ETV Bharat / state

କେମିତି ପଡ଼ିଲା ମଦ ସାମ୍ରାଜ୍ୟର ମୂଳଦୂଆ, ଧିରେ ଧିରେ ରାଜ୍ୟରେ ବିସ୍ତାର କଲା ଆଧିପତ୍ୟ ?

author img

By ETV Bharat Odisha Team

Published : Dec 19, 2023, 11:01 PM IST

Base of liquor empire
Base of liquor empire

Liquor Empire in Poor District Balangir: ଆୟକର ବିଭାଗର ଘନ ଘନ ରେଡ ପରେ ରାଜ୍ୟର ବିଭିନ୍ନ ଯାଗାରୁ ଧରାପଡ଼ିଥିଲା କୋଟି କୋଟି ଟଙ୍କାର କଳା କାରବାର । ଏହି ଟଙ୍କା ମଦ ବ୍ୟବସାୟ ସହ ଜଡ଼ିତ ଥିଲା । ତେବେ ଏହି ମଦ କାରବାର ଆରମ୍ଭ ହୋଇଥିଲା ବଲାଙ୍ଗୀରରୁ । ତେବେ କେମିତି ପଡି଼ଥିଲା ଏହାର ମୂଳଦୁଆ ? ଜାଣନ୍ତୁ....

Base of liquor empire

ବଲାଙ୍ଗୀର: ଆୟକର ବିଭାଗର ତରଫରୁ ରାଜ୍ୟର ବିଭିନ୍ନ ଯାଗରେ ଚଢ଼ାଉ ପରେ କୋଟି କୋଟି ଟଙ୍କାର କଳା କାରବାର ଧରାପଡ଼ିଥିଲା । ତେବେ ଏହି ଟଙ୍କା ମଦ ବ୍ୟବସାୟ ସହ ଜଡଡିତ ଥିବା ଜଣାପଡ଼ିଥିଲା । ରାଜ୍ୟରେ ଧିରେ ଧିରେ ଏହି ମଦ ସାମ୍ରାଜ୍ୟ ଆଧିପତ୍ୟ ବିସ୍ତାର କରିଥିବା ବେଳେ ଏହାର ମୂଳଦୁଆ ପଡ଼ିଥିଲା ଗରିବ ଜିଲ୍ଲା କୁହାଯାଉଥିବା ବଲାଙ୍ଗୀରରେ । ମଦ ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରି ଗରିବ ଦେଶର କୁବେର ସାଜିଥିଲେ ଏହି ବ୍ୟବସାୟୀ ।

ବଲାଙ୍ଗୀର ଏକ ପଛୁଆ ଓ ଗରିବ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଛି । ହେଲେ ଏଠି ମଦର ସାମ୍ରାଜ୍ୟ ବିସ୍ତାର କରି ଆଜି ରେକର୍ଡ କରିଛି । ଯେଉଁଥିରେ ମଦ ବ୍ୟବସାୟୀ ଏଠି କୁବେର ସାଜି ଥିବା ବେଳେ ଲୋକେ ଆଜିବି ଗରିବ ସୀମା ତଳେ ବଞ୍ଚୁଛନ୍ତି । ଗୋଟିଏ ପରିବାର କିଭଳି ମଦର ସାମ୍ରାଜ୍ୟ ଛିଡା କଲା ଓ କେମିତି ସେମାନେ କୁବେର ସାଜିଲେ ତାହା ନିଶ୍ଚୟ ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି । ବିଶେଷ କରି ଦେଶର ସବୁଠୁ ବଡ଼ ଆଇଟି ରେଡ ପରେ ପାଖାପାଖି 300 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ବିଷୟ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ତେବେ ଝାଡ଼ଖଣ୍ଡର ସାହୁ ପରିବାର ବଲାଙ୍ଗୀରରେ ମଦ ସାମ୍ରାଜ୍ୟ ଛିଡା କରି ଏବେ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି ।

