ETV Bharat / sports

ଚେପକ୍‌ରେ ମାଟି କାମୁଡ଼ିଲା ହାଇଦ୍ରାବାଦ, କୋଲକାତାକୁ ୩ୟ ଟାଇଟଲ୍‌ - IPL 2024 Final

author img

By ETV Bharat Odisha Team

Published : May 26, 2024, 10:41 PM IST

IPL 2024 Final: ଆଇପିଏଲ୍‌ ୨୦୨୪ ଚମ୍ପିଆନ୍‌ ବନିଲା କୋଲକାତା ନାଇଟ୍‌ ରାଇଡର୍ସ । ଉଭୟ ବୋଲର ଓ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ ହାତେଇଲା ୩ୟ ଟାଇଟଲ । ପ୍ରଥମେ ହାଇଦ୍ରାବାଦକୁ ୧୧୩ ରନରେ ଅଲ୍‌ ଆଉଟ୍‌ କରିବା ପରେ ୧୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୦.୩ ଓଭରରେ ହାସଲ କରି ନେଇଛି କେକେଆର୍‌ । ଅଧିକ ପଢ଼ନ୍ତୁ

IPL 2024 Final
IPL 2024 Final (ETV Bharat Odisha)

ଚେନ୍ନାଇ: ଆଇପିଏଲ୍‌ ୨୦୨୪ ଚମ୍ପିଆନ୍‌ ହେଲା କୋଲକାତା ନାଇଟ୍‌ ରାଇଡର୍ସ । ପ୍ରଥମେ ବୋଲର କଲେ କମାଲ, ଦ୍ବିତୀୟ ପାଳିରେ ବ୍ୟାଟରଙ୍କ ମାଷ୍ଟର କ୍ଲାସ୍‌ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍‌ରେ ହରାଇ ଚଳିତ ସଂସ୍କରଣର ଚମ୍ପିଆନ୍‌ ବନିଛି କୋଲକାତା ନାଇଟ୍‌ ରାଇଡର୍ସ । ପ୍ରଥମ ପାଳିରେ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସମସ୍ତ ୱିକେଟ ହରାଇଥିଲା ହାଇଦ୍ରାବାଦ । ଏହା ସହିତ ଆଇପିଏଲ୍‌ ଇତିହାସରେ ଫାଇନାଲ୍‌ ମ୍ୟାଚ୍‌ରେ ସର୍ବନିମ୍ନ ସ୍କୋର କରିବାର ଅନାବଶ୍ୟକ ରେକର୍ଡ କରିଥିଲା ପ୍ୟାଟ୍‌ କମିନ୍ସଙ୍କ ଦଳ । ଦ୍ବିତୀୟ ପାଳିରେ ଭେଙ୍କଟେଶ ଆୟରଙ୍କ ଧୂଆଁଧାର ପାଳି ବଳରେ କେବଳ ୧୦.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ଶ୍ରେୟସ ଆୟରଙ୍କ କେକେଆର୍‌ ।

ପ୍ରଥମ ଇନିଂସ୍‌-

ହାଇଦ୍ରାବାଦ ବ୍ୟାଟିଂ: ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍‌ କମିନ୍ସ । ହେଲେ ଆରମ୍ଭରୁ ଦଳ ଏପରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ପ୍ରଥମ ଓଭରରେ ମିଚେଲ୍‌ ଷ୍ଟାର୍କଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ ଅଭିଷେକ ଶର୍ମା । ଏହାପରେ ତୁରନ୍ତ ଖାତା ଖୋଲିବା ପୂର୍ବରୁ ଟ୍ରାଭିସ ହେଡ୍‌ଙ୍କୁ ଆଉଟ୍‌ କରିଥିଲେ ବୈଭବ ଆରୋରା । ପରବର୍ତ୍ତୀ କୌଣସି ବ୍ୟାଟର ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିନଥିଲେ । ଆଡେନ ମାର୍କ୍ରମ ୨୦ ରନ କରି ଆଉଟ୍‌ ହୋଇଥିବାବେଳେ ଦଳ ପାଇଁ ସର୍ବାଧିକ ସ୍କୋର କରିଥିଲେ ଅଧିନାୟକ ପ୍ୟାଟ୍‌ କମିନ୍ସ । ସେ ୧୯ ବଲରୁ ୨୪ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀତିଶ ରେଡ୍ଡୀ (୧୩) ଓ ହେନରିଚ୍‌ କ୍ଲାସେନ୍‌ (୧୬)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

