ETV Bharat / sports

World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By ETV Bharat Odisha Team

Published : Aug 28, 2023, 8:07 AM IST

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ । ଅଧିକ ପଢନ୍ତୁ

World Athlethics Championships
ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ

ବୁଦାପେଷ୍ଟ: ଗୋଲ଼୍ଡେନ ବଏଙ୍କ ଗୋଲ୍ଡେନ ଥ୍ରୋ । ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଇତିହାସ ରଚିଛନ୍ତି । ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସୁନାପୁଅ ନୀରଜ ଚୋପ୍ରା । ବିଶ୍ବ ଆଥଲେଟିକ ଚମ୍ପିଆନସିପ ଜାଭେଲିନ ଥ୍ରୋ ଫାଇନାଲରେ ସେ 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପାକିସ୍ତାନର ଅର୍ଶଦ ନଦୀପ 87.82ମିଟର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ସେହିପରି ଜାକବ ଭାଲଡେଚ 86.67ମିଟର ଜାଭେଲିନ ଥ୍ରୋ କରି ବ୍ରୋଞ୍ଚ ପଦକ ଜିତିଛନ୍ତି । 40ବର୍ଷ ପରେ ଭାରତକୁ ଆଥଲେଟରେ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି ।

ନୀରଜ ଚୋପ୍ରା ତାଙ୍କ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ ଜବରଦସ୍ତ କମବ୍ୟାକ କରି 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ଅଧିକାର କରିଥିଲେ । ଯାହା ତାଙ୍କୁ ସ୍ବର୍ଣ୍ଣିମ ସଫଳତା ଦେଇଛି । ମଧ୍ୟଭାଗରେ ନୀରଜ ଓ ନଦୀମଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ଅର୍ଶଦ ନଦୀପ 2ଟି ପ୍ରୟାସରେ 74.80 ଏବଂ 82.81 ମିଟର ଜାଭେଲିନ ଫିଙ୍ଗିଥିଲେ । ତୃତୀୟ ପ୍ରୟାସରେ 87.82 ଜାଭେଲିନ ଫିଙ୍ଗିଥିଲେ ଅର୍ଶଦ ।

ଏହା ବି ପଢନ୍ତୁ...World Athlethics Championships Final: ଜାଭଲିନ୍‌ରେ ଭାରତ-ପାକ୍‌ ମୁକାବିଲା, ଅର୍ଶଦ କହିଲେ ନୀରଜ ସର୍ବଶ୍ରେଷ୍ଠ

ବିଶ୍ବ ଆଥଲେଟିକ ଚମ୍ପିଆନସିପର ଅନ୍ତିମ ଦିନରେ ଜାଭେଲିନ ଥ୍ରୋ ଫାଇନାଲରେ ଦ୍ବିତୀୟ ରାଉଣ୍ଡରେ ନୀରଜ ଚୋପ୍ରା 88.17ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହା ସହ କ୍ୟାରିୟର ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । 25ବର୍ଷୀୟ ନୀରଜଙ୍କର ଏହି ସଫଳତାରେ ଆଜି ସାରା ଦେଶ ଗର୍ବି ଅନୁଭବ କରୁଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶ୍ବ ଆଥଲେଟିକ ଚମ୍ପଆନସିପରେ ଭାରତର ଏହା ତୃତୀୟ ପଦକ । ପୂର୍ବରୁ 2022 ସଂସ୍କରଣରେ ନୀରଜ ରୌପ୍ୟ ଓ ମହିଳା ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ 2003ରେ ପ୍ୟାରିସ ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲେ ।

ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲା ନୀରଜ ତାଙ୍କ କ୍ୟାରିୟରରେ 2018 ଏସିଆ ଗେମ୍ସରେ ସ୍ବର୍ଣ୍ଣ, 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଗୋଲ୍ଟ ମେଡାଲ ସହିତ 4ଟି ଅଲଗା ଅଲଗା ଡାଇମଣ୍ଡ ଲିଗ ଟାଇଟଲ ଜିତିଛନ୍ତି । 2022 ଡାଇମଣ୍ଡ ଲିଗ ଚମ୍ପିଆନ ଟ୍ରଫି ହାତେଇଥିଲେ ନୀରଜ । 2016ରେ ଜୁନିୟର ୱାର୍ଲ୍ଡ ଚାମ୍ପିଅନ ଓ 2017ରେ ଏସିଆନ ଚମ୍ପିଆନସିପ ଟାଇଟଲ ଜିତିଥିଲେ ଏହି ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ନୀରଜଙ୍କର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଦକ୍ଷ ପ୍ରତିଭାବାନ ନୀରଜ ଚୋପ୍ରା ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଶୁଭେଚ୍ଛା । ତାଙ୍କର ଖେଳ ପ୍ରତି ଉତ୍ସର୍ଗୀକୃତ ଭାବନା, ପ୍ୟାସନ ତାଙ୍କୁ ଏହି ସଫଳତା ଦେଇଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.