ବଲାଙ୍ଗୀର ରାଜାଘରର ସଦସ୍ୟ ଆର୍ତ୍ତ ତ୍ରାଣ ସିଂହଦେଓ କହିଛନ୍ତି, "ଭାରତ ସ୍ୱାଧୀନ ହେବା ପୂର୍ବରୁ ଅର୍ଥାତ୍ 1934 ମସିହାରେ ଝାଡ଼ଖଣ୍ଡର ବଳଦେବ ସାହୁ ସେ ସମୟର ପାଟଣା ରାଜ୍ୟ ଅର୍ଥାତ୍ ବଲାଙ୍ଗୀରକୁ ଆସିଥିଲେ । ଏଠାର ତତ୍କାଳୀନ ମହାରାଜାଙ୍କ ଅନୁମତି ପାଇ ମଦ ବ୍ୟବସାୟ ଆରମ୍ଭ କରିଥିଲେ । ସେ ସମୟରେ ମହରାଜାଙ୍କୁ ମୋଟା ଅଙ୍କର ରାଜସ୍ବ ଦେଇ ଆସୁଥିଲେ । ପରବର୍ତ୍ତୀ ସମୟରେ ସେ ପାଟଣା ରାଜ୍ୟର ସବୁଠି ମଦ ବ୍ୟବସାୟ ଆରମ୍ଭ କରିଥିଲେ । ସେହିପରି ଭାରତ ସ୍ୱାଧୀନ ହେବା ପରେ ଏସବୁ ଓଡ଼ିଶା ସରକାରଙ୍କ ହାତକୁ ଯାଇଥିଲା । ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଆଣି ସମାନ ଭାବରେ ମଦ ବ୍ୟବସାୟ କରି ଚାଲିଥିଲେ । ସେହିପରି ପୂର୍ବରୁ ମଦ ଭାଟି ଠିକା ବା ଟେଣ୍ଡର ହେଉଥିଲା । ପରେ ଏହି ପରିବାର ଟେଣ୍ଡର ପାଇବାରେ ସବୁ ବେଳେ ସଫଳ ହୋଇ ଆସୁଥିଲେ । ସମାନ ଭାବରେ 1951 ମସିହା ପରେ ଆଉ ଟେଣ୍ଡର ହେଲା ନାହିଁ ଏବଂ କେବଳ ରିନ୍ଵିୟୁ ହୋଇ ଏମାନଙ୍କ ହାତରେ ରହି ଆସିଛି । ତେବେ ଏହି ପରିବାର ଅତି କମ ଟଙ୍କାରେ ମହୁଲ କିଣି ସେଥିରୁ ମଦ ପ୍ରସ୍ତୁତ କରି ଶହ ଶହ ଗୁଣ ଟଙ୍କା କମାଇ ଆସୁଛନ୍ତି । ଏହି ଆଇଟି ରେଡରେ ଜବତ ହୋଇଥିବା ସବୁ ଟଙ୍କା ମଦ ଟଙ୍କା ।"

ଏହା ମଧ୍ୟ ପଢ଼ନ୍ତୁ....ମଦ ଦୁର୍ନୀତି: ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି, ସିବିଆଇ ଓ ଇଡି ତଦନ୍ତ ଦାବି

ସେପଟେ ବିଜେପି ବିଧାୟକ ମୁକେଶ ମହାଳିଙ୍ଗ କହିଛନ୍ତି, "ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ସାରା ଦେଶରେ ମଦ ପିଉଥିବା ପୁରୁଷଙ୍କ ସଂଖ୍ୟା 18.8 ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା 28 ପ୍ରତିଶତ ରହିଛି । ସେହିପରି ମଦ ପିଉଥିବା ମହିଳାଙ୍କ ସଂଖ୍ୟା ଦେଶର 1.3 ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା 4 ପ୍ରତିଶତରୁ ଅଧିକ ରହିଛି । ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲାରୁ ଅବକାରୀ ରାଜସ୍ବ 2022 /23 ବର୍ଷରେ 64 କୋଟି ପାଇଥିବା ବେଳେ ଚଳିତ ବର୍ଷ 67 କୋଟିରେ ଟାର୍ଗେଟ ରହିଛି । ତେବେ ମଦର ଏଭଳି ପ୍ରଚାର ପ୍ରସାର ପାଇଁ ରାଜ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଏହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଏଥି ପାଇଁ ଆଜି ସବୁଠି ଅପରାଧ ବଢୁଛି, ଲୋକେ ଖାଇବା ପରିବର୍ତ୍ତେ ମଦକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଯାହାଦ୍ବାରା ଅରାଜକତା ଗାଁ ଠୁ ସହର ସବୁଠି ରହିଛି । ତେଣୁ ମଦ ବିକ୍ରି କରି ନିଜ ନାଗରିକଙ୍କୁ ତଳଗାମି କରି ବିକାଶ ସମ୍ଭବ ନୁହେଁ ।"

ସେପଟେ ବଲାଙ୍ଗୀରର ବୁଦ୍ଧିଜୀବୀ ରଣରାଜ୍ ସିଂହ ଦେଓ ଓ ଯୁବ ସମାଜ ସେବୀ ସନ୍ତୋଷ ପଟ୍ଟନାୟକ କହିଛନ୍ତି ଯେ, ଏହି ମଦର ଟଙ୍କା ଗରିବ ଲୋକଙ୍କ ଅଟେ । ଯେଉଁଥିରେ ଲୋକଙ୍କୁ ମଦୁଆ କରି ତାଙ୍କୁ ଟଙ୍କା ଲୁଟି ଆଜି ବ୍ୟବସାୟୀମାନେ କୁବେର ସାଜିଛନ୍ତି । ତେବେ ଗରିବ ବଲାଙ୍ଗୀର ଜିଲ୍ଲାରେ ଏମାନେ କିଭଳି ଏତେ ଟଙ୍କାର ମାଲିକ ହେଲେ ତାର ତଦନ୍ତ ହେବା ଜରୁରୀ ବୋଲି ଏମାନେ କହିଛନ୍ତି । ସେହିପରି ଆୟକର ବିଭାଗ ପାଇଥିବା ଟଙ୍କା କଳାଧନ ନା ଆଉ କିଛି ରହସ୍ୟ ଅଛି ତାର ମଧ୍ୟ ସତ୍ୟ ସାମ୍ନାକୁ ଆସିବା ଦରକାର ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.