କୋଲକାତା ବୋଲିଂ: ଅନ୍ୟପଟେ କୋଲକାତା ପକ୍ଷରୁ ଆରମ୍ଭରୁ ଆକ୍ରାମକ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଚଳିତ ସଂସ୍କରଣର ସବୁଠାରୁ ଦାମୀ ଖେଳାଳି ମିଚେଲ୍‌ ଷ୍ଟାର୍କ ଘାତକ ଆକ୍ରମଣ ପ୍ରଥମ ଓଭରରୁ ହିଁ କରିଥିଲେ । ସେ ୩ ଓଭରରୁ ୧୪ ରନ ବ୍ୟୟରେ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟ ବୋଲରମାନେ ମଧ୍ୟ ଷ୍ଟାର୍କଙ୍କୁ ଭରପୁର ସାଥ ଦେଇଥିଲେ । ହର୍ଷିତ ରାଣା ୪ ଓଭର ବୋଲିଂ କରି ୨୪ ରନ ବ୍ୟୟରେ ୨ଟି ୱିକେଟ୍‌ ହାସଲ କରିଥିଲେ । ଆନ୍ଦ୍ରେ ରସେଲ୍‌ ସର୍ବାଧିକ ୩ଟି ୱିକେଟ୍‌ ଖସାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଭବ ଆରୋରା, ସୁନୀଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ ।

ହାଇଦ୍ରାବାଦର ଅଲୋଡ଼ା ରେକର୍ଡ: ଫାଇନାଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସର ଘାତକ ବୋଲିଂର ସାମ୍ନା କରିନପାରି କେବଳ ୧୧୩ ରନରେ ସମସ୍ତ ୱିକେଟ୍‌ ହରାଇଛି ହାଇଦ୍ରାବାଦ । ଏହା ସହିତ ଆଇପିଏଲ୍‌ରେ ଏକ ଅଲୋଡ଼ା ରେକର୍ଡ ମୁଣ୍ଡାଇଛି ପ୍ୟାଟ୍‌ କମିନ୍ସଙ୍କ ଦଳ । ଆଇପିଏଲ୍‌ ଇତିହାସରେ ଫାଇନାଲ୍‌ ମ୍ୟାଚ୍‌ରେ ଆଜି ହାଇଦ୍ରାବାଦର ସ୍କୋର (୧୧୩) ସର୍ବନିମ୍ନ ।

ଏହା ମଧ୍ୟ ପଢ଼ନ୍ତୁ...ଫାଇନାଲ୍‌ରେ ଭାଙ୍ଗିଲା ହାଇଦ୍ରାବାଦ ବ୍ୟାଟିଂ ଅର୍ଡର, ଟ୍ରଫିଠୁ ୧୧୪ ରନ ଦୂରରେ କୋଲକାତା - IPL 2024 Final

