ETV Bharat / state

ବର୍ଷାରେ ଭିଜୁଛି ବର୍ଷକର ପରିଶ୍ରମ, ଚାଷୀ ମୁଣ୍ଡରେ ଚଡକ

author img

By ETV Bharat Odisha Team

Published : Dec 6, 2023, 6:31 PM IST

ଚାଷୀ ମୁଣ୍ଡରେ ଚଡ଼କ
ଚାଷୀ ମୁଣ୍ଡରେ ଚଡ଼କ

Cyclone Michaung Effect: ବାତ୍ୟା ମିଗଜୋମର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଅଦିନିଆ ବର୍ଷା ଜାରି ରହିଛି । ଝିପିଝିପି ବର୍ଷା ଯୋଗୁଁ ନଷ୍ଟ ହେବାରେ ବସିଛି ଚାଷୀର ବର୍ଷକର ପରିଶ୍ରମ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଚାଷୀ ମୁଣ୍ଡରେ ଚଡ଼କ

ନୂଆପଡା: ବାତ୍ୟା ମିଗଜୋମର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଅଦିନିଆ ବର୍ଷା । ନୂଆପଡରେ ମଧ୍ୟ ବର୍ଷା ଲାଗି ରହିଛି । ଫଳରେ ଅଦିନିଆ ବର୍ଷା ଏବେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚାଷ ଜମିରେ ପାଣି ଜମି ରହିଥିବା ବେଳେ ପାଚିଲା ଧାନ ନଷ୍ଟ ହେବାକୁ ବସିଛି । ଯାହା ଏବେ ଚାଷୀର ନିଦ ହଜାଇ ଦେଇଛି ।

ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମର ପ୍ରଭାବ ପଡ଼ିଛି ନୂଆପଡା ଜିଲ୍ଲାରେ । ଜିଲ୍ଲା ବ୍ୟାପି ଲାଗି ରହିଛି ଝିପିଝିପି ବର୍ଷା । ଜିଲ୍ଲାର ଖଡ଼ିଆଳ, ସିନାପାଲି, ବୋଡେ଼ନ,କୋମନା, ନୂଆପଡା ଆଦି ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି । ମଙ୍ଗଳବାର ରାତି ତମାମ ବର୍ଷା ଲାଗିରହିଥିବା ବେଳେ, ଶିତୁଆ ପବନ ଧନ ଜୀବନ ଉପରେ ବେଶ ପ୍ରଭାବ ପକାଇଛି । ତେବେ ଏହି ଲଗାତାର ବର୍ଷା ଅନ୍ନଦାତା ମୁଣ୍ଡରେ ଚଡ଼କ ପଡିଛି । ଚାଷ ଜମିରେ ବର୍ଷା ପାଣି ଜମା ହୋଇରହିଛି । ଫଳରେ ପାଚିଲା ଧାନ ଫସଲ ବର୍ଷା ପାଣିରେ ଭିଜି ନଷ୍ଟ ହେବାକୁ ଯାଉଛି । ସେପଟେ ଅମଳ କରି ରଖିଥିବା ଧାନ ଖଳାରେ ଭିଜି ବ୍ୟାପକ ନଷ୍ଟ ହେଉଥିବା ଦେଖାଦେଇଛି । ଛୋଟ ଚାଷୀମାନେ ଅଳ୍ପ ଧାନକୁ ତାର୍ପୋଲିନ ଜରି ଦେଇ ଘୋଡାଇ ରଖିଛନ୍ତି । କିନ୍ତୁ ବଡ଼ ଚାଷୀଙ୍କ ପାଇଁ ଦାଉ ସାଜିଛି ବର୍ଷା । ଅଧିକ ପରିମାଣର ଧାନ ଗଦାକୁ ତାର୍ପୋଲିନ ଜରି ଘୋଡାଇ ରଖିବା ସମ୍ଭବ ହୋଇ ପାରୁନାହିଁ । ଫଳରେ କଷ୍ଟରେ ଉପାର୍ଜିତ ସଶ୍ୟ ବର୍ଷା ପାଣିରେ ଭିଜି ଯାଉଥିବା ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅଦିନିଆ ବର୍ଷା ସାଧୁଛି ଦାଉ, ଫସଲ କ୍ଷତି ଆଶଙ୍କାରେ ଚାଷୀ

ତେବେ ଏନେଇ ଚାଷୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, "ଗତକାଲି(ମଙ୍ଗଳବାର) ଠାରୁ ଲଗାତାର ବର୍ଷା ହେବା କାରଣରୁ ଧାନ ଗଦାରେ ପାଣି ଜମା ହେଲାଣି । ସେପଟେ ଅକଟା ଧାନ ସବୁ ମଧ୍ୟ ନଷ୍ଟ ହେଉଛି । ଧାନ ଅମଳ ହୋଇ ଯାଇଥିବାରୁ ସବୁ ଧାନକୁ ଘୋଡ଼ାଇବା ସମ୍ଭବ କର ହୋଇପାରିନାହିଁ ।"

ଅଦିନିଆ ବର୍ଷା ଚାଷୀର ବର୍ଷକର ଫସଲ ନଷ୍ଟ କରିବାକୁ ବସିଥିବା ବେଳେ ସରକାରଙ୍କର ସାହାଯ୍ୟ ଲୋଡ଼ିଛନ୍ତି ଚାଷୀ । ସରକାର ସାହାଯ୍ୟ ନକଲେ ଋଣ ସୁଝିବା ଠାରୁ ନେଇ ପିଲା ସଂସାର ପୋଷିବା ପର୍ଯ୍ୟନ୍ତ କଷ୍ଟ ସାଧ୍ୟ ହେବ ବୋଲି ପ୍ରତିକ୍ରୟା ରଖିଛନ୍ତି ଚାଷୀ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.