ETV Bharat / sports

1ମ ଟେଷ୍ଟ ପୂର୍ବରୁ ରୋହିତଙ୍କ ପ୍ରେସ୍‌ମିଟ୍‌, କହିଲେ ଯାହା କେହି କରିପାରିନାହାନ୍ତି ମୁଁ କରିବି

author img

By ETV Bharat Odisha Team

Published : Dec 25, 2023, 8:03 PM IST

1ମ ଟେଷ୍ଟ ପୂର୍ବରୁ ରୋହିତଙ୍କ ପ୍ରେସ୍‌ମିଟ୍‌
1ମ ଟେଷ୍ଟ ପୂର୍ବରୁ ରୋହିତଙ୍କ ପ୍ରେସ୍‌ମିଟ୍‌

Rohit Sharma Press Conference: ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ । ଏହା ପୂର୍ବରୁ ପ୍ରେସ୍‌ମିଟ୍‌ରେ ଲକ୍ଷ୍ୟ ସ୍ପଷ୍ଟ କଲେ ଅଧିନାୟକ ରୋହିତ ଶର୍ମା । ୱିକେଟ୍‌ କିପିଂ ପାଇଁ ରାହୁଲ ପ୍ରଥମ ପସନ୍ଦ । ଶାମିଙ୍କ ଅନୁପସ୍ଥିତିକୁ ଅନୁଭବ କରିବ ଦଳ । ଅଧିକ ପଢ଼ନ୍ତୁ...

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତାକାଲି (ମଙ୍ଗଳବାର) ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବ । ଏହାକୁ ସାରା ବିଶ୍ବ ଅପେକ୍ଷା କରିଛି । କାରଣ ଦିନିକିଆ ବିଶ୍ବକପ୍‌ 2023 ପରେ ଦୁଇ ଦେଶର ଅଧିକାଂଶ ଷ୍ଟାର କ୍ରିକେଟର ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବେ । ତେବେ ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ନିଜର ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୂର୍ବରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଯାହା ହାସଲ କରିବାରେ ବିଫଳ ରହିଛନ୍ତି, ମୁଁ ତାହା ହାସଲ କରିବାକୁ ଚାହେଁ ବୋଲି କହିଛନ୍ତି ରୋହିତ ।

ମଙ୍ଗଳବାର ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ସୋମବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, "ଏଠାରେ ଯାହା ପୂର୍ବରୁ କେହି ହାସଲ କରିନାହାନ୍ତି, ମୁଁ ତାହା ହାସଲ କରିବାକୁ ଚାହୁଁଛି । ଦଳଗତ ଭାବେ ଏହା ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ । ବିଗତ ଦିନରେ ଏଠାରେ ମଧ୍ୟ ଆମେ ଗୋଟିଏ ହେଲେ ସିରିଜ୍‌ ଜିତି ନାହୁଁ । ତେଣୁ ଏଥର ଭଲ ପ୍ରଦର୍ଶନ କରି ଭଲ ଫଳାଫଳ ପାଇବା ପାଇଁ ଏହା ଏକ ଉତ୍ତମ ସୁଯୋଗ ।" ଏହି ସାମ୍ବାଦିକ ସମ୍ମିଳନୀରେ ନିଜ କ୍ରିକେଟ ଭବିଷ୍ୟତକୁ ନେଇ କିଛି କହିବା ନାହାନ୍ତି ରୋହିତ । ସେ ନିଜ କ୍ରିକେଟ୍‌ ଭବିଷ୍ୟତ ଯୋଜନାକୁ ଉନ୍ମୋଚନ ନକରି କେବଳ କହିଛନ୍ତି, "ମୋ ଭିତରେ ଯେତିକି କ୍ରିକେଟ୍‌ ବଞ୍ଚିଛି, ମୁଁ ସେ ସବୁ ଖେଳିବାକୁ ଚାହୁଁଛି ।

ଏହା ମଧ୍ୟ ପଢ଼ନ୍ତୁ...ଟେଷ୍ଟ ପୂର୍ବରୁ ନେଟ୍‌ରେ ଝାଳ ବୁହାଇଲେ କ୍ୟାପ୍ଟେନ ରୋହିତ, ଭିଡିଓ ସେୟାର କଲା BCCI

