୁପୁତ୍ରଙ୍କୁ କଂସ ହତ୍ୟା କରି ଚାଲିଥିବା ବେଳେ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅର୍ନ୍ତଧ୍ୟାନ ହୋଇଯାଇଛି । ଏହାପରେ କଂସର ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଆଲୌକିକ ସମୟରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମନେଇଥିବା ବେଳେ କାରାଗାରର ସମସ୍ତ ଜଗୁଆଳୀ କାଳନିଦ୍ରାରେ ଶୋଇ ପଡ଼ିଛନ୍ତି । ଏହି ସମୟରେ ସ୍ୱୟଂ ବିଷ୍ଣୁ ବାସୁଦେବଙ୍କୁ ସ୍ୱପ୍ନାଦେଶ ଦେଇଥିବା ବେଳେ ଦେବକୀଙ୍କ ଅଷ୍ଟମ ଗର୍ଭସନ୍ତାନଙ୍କୁ ଗୋପପୁରରେ ଛାଡ଼ିଦେବାକୁ ଆଦେଶ ଦେଇଛନ୍ତି ।

ଏହାପରେ ମଥୁରା କାରାଗାରର ସମସ୍ତ ଦ୍ୱାର ଆପେ ଆପେ ଖୋଲିଯାଇଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ବାହାରି ପଡ଼ିଛନ୍ତି ଗୋପପୁରକୁ । ଠିକ୍ ଏତିକି ବେଳେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବାସୁଦେବଙ୍କ ପଥ ଓଗାଳି ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ଏବଂ ବାସୁଦେବଙ୍କ ପଥ ଛାଡ଼ିଦେଇଛନ୍ତି । ଏହାପରେ ବସୁଦେବ ଯମୁନା ପାରିହୋଇ ନନ୍ଦଭବନରେ ପହଞ୍ଚି ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ବିଜୁଳିକନ୍ୟା ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି ମଥୁରାକୁ ।


ତେବେ ଧନୁଯାତ୍ରାର ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ ସହ ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶ୍ରକୃଷ୍ଣ ଙ୍କୁ ମାରିବା ପାଇଁ ପୁତନା ରାକ୍ଷସୀଙ୍କୁ ଗୋପପୁର ପ୍ରେରଣ ଏବଂ ଗୋପପୁରରେ କୃଷ୍ଣଜନ୍ମ ଓ ନନ୍ଦୋତ୍ସବ ଦୃଶ୍ୟ ଅଭିନୀତ ହେବ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.