ETV Bharat / state

ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ରାସ୍ତାରୋକ

author img

By ETV Bharat Odisha Team

Published : Sep 16, 2023, 1:44 PM IST

ରାଜପଥ କଡ଼ରେ ଥିବା ବାଲିଗଦାରୁ ମିଳିଲା ଯୁବକଙ୍କ ମୃତଦେହ। ହତ୍ୟା ଅଭିଯୋଗରେ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଅଧିକ ପଢନ୍ତୁ
dead body found by roadside
ରାସ୍ତାକଡ଼ରେ ଯୁବକଙ୍କ ମୃତଦେହ

ରାସ୍ତାକଡ଼ରେ ଯୁବକଙ୍କ ମୃତଦେହ

ଅନୁଗୋଳ: ରାଜ୍ୟ ରାଜପଥ କଡ଼ରେ ଥିବା ବାଲିଗଦାରୁ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଅନୁଗୋଳ-ଭୁବନେଶ୍ୱର ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନୁଗୋଳ ଜିଲ୍ଲାର ଛେଲିଆପଡା ଗାଁ ନିକଟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ଅନୁଗୋଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗାଁ ନିକଟରେ ରାସ୍ତାକଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ମୃତକ ଜଣକ କାଙ୍ଗୁଲା ଗାଁର ସଂଗ୍ରାମ ବେହେରା ବୋଲି ଜଣାପଡ଼ିଛି । ସଂଗ୍ରାମଙ୍କୁ କେହି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଅଭିଯୁକ୍ତକୁ ଗିରଫ ଦାବିରେ ଅନୁଗୋଳ କଟକ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଓ ସ୍ଥାନୀୟଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଂଗ୍ରାମ ଗତକାଲି ରାତିରେ ନିଜ ଘର ଛାତ ପକାଇଥିଲେ। ତେଣୁ ରାତିରେ ସେ ଭୋଜି ଭାତ ମଧ୍ୟ କରିଥିଲେ । ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ସେ ଘରୁ ବାହାରକୁ ଆସିଥିବା କହିଛନ୍ତି ପରିବାର । ହେଲେ ବାହାରକୁ ଆସିବା ପରେ ଆଉ ଘରକୁ ଫେରି ନଥିଲେ ସଂଗ୍ରାମ । ଆଜି ସକାଳେ ରାସ୍ତାକଡରେ ଏକ ବାଲିଗଦା ଉପରେ ତାଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ସେମାନେ ସଂଗ୍ରାମଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ପରିବାରଲୋକେ ସେଠାରେ ପହଞ୍ଚିଥିଲେ ।

ଏହା ବି ପଢନ୍ତୁ...ଯୁବକକୁ ନିର୍ମମ ହତ୍ୟା ଘଟଣା: 5 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଏହା ବି ପଢନ୍ତୁ...ବୁର୍ଲାର ମହିଳାଙ୍କୁ ବରଗଡ଼ରେ ହତ୍ୟା ! ତଣ୍ଟି କାଟି ବ୍ରିଜ ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ପରିବାର ଲୋକଙ୍କ କହିବା ଅନୁସାରେ, ପୂର୍ଵରୁ ସଂଗ୍ରାମଙ୍କର ଅନେକ ଲୋକଙ୍କ ସହ ଶତ୍ରୁତା ଥିଲା । ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ସଂଗ୍ରାମଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ପରିବାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ସଂଗ୍ରାମ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରୁଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।


ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.