ETV Bharat / sports

Womens Junior Asia Cup: ୨-୧ ଗୋଲରେ ହାରିଲା ଦକ୍ଷିଣ କୋରିଆ, ପ୍ରଥମ ଟାଇଟଲ୍‌ ହାତେଇଲା ଭାରତ

author img

By

Published : Jun 11, 2023, 9:55 PM IST

ଦକ୍ଷିଣ କୋରିଆକୁ ହରାଇ ପ୍ରଥମ ଟାଇଟଲ୍‌ ହାତେଇଲା ଭାରତ
ଦକ୍ଷିଣ କୋରିଆକୁ ହରାଇ ପ୍ରଥମ ଟାଇଟଲ୍‌ ହାତେଇଲା ଭାରତ

ମହିଳା ଜୁନିୟର ଏସିଆ କପରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଫାଇନାଲରେ ୪ ଥରର ଚମ୍ପିଆନ୍‌ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ଭାରତ ଏହି ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଟାଇଟଲ ହାସଲ କରିଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଜାପାନରେ ଚାଲିଥିବା ମହିଳା ଜୁନିଅର ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏସିଆ କପ୍ ଜୁନିଅର ମହିଳା ହକିରେ ଚମ୍ପିଆନ ହୋଇଛି ଭାରତ । ଫାଇନାଲରେ ୪ ଥରର ଚମ୍ପିଆନ୍‌ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ଭାରତ ଏହି ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଟାଇଟଲ ହାସଲ କରିଛି । ସବୁଠାରୁ ବଡ଼କଥା ହେଉଛି, ଏହି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ମଧ୍ୟ ମ୍ୟାଚ୍‌ ହାରିନାହିଁ ।

ଫାଇନାଲ ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଧୀମା ରହିଥିଲା । କିନ୍ତୁ ୨୨ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ଗୋଲ୍‌ରେ ପରିଣତ କରିବାରେ ସମର୍ଥ ହୋଇଥିଲେ ଅନ୍ନୁ । ଏହାପରେ ଖେଳ ରୋମାଞ୍ଚକ ମୋଡକୁ ଆସିଥିଲା । ଜାପାନ ବିରୋଧରେ ସେମିଫାଇନାଲରେ ଶୋଚନୀୟ ପ୍ରଦର୍ଶନ ପାଇଁ ସମାଲୋଚିତ ହୋଇଥିବା ଅନ୍ନୁ ଫାଇନାଲ୍‌ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ଏହାପରେ ଦକ୍ଷିଣ କୋରିଆ ମଧ୍ୟ ଭାରତକୁ କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ କୋରିଆକୁ ଭାରତର ପ୍ରଥମ ଗୋଲ୍‌ର ତିନି ମିନିଟ୍‌ ମଧ୍ୟରେ ଦକ୍ଷିଣ କୋରିଆର ସିୟୋ ୟୋନ୍‌ ଭାରତକୁ ଗୋଟିଏ ଗୋଲ୍‌ ଦେଇଥିଲେ । ତେବେ ମ୍ୟାଚ୍‌ର ୪୧ ମିନିଟ୍‌ରେ ନିଲମ ପୁଣି ଥ​‌ରେ ଗୋଲ ଦେଇ ଭାରତକୁ ୨-୧ରେ ଆଗୁଆ କରାଇଥିଲେ ।

ଦମଦାର ଡିଫେନ୍ସ ବଳରେ ତୃତୀୟ କ୍ବାର୍ଟ​‌ରରେ ମଧ୍ୟ ଦକ୍ଷିଣ କୋରିଆ ଠାରୁ ଆଗୁଆ ରହିଥିଲା ଭାରତ । ଶେଷରେ ଭାରତ ବିଜୟୀ ହୋଇଥିଲା । ଦକ୍ଷିଣ କୋରିଆକୁ ଏକାଧିକ ପେନାଲ୍ଟି କର୍ଣ୍ଣର​ ମିଳିଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ କୋରିଆନ୍‌ ଖେଳାଳୀ । ଏହା ଭାରତକୁ ଟାଇଟଲ ହାତେଇବାରେ ସହାୟକ ହୋଇଥିଲା । ଦକ୍ଷିଣ କୋରିଆ କଡ଼ା ମୁକାବିଲା ଦେଇଥିଲେ ମଧ୍ୟ ଭାରତକୁ ହରାଇବାରେ ସଫଳ ହୋଇନଥିଲା । ଏହା ପୂର୍ବରୁ ୨୦୧୨ରେ ବ୍ୟାଙ୍ଗକକ୍‌ରେ ଖେଳାଯାଇଥିବା ଏସିଆ କପ୍‌ରେ ଭାରତୀୟ ମହିଳା ଦଳ ପ୍ରଥମ ଥର ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଚୀନ ଠାରୁ ୨-୫ ଗୋଲ୍‌ରେ ହାରି ଯାଇଥିଲା । ତେଣୁ ଚଳିତ ବର୍ଷ ବିଜୟ ସହ ଭାରତ ପ୍ରଥମ ଟାଇଟଲ ହାସଲ କରିଛି ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜିତ: ଗତ ଜୁନ୍‌ ୩ ତାରିଖରେ ମହିଳା ହକି ଜୁନିୟର ଏସିଆ କପରେ ଭାରତ ପ୍ରଥମ ମ୍ୟାଚରେ ଉଜବେଗିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ ୨୨-୦ ଗୋଲର ବଡ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ହକି ଦଳ । ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ୨-୧ରେ ପରାସ୍ତ କରିଥିଲା ଭାରତ । ସେହିଭଳି ତୃତୀୟ ମ୍ୟାଚରେ କୋରିଆ ବିପକ୍ଷ ମୁକାବିଲା ୨-୨ରେ ଡ୍ର ହୋଇଯାଇଥିଲା । ଅନ୍ତିମ ପୁଲ୍‌ ମ୍ୟାଚରେ ଚାଇନିଜ ତାଇପେଇକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ । ସେମି ସମରରେ ଜାପାନକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା ଭାରତ । ଆଉ ଫାଇନାଲ୍‌ରେ ମଧ୍ୟ ଦକ୍ଷିଣ କୋରିଆକୁ ହରାଇ ପ୍ରଥମ ଟାଇଟଲ୍‌ ଜିତିବା ସହ ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ଅପରାଜିତ ରହିବାର ଇତିହାସ ରଚିଛି ଟିମ୍‌ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.