ଦ୍ବିତୀୟ ଇନିଂସ୍‌-

କୋଲକାତା ବ୍ୟାଟିଂ: ତୃତୀୟ ଟ୍ରଫି ପାଇଁ କେବଳ ୧୧୪ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକତା ଯଦିଓ ଭଲ ଆରମ୍ଭ ପାଇଥିଲା, ହେଲେ କେବଳ ୬ ରନ କରି ସୁନୀଲ ନାରାୟଣ ଆଉଟ୍‌ ହୋଇଯାଇଥିଲେ । ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ପ୍ରଥମ ଓଭରର ପ୍ରଥମ ବଲକୁ ଛକା ମାରିବା ପରେ ଦ୍ବିତୀୟ ବଲରେ ଧରା ପଡ଼ିଯାଇଥିଲେ ନାରାୟଣ । ଏହାପରେ ଦେଖିବାକୁ ମିଳିଥିଲା ଭେଙ୍କଟେଶ ଆୟରଙ୍କ ସୋ' । ଗୋଟିଏ ପଟେ ଓପନର ରେହମାନୁଲ୍ଲା ଗୁରବାଜ ରକ୍ଷଣୀୟ ପାଳି ଖେଳୁଥିବାବେଳେ ଅନ୍ୟପଟେ ଧୂଆଁଧାର ବ୍ୟାଟିଂ କରିଥିଲେ ଭେଙ୍କି ଆୟର । ସେ ଆଜିର ମ୍ୟାଚ୍‌ରେ ୨୬ ବଲରୁ ୨୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ୫୨ ରନ କରି ଅପରାଜିତ ରହିବା ସହ ଦଳକୁ ଟ୍ରଫି ପାଖରେ ପହଞ୍ଚାଇଛନ୍ତି । ଅନ୍ୟପଟେ ଗୁରବାଜ ୩୨ ବଲରୁ ୩୯ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ ।

ହାଇଦ୍ରାବାଦ ବୋଲିଂ: ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ଭଳି ବୋଲିଂରେ ମଧ୍ୟ ଅତି ସାଧାରଣ ପ୍ରଦର୍ଶନ କରିଥିଲେ ହାଇଦ୍ରାବାଦ ବୋଲର । ଯଦିଓ ଇନିଂସ୍‌ର ଦ୍ବିତୀୟ ଓଭରରେ ସୁନୀଲ ନାରାୟଣଙ୍କୁ ଆଉଟ୍‌ କରି ଦଳକୁ ଏକ ସଫଳତା ଦେଇଥିଲେ ଅଧିନାୟକ ପ୍ୟାଟ୍‌ କମିନ୍ସ, ହେଲେ ଏହାର ଫାଇଦା ଉଠାଇ ପାରିନଥିଲେ ଅନ୍ୟ ବୋଲର । ବିଶେଷ କରି କେକେଆର୍‌ ଅଲ୍‌ରାଉଣ୍ଡର ଭେଙ୍କଟେଶ ଆୟର ସବୁ ଏସ୍‌ଆର୍‌ଏଚ୍‌ ବୋଲରଙ୍କ ଲାଇନ୍‌ ଲେନ୍ଥ ବିଗାଡ଼ି ଦେଇଥିଲେ । ଦଳ ପକ୍ଷରୁ ଶାହବାଜ ଅହମ୍ମଦ ଦ୍ବିତୀୟ ୱିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ସେତେବେଳକୁ କେକେଆର୍‌ ଟ୍ରଫି ନିକଟରେ ପହଞ୍ଚି ସାରିଥିଲା । ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

କୋଲକାତାକୁ ୩ୟ ଟ୍ରଫି: ଆଜିର ବିଜୟ ସହ କୋଲକାତା ଆଇପିଏଲ୍‌ ଇତିହାସରେ ୩ୟ ଟାଇଟଲ୍‌ ହାସଲ କରିଛି । ଏହା ପୂର୍ବରୁ ୨୦୧୨ ଓ ୨୦୧୪ ମସିହାରେ ଖେଳାଯାଇଥିବା ଆଇପିଏଲ୍‌ ସଂସ୍କରଣର ଚମ୍ପିଆନ ବନିଥିଲା କୋଲକାତା ନାଇଟ୍‌ ରାଇଡର୍ସ । ଦୀର୍ଘ ୧୦ ବର୍ଷ ପରେ ଆଇପିଏଲ୍‌ ୨୦୨୪ ଟାଇଟଲ୍‌ ସହ ପୁଣି ତୃତୀୟ ଟ୍ରଫି ହାସଲ କରିଛି ନାଇଟ୍‌ ରାଇଡର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.