ETV Bharat / sports

Asia Cup 2023: ବର୍ଷା ଧୋଇନେବ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌ ! ବାତିଲ ହେଲେ ଫାଇନାଲକୁ କିଏ ଯିବ ?

author img

By ETV Bharat Odisha Team

Published : Sep 13, 2023, 10:31 PM IST

ଏସିଆ କପ୍‌ ୨୦୨୩ରେ ଗୁରୁବାର ନିର୍ଣ୍ଣାୟକ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ପାକିସ୍ତାନ । ଯେଉଁ ଦଳ ଜିତିବ, ସେହି ଦଳ ଭାରତ ସହ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ । ଏହାରି ଭିତରେ ପ୍ରଶଂସକଙ୍କୁ ପୁଣି ଘାରିଛି କଲମ୍ବୋର ପାଣିପାଗ ଚିନ୍ତା । ଯଦି ବର୍ଷା ହୁଏ ଓ ମ୍ୟାଚ୍‌ ଧୋଇଯାଏ, ଜାଣନ୍ତୁ କିଏ ଖେଳିବ ଭାରତ ସହ ଫାଇନାଲ । ଅଧିକ ପଢ଼ନ୍ତୁ

ବର୍ଷା ଧୋଇନେବ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌ !
ବର୍ଷା ଧୋଇନେବ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌ !

କଲମ୍ବୋ: ଜାରି ରହିଥିବା ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟର ପ୍ରଥମ ଦୁଇଟି ମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିସାରିଛି ଟିମ୍‌ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ବିପକ୍ଷରେ ବଡ଼ ବିଜୟ ଓ ପରେ ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ ସୁପର ୪ର ମ୍ୟାଚକୁ ୪୧ ରନରେ ଜିତି ପ୍ରଥମ ଦଳ ଭାବେ ଫାଇନାଲ ପାଇଁ ଟିକେଟ୍‌ ହାସଲ କରିନେଇଛି ରୋହିତ ବାହିନୀ । ସେପଟେ ଗୁରୁବାର ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ହିଁ ଫାଇନାଲ୍‌ରେ ପ୍ରବେଶ କରିବ । ତେବେ ଶ୍ରୀଲଙ୍କାର ପାଣିପାଗ ଏହି ମ୍ୟାଚ୍‌ ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି । ଯଦି ବର୍ଷା କାରଣରୁ ଏହି ମ୍ୟାଚ୍‌ ରଦ୍ଦ ହୋଇଯାଏ, ତେବେ କେଉଁ ଦଳ ଫାଇନାଲକୁ ଯିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଲଗାତାର କଲମ୍ବୋରେ ବର୍ଷା ଜାରି ରହିଛି । ଗୁରୁବାର ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ମଧ୍ୟ ବର୍ଷା ବାଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ଥାନୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗୁରୁବାର ମ୍ୟାଚ୍‌ ସମୟରେ ୭୩% ବର୍ଷା ଆଶଙ୍କା ରହିଛି । ଏପରି ଆକଳନ ପରେ ଶ୍ରୀଲଙ୍କା ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । କାରଣ ଏହି ମ୍ୟାଚ୍‌ ପାଇଁ କୌଣସି ରିଜର୍ଭ ଡେ' ମଧ୍ୟ ଧାର୍ଯ୍ୟ ହୋଇନାହିଁ । ଯଦି ବର୍ଷା ଲାଗି ରୁହେ, ତେବେ ନିୟମ ଅନୁସାରେ ମ୍ୟାଚ୍‌କୁ ବାତିଲ କରାଯାଇ ପଏଣ୍ଟ୍‌ ଭାଗ କରାଯିବ । ଏମିତି ହେଲେ ଏସିଆ କପ୍‌ ୨୦୨୩ ଫାଇନାଲକୁ ପ୍ରବେଶ କରିବ ଶ୍ରୀଲଙ୍କା । କାରଣ ପାକିସ୍ତାନ ତୁଳନାରେ ଶ୍ରୀଲଙ୍କାର ନେଟ୍‌ ରନ୍‌ରେଟ ଭଲ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ..Asia Cup 2023: ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଝଟ୍‌କା, ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲେ ଏହି ବୋଲର

ପାକିସ୍ତାନ ସୁପର ୪ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ସହଜରେ ହରାଇ ଭଲ ନେଟ୍‌ ରନ୍‌ରେଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । କିନ୍ତୁ ଭାରତ ବିପକ୍ଷରେ ଦଳ ୨୨୮ ରନ ବ୍ୟବଧାନରେ ହାରିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଦିନିକିଆ କ୍ରିକେଟ୍‌ ଇତିହାସରେ ପାକିସ୍ତାନ ବିପକ୍ଷରେ ଏହା ଭାରତର ସବୁଠାରୁ ବଡ଼ ବିଜୟ ଥିଲା । ଭାରତଠାରୁ ଏକତରଫା ଭାବେ ପରାସ୍ତ ହେବା ପରେ ପାକିସ୍ତାନର ନେଟ୍‌ ରନ୍‌ରେଟ୍‌ -୧.୮୯୨କୁ ଖସି ଯାଇଛି । ସେପଟେ ଶ୍ରୀଲଙ୍କା ଏବେ -୦.୨୦୦ ରନ୍‌ ରେଟ୍‌ ସହ ପାକିସ୍ତାନ ଉପରେ ରହିଛି । ତେଣୁ ମ୍ୟାଚ୍‌ ନହେଲେ ଶ୍ରୀଲଙ୍କା ଫାଇନାଲ୍‌ରେ ପ୍ରବେଶ କରିବ । ଯଦି ଖେଳ ହୁଏ ଓ ପାକିସ୍ତାନ ଶ୍ରୀଲଙ୍କାକୁ ହରାଇ ଦିଏ, ତେବେ ରବିବାର ଏସିଆ କପ୍‌ରେ ତୃତୀୟ ଥର ପାଇଁ ଭାରତ ଓ ପାକିସ୍ତାନ ଲଢ଼େଇ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.