ETV Bharat / sports

Diamond League: ନୀରଜ ରନର୍ସଅପ୍, ଭାଲଡେଚ ଚମ୍ପିଆନ

author img

By ETV Bharat Odisha Team

Published : Sep 17, 2023, 8:12 AM IST

ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ ଟ୍ରଫି ବଜାୟ ରଖିବାକୁ ବିଫଳ ହୋଇଛନ୍ତି । ଆମେରିକାରେ ଆୟୋଜିତ ଡାଇମଣ୍ଡ ଲିଗ ଫାଇନାଲରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ନୀରଜ । ଅଧିକ ପଢନ୍ତୁ

Diamond League
ଡାଇମଣ୍ଡ ଲିଗ ଫାଇନାଲରେ ନୀରଜ ରନର୍ସଅପ୍

ନୂଆଦିଲ୍ଲୀ: ଅଲମ୍ପିକ ଏବଂ ବିଶ୍ବ ଆଥଲେଟିକ୍ସ ଚମ୍ପିଆନ ତଥା ଭାରତର ଷ୍ଟାର ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ଡାଇମଣ୍ଡ ଲିଗ ଟ୍ରଫି ବଜାୟ ରଖିବାରେ ବିଫଳ ହୋଇଛନ୍ତି । ଆମେରିକାର ୟୁଜିନରେ ଅନୁଷ୍ଠିତ ଡାଇମଣ୍ଡ ଲିଗ ଫାଇନାଲରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି ନୀରଜ । ଚେକ ଗଣରାଜ୍ୟର ଜାକୁବ ଭାଲଡେଚ ଚମ୍ପିଆନ ହୋଇଛନ୍ତି ।

ଡାଇମଣ୍ଡ ଲିଗ ଫାଇନାଲରେ ଜାକୁବ ଭାଲଡେଚ 84.24ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ତାଙ୍କ ଶେଷ ପ୍ରୟାସରେ ଏହି ଦୂରତା ଛୁଇଁଥିଲେ । 84.24ମିଟର ଦୂରତା ପାର କରିବାରେ ବିଫଳ ହୋଇଥିଲେ ନୀରଜ । 83.80 ମିଟର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିଲେ ନୀରଜ ଚୋପ୍ରା । ତାଙ୍କର ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା । ପରବର୍ତ୍ତୀ ଦୁଇଟି ପ୍ରୟାସ ଯଥାକ୍ରମେ 83.80 ମିଟର ଓ 81.37 ମିଟର ରହିଥିଲା । ଚତୁର୍ଥ ପ୍ରୟାସ ବିଫଳ ହୋଇଥିଲା ବେଳେ ଅନ୍ୟ ଦୁଇଟି ପ୍ରୟାସରେ ସେ 80.74 ମିଟର ଏବଂ 80.90 ମିଟର ଦୂରକୁ ଜାଭେଲିନ ଥ୍ରୋ କରିଥିଲେ ନୀରଜ । ଗତ ଜୁରିକ ଡାଏମଣ୍ଡ ଲିଗରେ ନୀରଜଙ୍କୁ ପଛରେ ପକାଇ ଭାଲଡେଚ ବାଜି ମାରି ନେଇଥିଲେ ।

ଏହା ବି ପଢନ୍ତୁ...World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଏହା ବି ପଢନ୍ତୁ...Zurich Diamond League 2023: ସିଲଭର ପଦକ ଜିତିଲେ ସୁନା ପୁଅ ନୀରଜ

ପ୍ରକାଶ ଥାଉ କି, ଗତ ମାସରେ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ଏହି ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ନୀରଜ । ପାକିସ୍ତାନ ପ୍ରତିପକ୍ଷଙ୍କୁ ମାତ ଦେଇ ଏହି ଐତିହାସିକ ସଫଳତା ହାସଲ କରିଥିଲେ ନୀରଜ । ବିଶ୍ବ ଆଥଲେଟିକ ଚମ୍ପିଆନସିପ ଜାଭେଲିନ ଥ୍ରୋ ଫାଇନାଲରେ 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ ନୀରଜ । ପାକିସ୍ତାନର ଅର୍ଶଦ ନଦୀପ 87.82ମିଟର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ । 40ବର୍ଷ ପରେ ଭାରତକୁ ଆଥଲେଟରେ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ନୀରଜ । ଏହା ପରେ ଚଳିତ ମାସରେ ଜୁରିକ ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଥିଲେ ନୀରଜ । 85.71 ମିଟର ଜାଭେଲିନ ଭିଙ୍ଗି ଦ୍ବିତୀୟ ସ୍ଥାନରେ ରହିିଥିଲେ ନୀରଜ ଚୋପ୍ରା ।

ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ନୀରଜ ତାଙ୍କ କ୍ୟାରିୟରରେ 2018 ଏସିଆ ଗେମ୍ସରେ ସ୍ବର୍ଣ୍ଣ, 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଗୋଲ୍ଟ ମେଡାଲ ସହିତ 4ଟି ଅଲଗା ଅଲଗା ଡାଇମଣ୍ଡ ଲିଗ ଟାଇଟଲ ଜିତିଥିଲେ । 2022 ଡାଇମଣ୍ଡ ଲିଗ ଚମ୍ପିଆନ ଟ୍ରଫି ହାତେଇଥିଲେ ନୀରଜ । 2016ରେ ଜୁନିୟର ୱାର୍ଲ୍ଡ ଚାମ୍ପିଅନ ଓ 2017ରେ ଏସିଆନ ଚମ୍ପିଆନସିପ ଟାଇଟଲ ଜିତିଥିଲେ ଏହି ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.