ETV Bharat / state

କ୍ଷେତରେ ଭିଜୁଛି ଧାନ ଫସଲ, ଚିନ୍ତାରେ ଚାଷୀକୂଳ

author img

By ETV Bharat Odisha Team

Published : Dec 6, 2023, 10:12 PM IST

ବାତ୍ୟା ଜନିତ ବର୍ଷା ଜାରି
ବାତ୍ୟା ଜନିତ ବର୍ଷା ଜାରି

ଜିଲ୍ଲାରେ ଗତ ସନ୍ଧ୍ୟାରୁ ବର୍ଷା ଜାରି ରହିଛି । ବିଲରେ ଥିବା ଧାନ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି । ଆଗକୁ ପଢ଼ନ୍ତୁ

ବାତ୍ୟା ଜନିତ ବର୍ଷା ଜାରି

ବଲାଙ୍ଗୀର: ବାତ୍ୟା ପ୍ରଭାବରେ ଜିଲ୍ଲାରେ ଗତକାଲିଠୁ ବର୍ଷା ଜାରି ରହିଛି । ଫଳରେ ଧାନ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି । ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ଥିବା ବେଳେ ଏଥିରେ ବିଶେଷ କ୍ଷତି ହେବାର ସମ୍ଭାବନା ନାହିଁ ବୋଲି କୃଷି ବିଭାଗ କହିଛି । ଜିଲ୍ଲାରେ ବର୍ଷାର ଅନୁପାତ 6 ପ୍ରତିଶତ ରହିଛି ।

ବଲାଙ୍ଗୀରରେ ବାତ୍ୟା ପ୍ରଭାବରେ ବର୍ଷା ଜାରି ରହିଛି । ଗତ ସନ୍ଧ୍ୟାରୁ ଏଠି ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ପବନ ମଧ୍ୟ ବହୁଛି । ସେପଟେ ଏଠାରେ ବିଲରେ ଥିବା ଧାନ ଓ କପା ଫସଲ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି । ତେବେ ପୂର୍ବରୁ ବର୍ଷା ସମ୍ଭାବନା ବିଶେଷ ନଥିବା ବେଳେ ବାତ୍ୟା ନିଜର ପଥ ବଦଳାଇବାରୁ ଏଠି ବର୍ଷା ଜାରି ରହିଛି । ସେହିପରି ଝିପିଝିପି ବର୍ଷା ସାଙ୍ଗକୁ ଥଣ୍ଡା ପବନ ଯୋଗୁ ଶୀତୁଆ ପାଗର ଅନୁଭୂତି ହୋଇଛି ।

ସେପଟେ ଏଥର ଭଲ ବର୍ଷା ଯୋଗୁଁ ଭଲ ଧାନ ଫସଲ ହୋଇଛି । ହେଲେ ଏହି ଅଦିନିଆ ବର୍ଷା ଏବେ କାଳ ସାଜିବାର ସମ୍ଭାବନା ସୃଷ୍ଟି କରିଛି । ବିଶେଷ କରି ଜିଲ୍ଲାରେ ଲୋକେ ପୂର୍ବରୁ ଆଗୁଆ ସୂଚନା ପାଇ ନିଜର ଧାନ ଫସଲ କାଟି ସାରିଥିଲେ । ହେଲେ ଅନେକ ଚାଷୀଙ୍କ ଧାନ ଏବେ ମଧ୍ୟ ବିଲରେ ପଡି ରହିଛି । ବର୍ଷା ଲାଗି ରହିଥିବାରୁ ବିଲ ଏବଂ ଖଳାରେ ପାଣି ପଶି ଫସଲ ଓଦା ହେଉଛି । ତେବେ ପାଗ ଏମିତି ଆଉ କିଛି ଦିନ ଲାଗି ରହିଲେ ବିଲରେ ପଡିଥିବା ଧାନ ଫସଲ ଗଜା ହୋଇ ନଷ୍ଟ ହୋଇଯିବାର ସମ୍ଭାବନା ଦେଖା ଦେଇଛି । ସେହିପରି କପା ଚାଷ ମଧ୍ୟ ଏଥିରେ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷାରେ ଭିଜୁଛି ବର୍ଷକର ପରିଶ୍ରମ, ଚାଷୀ ମୁଣ୍ଡରେ ଚଡକ

ସେପଟେ କୃଷି ବିଭାଗ କହିଛି ଏହି ଦୁଇ ଦିନିଆ ବର୍ଷାରେ ବିଶେଷ କ୍ଷତି ହେବାର ସମ୍ଭାବନା ଦେଖା ଯାଇନାହିଁ । ତେବେ ଏହି ବାତ୍ୟା ଜନିତ ବର୍ଷାରେ ଜିଲ୍ଲାରେ ସର୍ବାଧିକ ବର୍ଷା ମୁରିବାହାଲ ବ୍ଲକରେ ରେକର୍ଡ କରା ଯାଇଛି । ଯେଉଁଥିରେ 16 ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ପାଟଣାଗଡରେ ମଧ୍ୟ 10 ମିମି ବର୍ଷା ରେକର୍ଡ ହୋଇଛି । ତେବେ ଜିଲ୍ଲାରେ ବର୍ଷାର ଅନୁପାତ 6 ପ୍ରତିଶତ ରହିଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସହାୟକ ସୁଧାକର ନନ୍ଦ କହିଛନ୍ତି ଯେ,"ଏଯାଏଁ କୌଣସି ସ୍ଥାନରୁ କିଛି କ୍ଷୟ କ୍ଷତି ରିପୋର୍ଟ ଆସିନାହିଁ । ତେବେ ଏହି ଅଳ୍ପ ବର୍ଷା ପରେ ଖରା ହେଲେ ଧାନରେ ଥିବା ପାଣି ଶୁଖିଯିବ ସମାନ ଭାବରେ କପା ମଧ୍ୟ ଶୁଖିଯିବ କିନ୍ତୁ ବର୍ଷା ଅଧିକ ଦିନ ଲାଗି ରହିଲେ କ୍ଷୟ କ୍ଷତିର ସମ୍ଭାବନା ରହିଛି । ତେବେ ଜିଲ୍ଲାରେ ଚାଷୀ 80 ପ୍ରତିଶତ ଧାନ ଅମଳ କରି ସାରିଥିବା ବେଲେ ବଡ ଧାନ ଫସଲ କେବଳ ବିଲରେ ଅଛି । କୃଷି ବିଭାଗ ପ୍ରତ୍ୟେକ ବିଲର ରିପୋର୍ଟ ରଖୁଛି ଓ ବର୍ଷା ପରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.