ETV Bharat / sports

Asia Cup 2023: ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଝଟ୍‌କା, ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲେ ଏହି ବୋଲର

author img

By ETV Bharat Odisha Team

Published : Sep 13, 2023, 9:40 PM IST

ଏସିଆ କପ୍‌ ୨୦୨୩ ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଝଟ୍‌କା । ଆହତଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲେ ଦଳର ଷ୍ଟାର ବୋଲର ନସୀମ ଶାହ । ହରିଶ ରୌଫ ମଧ୍ୟ ଆହତ । ଅଧିକ ପଢ଼ନ୍ତୁ

ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଝଟ୍‌କା
ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଝଟ୍‌କା

କଲମ୍ବୋ: ଏସିଆ କପ୍‌ ୨୦୨୩ର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ ପ୍ରବେଶ କରିସାରିଛି ଟିମ୍‌ ଇଣ୍ଡିଆ । ସୁପର-୪ ପର୍ଯ୍ୟାୟର ପ୍ରଥମ ଦୁଇଟି ମୁକାବିଲାରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ଫାଇନାଲ୍‌ ଟିକେଟ୍‌ ଆଗୁଆ ହାସଲ କରିନେଇଛି ଭାରତ । ସେପଟେ ଫାଇନାଲ୍‌ରେ ପହଞ୍ଚିବାକୁ କର ବା ମର ସ୍ଥିତିରେ ଆସନ୍ତାକାଲି(ଗୁରୁବାର) ମହାଁମୁହିଁ ହେବ ଶ୍ରୀଲଙ୍କା ଓ ପାକିସ୍ତାନ । ହେଲେ ଏହି ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା । ଦଳର ତାରକା ବୋଲର ନସୀମ ଶାହ ଆହତଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ନସୀମ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ମୋଟ୍ ୭ ୱିକେଟ୍ ସହ ପାକିସ୍ତାନ ପାଇଁ ଏକ 'କି' ବୋଲର ସାବ୍ୟସ୍ତ ହୋଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ନସୀମଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି । ଭାରତ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ନସୀମଙ୍କ କାନ୍ଧରେ ଆଘାତ ଲାଗିଥିଲା ଏହି କାରଣରୁ ସେ ଭାରତ ବିପକ୍ଷ ମୁକାବିଲାରେ ନିଜର ୧୦ ଓଭର ବୋଲିଂ କୋଟା ପୂରଣ କରି ପାରିନଥିଲେ । ଏପରିକି ସେ ବ୍ୟାଟିଂ କରିବାକୁ ମଧ୍ୟ ଆସି ନଥିଲେ । ଏହି ମ୍ୟାଚ୍‌ରେ ପାକିସ୍ତାନର ଅନ୍ୟତମ ଦ୍ରୁତ ବୋଲର ହରିଶ ରୌଫ ମଧ୍ୟ ଆହତ ହୋଇଥିଲେ । ସେ ମଧ୍ୟ ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇନଥିଲେ । ଦୁଇ ଦିନ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନରେ ସେ ମାତ୍ର ୫ ଓଭର ବୋଲିଂ କରି ପାରିଥିଲେ । ଦ୍ବିତୀୟ ଦିନ ବୋଲିଂ ମଧ୍ୟ କରିନଥିଲେ ହରିଶ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs SL: ୧୭୨ରେ ଅଟକିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ

ତେବେ ପାକିସ୍ତାନ ପାଇଁ ଆଶ୍ଵସ୍ତିକର ବିଷୟ ହେଉଛି ହରିଶ ରୌଫ ଏସିଆ କପ୍‌ ପାଇଁ ପାକିସ୍ତାନ ଦଳରେ ଅଛନ୍ତି । ସେଥିପାଇଁ ଆସନ୍ତାକାଲି ନିର୍ଣ୍ଣାୟକ ମୁକାବିଲାରେ ସେ ଶ୍ରୀଲଙ୍କା ବିପକ୍ଷ ବୋଲିଂ କରିବେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଆସନ୍ତା ମାସ ଆରମ୍ଭରୁ ଦିନିକିଆ ବିଶ୍ବକପ୍‌ ଅନୁଷ୍ଠିତ ହେବାକୁ ଥିବାରୁ ପାକିସ୍ତାନ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଦଳର ଏହି ଦୁଇ ଷ୍ଟାର ବୋଲରଙ୍କୁ ନେଇ ସତର୍କତା ଅବଲମ୍ବନ କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନସୀମ ଓ ରୌଫ ଆଜି ପାକିସ୍ତାନ ଦଳ ସହିତ ଷ୍ଟାଡିୟମରେ ଥିଲେ ହେଁ ଅଭ୍ୟାସ୍‌ରେ ଯୋଗ ଦେଇନାହାନ୍ତି । ଦଳ ପ୍ରବନ୍ଧକ ରିସ୍କ୍‌ ନେବାକୁ ଚାହୁଁନାହାନ୍ତି ଏବଂ ଦୁଇ ଖେଳାଳି ବିଶ୍ରାମ କରନ୍ତୁ ବୋଲି ଚାହୁଁଛନ୍ତି । ଏପରି ହେଲେ ଉଭୟ ନସୀମ ଓ ରୌଫଙ୍କ ବିନା ଶ୍ରୀଲଙ୍କା ବିପକ୍ଷରେ ମୈଦାନକୁ ଓହ୍ଲାଇବ ପାକିସ୍ତାନ । ପ୍ରକାଶଯୋଗ୍ୟ, ନସୀମଙ୍କ ବଦଳ ଖେଳାଳି ଭାବେ ଦଳରେ ଜମାନ ଖାନଙ୍କୁ ସାମିଲ୍ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.