ୱିକେଟ୍‌ କିପିଂ ପାଇଁ ରାହୁଲ ପ୍ରଥମ ପସନ୍ଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ୱିକେଟ୍‌ କିପିଂ ପାଇଁ କେଏଲ୍‌ ରାହୁଲଙ୍କୁ ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି ଅଧିନାୟକ ରୋହିତ ଶର୍ମା । ହେଲେ 5 ଦିବସୀୟ ଏହି ମ୍ୟାଚ୍‌ରେ ରାହୁଲ ନିଜେ କେତେ ଲମ୍ବା ସମୟ ପର୍ଯ୍ୟନ୍ତ ୱିକେଟ୍‌ କିପିଂ କରିବାକୁ ଚାହିଁବେ, ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ରୋହିତ କହିଛନ୍ତି । ସେ କହିଛନ୍ତି, "ମୁଁ ଜାଣିନି ରାହୁଲ କେତେ ସମୟ ପର୍ଯ୍ୟନ୍ତ ୱିକେଟ୍‌ କିପିଂ କରି ପାରିବେ, କିନ୍ତୁ ସେ ଏବେ ଏହି କାର୍ଯ୍ୟ ପାଇଁ ଇଚ୍ଛୁକ । ରାହୁଲ ମଧ୍ୟ ନମ୍ବର ୪ ଏବଂ ୫ରେ ଭଲ ବ୍ୟାଟିଂ କରନ୍ତି ।" ତେଣୁ ୱିକେଟ୍‌ କିପିଂ ପାଇଁ ଏବେ ରାହୁଲ ଅଧିନାୟକଙ୍କର ପ୍ରଥମ ପସନ୍ଦ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ ନୁହେଁ ଲଣ୍ଡନ ଯାଇଥିଲେ କୋହଲି, ଦକ୍ଷିଣ ଆଫ୍ରିକା ଫେରି ଆରମ୍ଭ କଲେ ଅଭ୍ୟାସ

ଶାମିଙ୍କ ଅନୁପସ୍ଥିତି କ୍ଷତିକାରକ: ବିଶ୍ବକପ୍‌ରେ ଭାରତ ପାଇଁ ସବୁଠାରୁ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଅଭିଜ୍ଞ ବୋଲର ମହମ୍ମଦଲ ଶାମିଙ୍କ ଅନୁପସ୍ଥିତି ଦଳ ପାଇଁ କ୍ଷତିକାରକ ବୋଲି ରୋହିତ କହିଛନ୍ତି । ସେ କହିଛନ୍ତି, "ବିଗତ ବର୍ଷରେ ଶାମି ଦଳ ପାଇଁ ଯାହା ସବୁ କରିଛନ୍ତି, ସେସବୁକୁ ଦୃଷ୍ଟି ଦେଲେ ଶାମିଙ୍କ ଅନୁପସ୍ଥିତିକୁ ଦଳ ଅନୁଭବ କରିବ । ତାଙ୍କ ସ୍ଥାନରେ ଅନ୍ୟ ବୋଲରଙ୍କୁ ଖେଳାଇବାକୁ ପଡ଼ିବ, ହେଲେ ଏହା ସେତେଟା ସହଜ ହେବ ନାହିଁ ।" ତୃତୀୟ ବୋଲରଙ୍କୁ ନେଇ ସେ କହିଛନ୍ତି, "ଆମ ପାଖରେ ବୁମରା ଓ ସିରାଜ ଦୁଇ ମୁଖ୍ୟ ବୋଲର ରହିଛନ୍ତି । ଏହା ବ୍ୟତୀତ ତୃତୀୟ ବୋଲର ଭାବେ ଦଳରେ ପ୍ରସିଦ୍ଧ କ୍ରିଷ୍ଣା ଓ ମୁକେଶ କୁମାର ମଧ୍ୟ ଅଛନ୍ତି । ହେଲେ ପିଚ୍‌ ପରଖିବା ପରେ ହିଁ ଆମେ ଏମାନଙ୍କ ମଧ୍ୟରୁ ଜଣକୁ ଚୟନ କରିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.