ETV Bharat / sports

Ultimate kho kho, ଚମ୍ପିଆନ ଓଡିଶା ଜଗର୍ନଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

author img

By

Published : Sep 8, 2022, 7:51 AM IST

ଚାମ୍ପିୟନ ଓଡିଶା ଜଗର୍ନଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଚାମ୍ପିୟନ ଓଡିଶା ଜଗର୍ନଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଅଲଟିମେଟ୍ ଖୋ ଖୋ ଲିଗରେ ଟ୍ରଫି ହାତେଇଥିବା ଦଳ ଓଡିଶା ଜଗର୍ନଟ୍ସକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳକୁ ନେଇ ଗର୍ବିତ ମନେ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଅଲଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣରେ ଇତିହାସ ରଚିଛି ଓଡିଶା ଜଗର୍ନଟ୍ସ । ତେଲୁଗୁ ଯୋଦ୍ଧାକୁ ହରାଇ ଟ୍ରଫି ଜିତିଛି ଓଡିଶା। ଚମ୍ପିଆନ ଦଳ ଓଡିଶାକୁ ଫେରିବାର ପରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Cm Naveen felicitates Odisha Juggernauts) । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ରାଜ୍ୟରେ ଏକ ଖୋ ଖୋ ଷ୍ଟାଡିୟମ ଏବଂ ଉତ୍କର୍ଷ କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ।

ସମ୍ବର୍ଦ୍ଧନା ସ୍ବରୂପ ଓଡିଶା ଜଗର୍ନଟ୍ସକୁ ମୋଟ 2 କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି,''ଖୋ ଖୋ ଏକ ପାରମ୍ପରିକ କ୍ରୀଡା । ଯାହା କେବଳ କମ୍‌ ଦର୍ଶକଙ୍କ ମଧ୍ୟ ଗାଁରେ ସୀମିତ ରହିଥିଲା । ମାତ୍ର ଏବେ ତାହା ଦେଶରେ ପରିଚୟ ପାଇଛି । ଖୋ ଖୋ ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇ ଓଡିଶା ଜଗର୍ନଟ୍ସ ଇତିହାସ ରଚିଛି । ଏହି ସଫଳତା ନୂଆ ପିଢିଙ୍କୁ ଖୋ ଖୋ ଖେଳିବାକୁ ଅନୁପ୍ରାଣିତ କରିବ। ବର୍ତ୍ତମାନ ଲୋକ ଖୋ ଖୋ ଓ ଓଡିଶା ଜଗର୍ନଟ୍ସ ବିଷୟରେ ଆଲୋଚନା କରୁଛନ୍ତି । ଦଳକୁ ନେଇ ଆମେ ଗର୍ବିତ । ଆଗାମୀ ଦିନରେ ଆହୁରି ସଫଳତା ହାସଲ କର ସେଥିପାଇଁ ଶୁଭେଚ୍ଛା ।'' 5ଟି ସଚିବ ଭିକେ ପାଣ୍ଡିଆନ ଓଡିଶା ଦଳର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ।

ଏହା ବି ପଢନ୍ତୁ...Asia Cup 2022: ୧ ୱିକେଟରେ ଜିତିଲା ପାକିସ୍ତାନ, ଭାରତର ଫାଇନାଲ ଯିବା ଆଶା ଧୂଳିସାତ୍‌

ଓଡିଶା ଜଗର୍ନଟ୍ସର ଏ ସଫଳତା ପରେ ରାଜ୍ୟରେ ଖୋ ଖୋ ଖେଳର ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାର । ଖୋ ଖୋର ବିକାଶ ନେଇ ଏକ ଷ୍ଟା଼ଡିୟମ ଏବଂ ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଥମ ସିଜନରେ ଓଡିଶା ଜଗର୍ନଟ୍ସର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଲିଗ ପର୍ଯ୍ୟାୟରେ ଦ୍ବିତୀୟ ମ୍ୟାଚରେ ପରାଜିତ ହେବା ପରେ ଦଳ କ୍ରମାନ୍ବୟରେ 6ଟି ମ୍ୟାଚରେ ବିଜୟୀ ହୋଇ ପ୍ଲେ ଅଫରେ ପ୍ରବେଶ କରିଥିଲା । ଅଧିକାଂଶ ସମୟ ଦଳ ଟେବୁଲ ଟପରେ ରହିଥିଲା । ପ୍ରଥମ କ୍ବାଲିଫାୟରରେ ଦଳ ଗୁଜୁରାଟକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା ।

ସେପ୍ଟେମ୍ବର 4ରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ତେଲୁଗୁ ଯୋଦ୍ଧାସକୁ ଭେଟିଥିଲା ଦଳ । ଫାଇନାଲରେ ଦମଦାର ପ୍ରଦର୍ଶନ କରି ସ୍ବଦେଶୀ ଖେଳ ଖୋ ଖୋର ବିଜୟ ମୁକୁଟ ପିନ୍ଧିଥିଲା ଓଡିଶା ଜଗର୍ନଟ୍ସ । 46-45 ପଏଣ୍ଟରେ ତେଲୁଗୁ ଯୋଦ୍ଧାସକୁ ପରାସ୍ତ କରିଥିଲା ଓଡିଶା । ପ୍ରଥମ ସଂସ୍କରଣରେ 6ଟି ଫ୍ରାଞ୍ଚାଇଜ ଦଳ ଭାଗ ନେଇଥିଲେ । ଅଗଷ୍ଟ 14ରୁ ପୁଣେର ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅଲଟିମେଟ ଖୋ ଖୋ ଲିଗ ଆରମ୍ଭ ହୋଇଥିଲା।

କଳିଙ୍କ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡା ସଚିବ ଆର. ଭିନୀଲ କ୍ରୀଷ୍ଣା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.